ଯାଜପୁର ରୋଡ଼ ରକ୍ତ କେନ୍ଦ୍ରରେ ତାଲା ପଡ଼ିବ!  ପଦକ୍ଷେପ ନେବାକୁ ସିଡିଏମ୍ଓଙ୍କ ଦୃଷ୍ଟି ଆକର୍ଷଣ କଲେ ସ୍ୱାସ୍ଥ୍ୟଧିକାରୀ 


 ଯାଜପୁର/ବ୍ୟାସନଗର : ବନ୍ଦ ହେବ ଯାଜପୁର ରୋଡ୍ ରକ୍ତ କେନ୍ଦ୍ର । ଏଭଳି ଆଶଙ୍କା କେନ୍ଦ୍ରିୟ ଡ଼େପୁଟି ଡ଼ଗ୍ସ କଣ୍ଟ୍ରୋଲର ଅରୁପ ଚାଟାର୍ଜୀଙ୍କ ପକ୍ଷରୁ ମିଳିଥିବା ଏକ ଚିଠି ସୃଷ୍ଟିି କରିଛି । ୫ା୫ା୨୫ ତାରିଖରେ ରାଜ୍ୟ ଡ଼୍ରଗ୍ସ କଣ୍ଟ୍ରୋଲରଙ୍କୁ ମିଳିଥିବା ଚିଠିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି କି ଯଦି ୩ମାସ ମଧ୍ୟରେ ଯାଜପୁର ରୋଡ଼ ରକ୍ତ କେନ୍ଦ୍ରର ଆବଶ୍ୟକ ଭିତିଭୂମି ପ୍ରସ୍ତୁତ କରା ନ ଯାଏ, ତେବେ ରକ୍ତ କେନ୍ଦ୍ରର ଲାଇସେନ୍ସକୁ ବାତିଲ କରିଦିଆଯିବ । କେନ୍ଦ୍ରିୟ ଡ଼୍ରଗ୍ସ କଣ୍ଟ୍ରୋଲର କାର୍ଯ୍ୟାଳୟରୁ ଏଭଳି ଚିଠିର ନକଲ କପି ପାଇବା ପରେ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ବା ସିଡ଼ିଏମଓଙ୍କୁ ଯାଜପର ରୋଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦୃଷ୍ଟି ଆକର୍ଷଣ କରିଛନ୍ତି । ୬.୫.୨୫ ତାରିଖରେ ସ୍ୱାସ୍ଥ୍ୟ ଅଧିକାରୀ ସିଡ଼ିଏମଓଙ୍କୁ ପତ୍ର ମାଧ୍ୟରେ ଜଣାଇଛନ୍ତି କି ରକ୍ତ କେନ୍ଦ୍ର ପରିଚାଳନା ନିମନ୍ତେ ଯେତିକି ପରିସିମା ରହିଛି, ତାହା ପରିବ୍ୟାପ୍ତ ନୁହେଁ । ୨୩.୪.୨୫ ତାରିଖରେ ଯୁଗ୍ମ-ନିରୀକ୍ଷଣ ଦଳ ରକ୍ତ କେନ୍ଦ୍ର ପରିଦର୍ଶନ ବେଳେ କେନ୍ଦ୍ର ପରିଚାଳନା ପାଇଁ ୧୦୦ ସ୍କୋୟାର ମିଟର ପରିସିମା ଦରକାର ବୋଲି ସ୍ପଷ୍ଟ କରିଥିଲେ । ଏହା ନିୟମ ହୋଇଥିଲେ ହେଁ ଯାଜପୁର ରୋଡ୍ ରକ୍ତ କେନ୍ଦ୍ର ୬୩ ସ୍କୋୟାର ମିଟର ପରିସିମାରେ ଚାଲୁଅଛନ୍ତି । ଯାହାକୁ ଯାଞ୍ଚ କମିଟି ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ରିୟ ଡ଼ଗ୍ସ କଣ୍ଟ୍ରୋଲର ପକ୍ଷରୁ ପ୍ରଦତ ଚିଠିରେ କୁହାଯାଇଛି କି ଯୁଗ୍ମ-ନିରୀକ୍ଷଣ ଦଳ ଅନୁପାଳନ ଯାଞ୍ଚ ସମୟରେ ପର୍ଯ୍ୟବେକ୍ଷଣ ଗୁଡ଼ିକୁ ଯାଞ୍ଚ କରିଛନ୍ତି । ଦଳ ସୁପାରିଶ କରିଛନ୍ତି ଯେ ସମ୍ପୂର୍ଣ୍ଣ ମାନବ ରକ୍ତ ଆଇପିର ତା ୩୧ା୧ା୨୦୨୦ ରୁ ୩୦ା୧ା୨୦୨୫ ଅବଧି ପାଇଁ ଫର୍ମ ୨୬-ଏରେ ରକ୍ତ କେନ୍ଦ୍ର ଲାଇସେନ୍ସ ନବୀକରଣକୁ ଏହି ପର୍ଯ୍ୟାୟରେ ବିଚାର କରାଯାଇ ନ ପାରେ । ରକ୍ତ କେନ୍ଦ୍ରକୁ ଓଏନଡ଼ିଏଲଏସ ପୋର୍ଟାଲରେ ୩୧ା୧ା୨୦୨୫ ରୁ ୩୦ା୧ା୨୦୩୦ ଅବଧି ପାଇଁ ନବୀକରଣ ଆବେଦନ ଦାଖଲ କରିବାକୁ ପଡିବ । ଏହା ବ୍ୟତୀତ, ରକ୍ତ କେନ୍ଦ୍ରକୁ ୩ ମାସ ମଧ୍ୟରେ ସହାୟକ ଡକ୍ୟୁମେଣ୍ଟ ସହିତ ଅସଙ୍ଗତି/ପର୍ଯ୍ୟବେକ୍ଷଣ ସହିତ ଅନୁପାଳନ ପ୍ରତିକ୍ରିୟା ଦାଖଲ କରିବାକୁ ପଡ଼ିବ । ତାହା ନହେଲେ ଏସଏଲଏ ଓଡ଼ିଶା ଦ୍ୱାରା ରକ୍ତ କେନ୍ଦ୍ର ବିରୁଦ୍ଧରେ ଡ୍ରଗ୍ସ ନିୟମର ୧୨୨-୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ରକ୍ତ କେନ୍ଦ୍ର ଦ୍ୱାରା କରାଯାଇଥିବା ଅନୁପାଳନକୁ ଫର୍ମ ୨୬-ଏରେ ଲାଇସେନ୍ସ ନବୀକରଣ ପୂର୍ବରୁ ମିଳିତ ଭାବରେ ଯାଞ୍ଚ କରାଯିବା ଆବଶ୍ୟକ । ଗୋଟେ ପଟେ କେନ୍ଦ୍ରିୟ ଡ଼୍ରଗ୍ସ କଣ୍ଟ୍ରୋଲର ଚିଠି ଏବଂ ଅନ୍ୟପଟେ ସ୍ୱାସ୍ଥ୍ୟ ଅଧିକାରୀ ସିଡ଼ିଏମଓଙ୍କୁ ଚିଠି ଯାଜପୁର ରୋଡ଼ ରକ୍ତ କେନ୍ଦ୍ରର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଯାଜପୁର ରୋଡ଼ ରକ୍ତ କେନ୍ଦ୍ରର ଭବିଷ୍ୟତ ଏବେ ସ୍ୱାସ୍ଥ୍ୟ ବିଭାଗ ଉପରେ ନିର୍ଭର କରୁଥିବା ବେଳେ ଏନେଇ କୋରେଇ ବିଧାୟକ ଆକାଶ ଦାସନାୟକ ଅବଗତ ଥିବା ଜଣାପଡ଼ିଛି । ପ୍ରଶ୍ନ ଉଠୁଛି ସରକାର ପରେ ସରକାର ବଦଳୁଥିବା ବେଳେ ୪୨ବର୍ଷର ଯାଜପୁର ରୋଡ଼ ରକ୍ତ କେନ୍ଦ୍ର ପ୍ରତି ଅବହେଳା କାହିଁକି? ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖାଯାଇ ୧୯୮୩ ମସିହାରେ ଯାଜପୁର ରୋଡ୍ ମେଡ଼ିକାଲ ପରିସରରେ ରକ୍ତ ଭଣ୍ଡାର ଖୋଲାଯାଇଥିଲା । ସେସମୟର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ରକ୍ତ ଭଣ୍ଡାରର ଉଦ୍ଘାଟନ କରିଥିଲେ । ମାତ୍ର ୭୨ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ରକ୍ତ ଭଣ୍ଡାର ଆଜି ରାଜ୍ୟରେ ରକ୍ତ ସଂଗ୍ରହ ଏବଂ ଦାନରେ ସ୍ୱତନ୍ତ୍ରସ୍ଥାନ ଅଧିକାର କରିଛି । ଯାହା ଆଜି ରକ୍ତ କେନ୍ଦ୍ର ଭାବେ ପରିଚିତ । ରକ୍ତ କେନ୍ଦ୍ର ହେଉଛି ଜୀବନ ଦାନର ଅନ୍ୟନାମ । ୨୫୦ ରକ୍ତ ସଂରକ୍ଷଣ ବ୍ୟବସ୍ଥା ଥିବା ଏହି ରକ୍ତ କେନ୍ଦ୍ର ଉପରେ କୋରେଇ,  ସୁକିନ୍ଦା, ଧର୍ମଶାଳା ଭଳି ଯାଜପୁର ଜିଲାର ୩ଗୋଟି ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ପଡ଼ୋଶୀ ଜିଲାର ଲୋକ ନିର୍ଭର କରିଆସୁଛନ୍ତି । ଜରୁରୀ ଆବଶ୍ୟକତା ପୁରଣ କରିବା ଠାରୁ ଆରମ୍ଭ କରି ଥାଲେସେମିଆ ରୋଗୀଙ୍କ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂଣର୍୍ ଭୂମିକା ଲିଭାଉଥିବା ଯାଜପୁର ରୋଡ଼ ରକ୍ତ କେନ୍ଦ୍ର ରକ୍ତ ଭଣ୍ଡାର ପୂରଣ କରିବାକୁ ବିଭିନ୍ନ ସମୟରେ ରକ୍ତଦାନ ଶିବିର ମାନ କରାଯାଇ ଆସୁଛି । ହେଲେ ରାଜନୈତିକ ଏବଂ ପ୍ରଶାସନୀକ ଅଦୂରଦର୍ଶିତାରୁ ଆଜି ରକ୍ତ କେନ୍ଦ୍ର ଉପରେ ତାଲା ପଡ଼ିବାର ଖଣ୍ଡା ଝୁଲୁଛି । ବିଧାୟକ, ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି ।