ବଦଳିବ ଗଲଗଲି ଶଙ୍ଖର ରୂପରେଖ; ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ଧର୍ମଶାଳା : ଏହି ବ୍ଲକ ପଟୁଣିଆ ପଂଚାୟତ ଗଲଗଲି ଶଙ୍ଖ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମ କ୍ରମେ ଭୁବନେଶ୍ୱର ସ୍ଥାପତ୍ୟ କଳା କାର୍ଯ୍ୟାଳୟର ସ୍ଥପତି ମନୋରଞ୍ଜନ ରଥ, ସ୍ଥପତି ପ୍ରତୀକ ରଥଙ୍କ ସହିତ ସ୍ଥାନୀୟ ବ୍ଲକ ପ୍ରଶାସନର ଅଧିକାରୀ ଗଲଗଲି ଶଙ୍ଖ ପରିଦର୍ଶନ କରିଛନ୍ତି । ଗଲଗଲି ଶଙ୍ଖଠାରେ ଥିବା ସତରନଳା ପୋଲର ପୁନରୁଦ୍ଧାର କାର୍ଯ୍ୟ କରାଯିବା ସହିତ ଏହାର ପାରିପାଶ୍ୱିର୍କ ଉନ୍ନତି ତଥା ସୌନ୍ଦର୍ଯ୍ୟକରଣ କରିବାକୁ ନିଷ୍ପତି ନିଆଯାଇଛି ବୋଲି ଗସ୍ତ ସମୟରେ ଏହି ଦୁଇ ଅଧିକାରୀ ପ୍ରକାଶ କରିଛନ୍ତି । ଧର୍ମଶାଳାର ଅତିରିକ୍ତ ତହସିଲଦାର ଗଗନ ଦାଶ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଲିଙ୍ଗରାଜ ପଣ୍ଡା, କନିଷ୍ଠ ଯନ୍ତ୍ରୀ ପ୍ରତୀମୟୀ ସାମଲ, ନେଉଳପୁର ଆର୍ଆଇ ଜଗବନ୍ଧୁ ଜେନା ଗସ୍ତରେ ସାମିଲ ହୋଇଥିଲେ । ପ୍ରଶାସନିକ ଅଧିକାରୀ ଗଲଗଲି ପୀଠର ଉନ୍ନୟନ କାର୍ଯ୍ୟ ନେଇ ଶଙ୍ଖ ଗ୍ରାମବାସୀ ତଥା ସ୍ଥାନୀୟ ଅଂଚଳବାସୀଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କର ମତାମତ ନେଇଥିଲେ । ଏଠାରେ ଏକ ଶିଶୁ ଉଦ୍ୟାନ, ପିକ୍ନିକ ପିଣ୍ଡି ଏବଂ ଶୌଚାଳୟ ନିର୍ମାଣ କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଥିଲା । ଆଲୋଚନା ବେଳେ ବିଧାୟକ ପ୍ରତିନିଧି ଅଭିଷେକ ରାଉତ, ପ୍ରାଧ୍ୟାପକ ବଳଭଦ୍ର ଦାଶ, ଆଇନଜୀବୀ ଶ୍ୟାମପ୍ରସାଦ ଦାଶ, ଶଙ୍ଖ ଗ୍ରାମର ବିବେକାନନ୍ଦ ଦାସ, ପ୍ରଶାନ୍ତ ଜେନାଙ୍କ ସହିତ ଗ୍ରାମବାସୀ ତଥା ସ୍ଥାନୀୟ ଅଂଚଳବାସୀ ଉପସ୍ଥିତ ଥିଲେ ।