ଶୌଚାଳୟରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଧର୍ମଶାଳା : ଦୁର୍ଘଟଣାରେ ଗୁରୁତର ଜଣେ ଯୁବକଙ୍କ ମୃତ ଦେହ ଧର୍ମଶାଳା ଡାକ୍ତରଖାନା ଶୌଚାଳୟରୁ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ସୂଚନା ମୁତାବକ ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଜାରକା ଛକ ନିକଟରେ ଥିବା ବସ ରହଣି ସ୍ଥାନରେ ପଶ୍ଚିମବଙ୍ଗ ଯାଉଥିବା ବସଟି ଅଟକି ଥିବା ସମୟରେ ଚଣ୍ଡିଖୋଲ ଆଡୁ ଆସୁଥିବା ଏକ ତେଲ ଟ୍ୟାଙ୍କର(ଓଆର୍୦୫ଏ ଏଲ୍ -୯୭୫୯) ଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଫଳରେ ତେଲ ଟ୍ୟାଙ୍କର ଚାଳକ ଗୁରୁତର ଆହତ ହୋଇଥିଲେ । ଧର୍ମଶାଳା ପୁଲିସ ଘଟଣା ସ୍ଥଳରେ ପହଁଚି ଯାତ୍ରୀବାହୀ ବସକୁ ଛାଡ଼ିଦେଇଥିବା ବେଳେ ତେଲ ଟ୍ୟାଙ୍କରକୁ ଜବତ କରି ଥାନାକୁ ଆଣିଥିଲା । ଟ୍ୟାଙ୍କର ଡ୍ରାଇଭର କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋର୍ତାଙ୍ଗ ଗ୍ରାମର ଅମିୟ କୁମାର ଜେନାଙ୍କୁ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର କଟକ ସ୍ଥାନାନ୍ତର ପାଇଁ ପୁଲିସକୁ ପରାମର୍ଶ ଦେଇଥିଲେ । କିନ୍ତୁ ସାଥିରେ ଆସିଥିବା ପୁଲିସ କର୍ମଚାରୀ ରୋଗୀଙ୍କୁ ଡାକ୍ତରଖାନାରେ ଛାଡି ଚାଲିଯାଇଥିଲେ । ମଙ୍ଗଳବାର ସକାଳୁ ସୁରକ୍ଷା କର୍ମୀ ଶୌଚାଳୟ ଭିତରେ ପାଣି ଚାଲୁଥିବା ଶବ୍ଦ ଶୁଣି ଶୌଚାଳୟ କବାଟ ବାଡେଇଥିଲେ ମଧ୍ୟ କେହି ଶୁଣି ନଥିଲେ । ପରେ ପୁଲିସଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଡ଼୍ରାଇଭରଙ୍କ ମୃତ ଦେହ ଶୌଚାଳୟ ଭିତରୁ ଉଦ୍ଧାର କରାଯାଇଥିଲା । ତେବେ ରୋଗୀଙ୍କ ସହିତ କେହି ନଥିବା ବେଳେ କାହିଁକି ଡାକ୍ତରଖାନା କର୍ତ୍ତୃପକ୍ଷ ଏଥି ପ୍ରତି ଧ୍ୟାନ ଦେଇନଥିଲେ ଓ ଜଣେ ଆଟେଣ୍ଡାଣ୍ଟ ରୋଗୀଙ୍କ ସହଯୋଗ ପାଇଁ କାହିଁକି ରଖା ଯାଇନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି କାରଣରୁ ତାଙ୍କୁ କଟକ ସ୍ଥାନାନ୍ତର ପାଇଁ ପୁଲିସକୁ ରାତି ୨ ଟାରେ ଦ୍ୱିତୀୟ ଥର ସୂଚନା ଦିଆଯାଇଥିଲେ ସୁଦ୍ଧା ପୁଲିସ ସହଯୋଗ କରିନଥିଲା । ଡାକ୍ତରର ଅବହେଳା ପାଇଁ ଯୁବକ ଜୀବନ ଗଲା ଥାନା ଅଧିକାରୀ କହି ଥିବା ବେଳେ ପୁଲିସର ଅସହଯୋଗ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଳକକୁ ଚିକିତ୍ସା କରୁଥିବା ଡାକ୍ତର ହେମନ୍ତ କୁମାର ପ୍ରକାଶ କରିଛନ୍ତି ।