ବଦଳିଲେ ଆରତୀ; ବରୀରୁ ଦେବାଶିଷ ହେଲେ କଂଗ୍ରେସ ପ୍ରାର୍ଥୀ 

 ଯାଜପୁର: ବଦଳିରେ ଆରତୀ ଦେଓ । ବରୀରୁ ପ୍ରାର୍ଥୀ ହେଲେ ଦେବାଶିଷ ନାୟକ । ବିଜେପି ଛାଡ଼ି ଶନିବାର ହାତ ଧରିଥିବା ଦେବାଶିଷଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା । ହେଲେ ଦେବାଶି କି କଂଗ୍ରେସ ପକ୍ଷରୁ ସେଭଳି କିଛି ସ୍ପଷ୍ଟତା କରାଯାଇନଥିଲେ ହେଁ ଆଜି ପାଞ୍ଚଟି ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନରେ ବରୀ ରହିଥିଲା । ବରୀରୁ କଂଗ୍ରେସ ପ୍ରାକ୍ତନ ଜିଲା ପରିଷଦ ସଭ୍ୟା ତଥା ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିଥିଲା । ଆରତୀଙ୍କ ନାଁ ଘୋଷଣା ପରେ ପ୍ରଚାର ମଧ୍ୟ ଆରମ୍ଭ କରି ଦେଇଥିଲେ । ତେବେ ଶନିବାର ଦେବାଶିଷ ନାୟକ ପଦ୍ମଛାଡ଼ି ହାତଧରିବା ପରେ କଂଗ୍ରେସ ବରୀରୁ ଅଭିଜ୍ଞ ତଥା ପ୍ରାକ୍ତନ ବିଧାୟକଙ୍କୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଯାଇଥିଲା । ପ୍ରାର୍ଥୀ ଘୋଷଣା ପରେ ଦେବାଶିଷଙ୍କ ପ୍ରତିକ୍ରିୟା ନେବାକୁ ଏହି ପ୍ରତିନିଧି ଯୋଗା ଯୋଗ କରିଥିଲେ ହେଁ ତାଙ୍କ ଫୋନ ସୁଇଚ୍ଅପ୍ ରହିଥିଲା । ଦେବାଶିଷ ନିର୍ବାଚନ ଲଢିବେ ବୋଲି ବହୁ ପୂର୍ବରୁ ଘୋଷଣା କରିଥିଲେ । ବିଜେଡ଼ିରେ କୋଣ ଠେସା କାରଣରୁ ଦଳ ତାଙ୍କୁ ସୁଯୋଗ ଦେବନି ବୋଲି ଭଲଭାବେ ଜାଣିଥିଲେ । ଏଣୁ ସେ ଫେବ୍ରୁଆରି ମାସ ୨୫ ତାରିଖରେ ଶଙ୍ଖଛାଡ଼ି ପଦ୍ମ ଧରିଥିଲେ । ଦଳ ଡ଼େଇଁବା ପରେ ଦେବାଶିଷ ବିଜେଡ଼ିକୁ ବହେ ଗାଳି କରିଥିଲେ । ବରୀରୁ ଟିକେଟ ପାଇବା ଆଶାରେ ପଦ୍ମ ଧରିଥିବା ଦେବାଶିଷଙ୍କୁ ବିଜେପି ବିଶ୍ୱାସକୁ ନେଇନଥିଲା । ଏଣୁ ଦେବାଶିଷ ୭୦ଦିନ ପରେ ବିଜେପି ପରିତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସରେ ଯୋଗ ଦେବା ପରେ ଦେବାଶିଷ ବିଜେପି କାର୍ଯ୍ୟ ଶୈଳୀ ଉପରେ ଅଙ୍ଗୁଳି ଉଠାଇଥିଲେ । ଆରତୀଙ୍କ ସ୍ଥାନରେ ଦେବାଶିଷଙ୍କୁ ପ୍ରାର୍ଥୀ କରି କଂଗ୍ରେସ ବରୀ ପାଇଁ ଭିନ୍ନ ଗୋଟି ଚାଳନା କରିଥିବା କୁହାଯାଉଛି । ବରୀରେ ବିଜେଡ଼ିରୁ ବିଶ୍ୱରଂଜନ ମଲିକ ଏବଂ ବିଜେପିରୁ ଉମେଶ ଜେନା ପ୍ରାର୍ଥୀ ହୋଇଛନ୍ତି । ବିଶ୍ୱରଂଜନ କଂଗ୍ରେସରୁ ରାଜନୀତି ଆରମ୍ଭ କରି ୨୦୧୪ରେ ହାତଦଳରୁ ନିର୍ବାଚନ ଲଢିବାକୁ ପାଗ ଭିଡ଼ିଥିଲେ । ସବଳ ସଂଗଠନ ସତ୍ୱେ ଦଳ ତାଙ୍କୁ ପ୍ରାର୍ଥୀ ନକରିବାରୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ଦେବାଶିଷଙ୍କୁ କଡ଼ା ଟକ୍କର ଦେଇ୭ ହଜାରରୁ କମ୍ଭୋଟରେ ହାରି ଯାଇଥିଲେ । କିନ୍ତୁ ପରେ ସେ ବିଜେପିରେ ସାମିଲ ହୋଇଥିଲେ । ୨୦୧୯ ନିର୍ବାଚନରେ ବିଶ୍ୱ ବିଜେପିରୁପ୍ରାର୍ଥୀ ହୋଇ ୬୮ହଜାରରୁ ଅଧିକ ଭୋଟ ପାଇଥିଲେ ହେଁ ବିଜେଡ଼ିର ସୁନନ୍ଦା ଦାସଙ୍କ ଠାରୁ ହାରି ଯାଇଥିଲେ । କିନ୍ତୁ ୨୪ ନିର୍ବାଚନରେ ବିଶ୍ୱ ଶଙ୍ଖଦଳରୁ ନିର୍ବାଚନ ଲଢିବେ । ବିଶ୍ୱ ବିଜୟ ସୁନିଶ୍ଚିନ୍ତ କରିବା ପାଇଁ ଲାଗି ପଡ଼ିଥିବା ବେଳେ ଦେବାଶିଷଙ୍କ କଂଗ୍ରେସ ଏଣ୍ଟି୍ର ବରୀ ରାଜନୀତିକୁ ରୋଚକ କରିଦେଇଛି । ୪ଥର ବରୀବାସୀଙ୍କ ସମର୍ଥନ ହାସଲ କରିଥିବା ଦେବାଶିଷ ଜଣେ ପୋଖତ ରାଜନେତା । ତାଙ୍କ ସମୟରେ ସେ ବରୀର ଅନେକ ଗୁଡ଼ିଏ ବିକାଶ ମୂଳକ କାର୍ଯ୍ୟର ଭିତି ପକାଇଥିଲେ । ଅନେକଙ୍କ ସହ ତାଙ୍କର ବ୍ୟକ୍ତିଗତ ସଂପର୍କ ରହିଛି । ସେହି ଆଧାରରେ ସେ ନିର୍ବାଚନ ଲଢିବେ ବୋଲି କହି ଆସୁଥିଲେ । ସେଥିପାଇଁ ବିଜେଡ଼ିରୁ ବିଜେପି ଏବଂ କଂଗ୍ରେସକୁ ଜମ୍ପମାରିଛନ୍ତି । ବରୀବାସୀଙ୍କ ସେବାରେ ରହିବାକୁ ନିର୍ବାଚନ ଲଢିବେ ବୋଲି ପୂର୍ବରୁ କହିଥିବା ଦେବାଶିଷ କେବେ ହେଲେ ଜିତିବା ପାଇଁ ଲଢିବେ ବୋଲି କୁହାଯାଇପାରିବନି । ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସର ସ୍ଥିତି ବରୀରେ ଯାହା ତାହା ତାଙ୍କୁ ବିଜୟ ପଥରେ ଅଗ୍ରସର କରିବ ନାହିଁ । କିନ୍ତୁ ଯାହା ଆଶଙ୍କା କରାଯାଉଛି, ବରୀବାସୀଙ୍କ ମନରେ ରହିବାକୁ ଏବଂ ତାଙ୍କ ସଂପର୍କକୁ ଅତୁଟ ରଖିବା ପାଇଁ ନିର୍ବାଚନ ଲଢିବାର ଏକମାତ୍ର ରାସ୍ତା ଏକଥା ଧରି ନେଇଥିଲେ ଦେବାଶିଷ । ସେଥିପାଇଁ   ଦଳ ପରେ ଦଳ ପରିବର୍ତ୍ତନ କରି ଦେବାଶିଷ କରିଆସିଥିବା ଘୋଷଣା ‘ମୁଁ ନିର୍ବାଚନ ଲଢିବି’ ଅଭିଳାସକୁ ପୂରଣ କରିଛନ୍ତି । କଂଗ୍ରେସ ବ୍ୟାନର ତଳେ ଦେବାଶିଷଙ୍କୁ କେତେ ଜନସମର୍ଥନ ମିଳିପାରୁଛି, ତାହାକୁ ଅପେକ୍ଷା କରିବାର ଅଛି ।