ଝାଡ଼ାବାନ୍ତି ପାଇଁ ଜିଲା ପ୍ରଶାସନ ଦାୟୀ: ବିଜେଡ଼ି 


ଯାଜପୁର ଟାଉନ: ଯାଜପୁରରେ ବ୍ୟାପିଥିବା ଝାଡ଼ାବାନ୍ତି ରୋଗ ପାଇଁ ଜିଲା ପ୍ରଶାସନ ଦାୟୀ । ଆଜି ସନ୍ଧ୍ୟାରେ ରାଜ୍ୟ ବିଜେଡିର ଏକ ପ୍ରତିନିଧି ଦଳ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସି ରୋଗୀଙ୍କୁ ଭେଟିବା ସହ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପୂର୍ବତନ ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲା ପରିଷଦ ସଭାନେତ୍ରୀ ନଳିନୀପ୍ରଭା ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଯାଜପୁର ବିଧାୟିକା ସୁଜାତା ସାହୁ, ଡଃ ଲୋପାମୂଦ୍ରା ବକ୍ସିପାତ୍ର, ଗିତାଞ୍ଜଳୀ ବସ୍ତିଆ, ସ୍ନେହାଞ୍ଜଳୀ ମହାନ୍ତି, ଯାଜପୁର ବିଜେଡି ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର ପ୍ରମୁଖ ଝାଡ଼ା ବାନ୍ତି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଭେଟିବା ସହ ଜିଲା ପ୍ରଶାସନ ସହିତ ଆଲୋଚନା କରିବା ସହ ଯାଜପୁର ସର୍କିଟହାଉସ୍ ଠାରେ ଏକ ଖବରଦାତା ସମ୍ମିଳନୀରେ ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ଆଜି ଏହିଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି । ଅନେକ ସ୍ଥାନରେ ଟିୱେଲର ପିଇବା ପାଣି ଦୂଷିତ ହେବା ସହ ବର୍ଷା ଦିନରେ ଅନେକ ସ୍ଥାନରେ ବର୍ଷାପାଣି ଜମି ସଂକ୍ରମଣ ବ୍ୟାପୁଥିବା ଅଭିଯୋଗ କରିଥିଲେ ।