ସେବାଶ୍ରମ ପରିଚାଳକ କୋର୍ଟଚାଲାଣ : ଅନ୍ତେବାସୀଙ୍କୁ ଖୋଜିବାକୁ ଟିମ୍ ଗଠନ

 ବିଞ୍ଝାରପୁର : ଏହି ବ୍ଲକ ଆଳକୁଣ୍ଡ ଥାନା ଅଞ୍ଚଳରେ ବେଆଇନ ଚାଲିଥିବା ବଳଦେବଜୀଉ ସେବାଶ୍ରମ ଉପରେ ଚଢ଼ଉ କରି ପ୍ରଶାସନ ୪ଜଣଙ୍କୁ ଉଦ୍ଧାର କରିଥିଲେ ହେଁ, ଅନେକଙ୍କୁ ଠାବ କରାଯାଇପାରିନି । ପ୍ରଶାସନ ପକ୍ଷରୁ ଅନ୍ତେବାସୀଙ୍କୁ ଠାବ କରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି । ଟିମ ଲଗାତାର ଭାବେ ସେବାଶ୍ରମରେ ଚଢାଉ କରିଥିଲେ ହେଁ ନିରାଶ ହେବାକୁ ପଡ଼ିଛି । ତେବେ ବେଆଇନ ଭାବେ ଚାଲିଥିବା ସେବାଶ୍ରମ ପରିଚାଳକ ଦୁଷ୍ମନ୍ତ ଦାସଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲେ ବି ସେବାଶ୍ରମରେ ବାସ୍ତବରେ କେତେ ଜଣ ପିଲା ରହିଥିଲେ ଏବଂ ସେମାନଙ୍କ ଭରଣ ପୋଷଣ କିଭଳି ଚାଲିଥିଲା, ତାହାର ସତ ଖୋଜୁଛି ପ୍ରଶାସନ, ବେଆଇନ ଭାବେ ବଳଦେବଜୀଉ ସେବାଶ୍ରମ ଚାଲିଥିବା ଏବଂ ଅନ୍ତେବାସୀ ନିଖୋଜ ହେଇଯାଉଥିବା ଭଳି ଅଭିଯୋଗ ପ୍ରଶାସନ ନିକଟରେ ହୋଇଥିଲା । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ପରିଚାଳକଙ୍କୁ ସତ୍ୟତା ରଖିବାକୁ କୁହାଯାଉଥିଲେ ବି ଚିଠିକୁ ବେଖାତିର କରି କୋର୍ଟର ଆଳ ଦେଖାଇ ଅନେବାସୀଙ୍କୁ ହାଜର କରାଉ ନଥିଲେ । ଏପରିକି ପୂର୍ବରୁ ସେବାଶ୍ରମକୁ ଯାଞ୍ଚ ପାଇଁ ଆସିଥିବା ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଥିଲା । ସୂଚନା ଥାଉକି ଗତକାଲି ଯାଜପୁର ଏସଡିପିଓ, ଅଳକୁଣ୍ଡ ଓ ବିଂଝାରପୁର ଥାନା ପୁଲିସ, ଶିଶୁ ସୁରକ୍ଷା ବିଭାଗ, ଶିଶୁ ମଙ୍ଗଳ କମିଟି ସଦସ୍ୟା ଓ ବିଂଝାରପୁର ତହସିଲଦାର ଉପସ୍ଥିତିରେ ଚଢାଉ ହୋଇଥିଲା । ଚଢାଉ ବେଳେ ୪ ଜଣ ଅନ୍ତେବାସୀଙ୍କୁ ଉଦ୍ଧାର କରାଯାଇଥିଲା । ସରକାରୀ ତଥ୍ୟାନୁସାରେ ୩୪ ଜଣ ଅନ୍ତେବାସୀ ରହୁଥିଲେ । ତେବେ ଅନ୍ୟ ଅନ୍ତେବାସୀ ଖୋଜି ବାହାର କରିବା ପାଇଁ ଶିଶୁ ସୁରକ୍ଷା ଅଧିକାରୀ ଓ ପୁଲିସ ଆଶ୍ରମରେ ଘନ ଘନ ଚଢାଉ ଜାରି ରଖିଥିବା ସୂଚନା ଦେଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ।