ଏଥର କିଏ ହାତେଇବ ବଡଚଣା?
ନିର୍ବାଚନ ବହୁ ପୂର୍ବରୁ ଲଢିବାକୁ ପାଗଭିଡ଼ି ଶେଷରେ କଂଗ୍ରେସ ଛାଡ଼ି ରାଜନାରାୟଣ ମହାପାତ୍ର ବିଜେଡ଼ିରେ ସାମିଲ ହେବା କଥା ହେଉ କି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ବଦଳରେ ବିଜେଡ଼ି ସିନେ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶନୀଙ୍କୁ ପ୍ରାର୍ଥି କରିବା ବଡ଼ଚଣାବାସୀଙ୍କ ପାଇଁ ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଥିଲା । ଏଭଳି ସ୍ଥିତିରେ ପ୍ରଚାର ଶେଷ ହୋଇଥିବା ବେଳେ ୨ଲକ୍ଷ ପାଖାପାଖି ଭୋଟର କାହା ମୁଣ୍ଡରେ ସିରିପା ବାନ୍ଧିବେ, ତାହାତର୍ଜମାର ବିଷୟ ହୋଇଛି । ବିଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ମୋଟ ୬୪,୦୮୪ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଅମର ନାୟକ ମୋଟ ୬୨,୫୯୯ ଭୋଟ ପାଇ ମାତ୍ର ୧୪୮୫ ଭୋଟରେ ହାରିଥିଲେ । କଂଗ୍ରେସ ପ୍ରାର୍ଥି ଅଜୟ ସାମଲ ମୋଟ ମାତ୍ର ୯,୩୨୨ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଅର୍ଥାତ୍ ଆଉ ମାତ୍ର ୭୪୩ଟି ଭୋଟ ବିଜେଡ଼ି ଖାତାରୁ ନିଜ ସପକ୍ଷକୁ ଆଣିବାରେ ସକ୍ଷମ ହୋଇଥିଲେ ବଡ଼ଚଣା ଆସନ ବିଜେପି ଖାତାକୁ ଚାଲି ଯାଇଥାନ୍ତା । ଏହାପରେ କିନ୍ତୁ ବଡ଼ଚଣାବାସୀ ଆଶା କରୁଥିଲେ ବିଜେଡ଼ି ଠାରୁ ସେହି ପରାଜୟର ପ୍ରତିଶୋଧ ବିଜେପି ହୁଏତ ୨୦୨୨ ପଞ୍ଚାୟତ ନିର୍ବାଚନରେ ହିଁ ନେବ ଏବଂ ବିଜେଡ଼ିକୁ ପଛକୁ ଠେଲି ବିଜେପି ଏକ ନମ୍ବର ସ୍ଥାନକୁ ଉଠିବ । ମାତ୍ର ଉକ୍ତ ପଞ୍ଚାୟତ ନିର୍ବାଚନରେ ତାହା ପରିଲକ୍ଷିତ ହେଲା ନାହିଁ; ବରଂ ଦଳର ୫ ଜଣ ଜିଲା ପରିଷଦ ପ୍ରାର୍ଥୀଙ୍କ ମାଧ୍ୟମରେ ବିଜେପିକୁ ମିଳିଥିଲା ମାତ୍ର ୪୮୧୯୯ ଖଣ୍ଡ ଭୋଟ । ଅର୍ଥାତ୍ ୨୦୧୯ ବିଧାନସଭା ନିର୍ବାଚନ ତୁଳନାରେ ୧୪,୪୦୦ଟି କମ୍ ଭୋଟ । ବିଜେଡ଼ି ଭୋଟ ପରିମାଣ ଆହୁରି ୧୬,୨୯୭ଟି ବୃଦ୍ଧି ପାଇ ୮୦,୩୮୧ରେ ପହଞ୍ଚିଥିଲା । ବଡ଼ଚଣାରେ କଂଗ୍ରେସ ସଂଗଠନ ମଧ୍ୟରେ ବିବାଦ ଥିବା ସତ୍ୱେ ବି ଦଳର ଭୋଟ ପରିମାଣ ୭୨୧୮ ବୃଦ୍ଧି ପାଇ ୧୬,୫୪୦ରେ ପହଁଚି ପାରିଥିଲା । ଅର୍ଥାତ୍ ୨୦୧୯ ନିର୍ବାଚନ ତୁଳନାରେ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଓ କଂଗ୍ରେସର ଭୋଟ ବୃଦ୍ଧି ପାଇଥିବା ସ୍ଥଳେ ବିଜେପିର ଭୋଟ ହ୍ରାସ ପାଇଥିଲା । ୨୦୨୨ ପଞ୍ଚାୟତ ନିର୍ବାଚନ ପରେ ୟା ଭିତରେ ବଡଚଣାର ସବୁ ରାଜନୈତିକ ଦଳର କାୟାକଳ୍ପରେ ଅନେକ ପରିବର୍ତ୍ତନ ହୋଇଛି । ବିଗତ ତିନି ବର୍ଷ ମଧ୍ୟରେ ଏଠାରେ କଂଗ୍ରେସ ଦଳକୁ ଅଧିକ ସଂଗଠିତ କରି ଯେଉଁ ନେତା ଜଣକ ୨୦୨୪ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବେ ବୋଲି ଆଶା କରାଯାଉଥିଲା, ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେ କଂଗ୍ରେସ ଦଳ ତ୍ୟାଗ କରି ନିଜ ସମର୍ଥକ ମାନଙ୍କୁ ସାଥିରେ ନେଇ ବିଜେଡ଼ିରେ ସାମିଲ ହୋଇ ଯାଇଥିଲେ । ଏହି କାରଣରୁ ବିଜେଡ଼ି ଅଧିକ ଶକ୍ତିଶାଳୀ ହୋଇଯାଇଛି ବୋଲି କୁହାଯାଉଛି ଅନ୍ୟପକ୍ଷରେ ୨୦୧୯ ନିର୍ବାଚନରେ ଯେଉଁ କେତେ ଜଣ ଛାମୁଆଁ ସଂଗଠକ ବିଜେପି ପ୍ରାର୍ଥୀଙ୍କ ବିଜୟ ପାଇଁ ଦୃଢ ଭାବେ କାର୍ଯ୍ୟ କରିଥିବା ଦେଖା ଯାଇଥିଲା; ତନ୍ମଧ୍ୟରୁ ଅନେକ ବିଭିନ୍ନ କାରଣରୁ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି । ସେଇଭଳି ଏଠାରେ ବିଧାୟକ ଥିବା ଅମରଙ୍କୁ ଏଥର ବିଜେଡ଼ି ପ୍ରାର୍ଥୀ ନକରି ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବା ଘଟଣାରେ କ୍ଷୁବ୍ଧ ହୋଇ ଶ୍ରୀ ଶତପଥୀଙ୍କ କିଛି ସମର୍ଥକ ମଧ୍ୟ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ୨୪ନିର୍ବାଚନରେ କେବଳ ବିଜେଡ଼ି ପ୍ରାର୍ଥୀ ପରିବର୍ତ୍ତନ କରିଥିବା ବେଳେ ବିଜେପି ଓ କଂଗ୍ରେସ ଦଳର ନେତୃତ୍ୱ ୨୦୧୯ର ପ୍ରାର୍ଥୀଙ୍କ ଉପରେ ଭରସା କରି ଏଥର ବି ଉଭୟଙ୍କୁ ରିପିଟ୍ କରିଛି । ଏଭଳି ସ୍ଥିତି ମଧ୍ୟରେ ନୂଆ ପ୍ରାର୍ଥିଙ୍କୁ ଧରି ବିଜେଡ଼ି ନିଜ ଗଡ଼କୁ ବଜାୟ ରଖିବାକୁ ସମସ୍ତ ରଣ କୌଶଳ ଜାରି ରଖିଥିବା ବେଳେ ବିଜେପି ଜନ ସମସ୍ୟା ଓ ନିର୍ବାଚନ ମଣ୍ଡଳୀର ସମସ୍ୟାକୁ ପ୍ରସଙ୍ଗ ନକରି କେବଳ ପ୍ରତିପକ୍ଷ ବିଜେଡ଼ି ପ୍ରାର୍ଥିଙ୍କୁ ବାହାର ଅଞ୍ଚଳର ଅନଭିଜ୍ଞ ଦର୍ଶାଇ ତାହାକୁ ନିର୍ବାଚନୀ ମୁଦ୍ଦା କରି ଜନମତକୁ ପ୍ରଭାବିତ କରି ଏହି ଆସନକୁ ବିଜେଡ଼ି ଠାରୁ ଛଡ଼ାଇ ନେବାକୁ ଜୋରଦାର ଭାବେ ଅଣ୍ଟା ଭିଡିଛି । ଅମରଙ୍କ ବାହାର ପ୍ରସଙ୍ଗକୁ ଭୋଟର ଗ୍ରହଣ କରୁଛନ୍ତି ନାଁ ସିନେ ଅଭିନେତ୍ରୀଙ୍କୁ ପସନ୍ଦ କରୁଛନ୍ତି, ତାହା ଅସ୍ପଷ୍ଟ ରହିଛି ।