ବନାଗ୍ନି ସଚେତନତା କାର୍ଯ୍ୟକ୍ରମ
ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ୍ ଆମ୍ବଗାଡ଼ିଆ ପଞ୍ଚାୟତ ଭଗବାନପୁର ଗ୍ରାମର ଯୁବ ସମାଜସେବୀ ତଥା ପରିବେଶବିତ୍ ଦେବେନ୍ଦ୍ର ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ବନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଣ, ଜଙ୍ଗଲରେ ନିଆଁ ନ ଲଗାଇବା ଓ ପ୍ରକୃତିର ଅବଦାନ ଜଙ୍ଗଲକୁ ସୁରକ୍ଷା ଦେବା ପ୍ରଭୃତି ବାର୍ତ୍ତା ଦେଇ ଜନସାଧାରଣଙ୍କୁ ସଚେତନ କରାଇବା ଏହାର ମୁଖ୍ୟ ଉଦେ୍ଦଶ୍ୟ ଥିଲା । ବିଶେଷ କରି ଆଗକୁ ଆସୁଥିବା ଗ୍ରୀଷ୍ମ ଋତୁରେ ଖରାର ପ୍ରଭାବ ଅଧିକ ଥାଏ । ଜଙ୍ଗଲର ପାଖାପାଖି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ମହୁଲ ଫୁଲ, ଟୁଲ ଓ ଶାଳମଞ୍ଜି ସଂଗ୍ରହ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଇଥାଆନ୍ତି । ତେଣୁ କିପରି ସଂପୃକ୍ତ ଅଞ୍ଚଳରେ ବନାଗ୍ନିକୁ ରୋକାଯାଇପାରିବ ସେ ସମ୍ପର୍କରେ ଆମ୍ବଗାଡ଼ିଆ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମକୁ ଯାଇ ଦେବେନ୍ଦ୍ର ଆଚାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ସହ ଗ୍ରାମବାସୀମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଦେବେନ୍ଦ୍ର ଆଚାର୍ଯ୍ୟ, ଦିବ୍ୟରଞ୍ଜନ ପ୍ରଧାନ, ଯୋଗେଶ୍ୱର ବେହେରା, ସୁଦର୍ଶନ ମହାପାତ୍ର, ଚନ୍ଦନ ବାସ୍କ, ବାଲକା ମୁର୍ମୁ, ଅର୍ଚ୍ଚନା ଆଚାର୍ଯ୍ୟ, ବାବୁଲା ସିଂ, ଲକ୍ଷ୍ମଣ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।