ଜୁଏଲଙ୍କୁ ମନ୍ତ୍ରୀପଦ, ବଢିଲା ଆଶା
ଭୁବନେଶ୍ୱର: ତୃତୀୟ ପାଳିରେ ପହଞ୍ଚିଛି ମୋଦି ସରକାର । କେନ୍ଦ୍ର କ୍ୟାଟିନେଟ୍ରେ ସ୍ଥାନ ପାଇଛନ୍ତି ତିନି ଓଡ଼ିଶା ମନ୍ତ୍ରୀ । ସେମାନଙ୍କ ମଧ୍ୟରୁ ପଶ୍ଚିମ ଓଡ଼ିଶାରୁ ଯାଇଥିବା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ମିଳିଛି ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଧର୍ମେନ୍ଦ୍ରଙ୍କ ହାତରେ ପୁଣିଥରେ ଶିକ୍ଷା ବିଭାଗ ରହିଥିବାବେଳେ ବରିଷ୍ଠ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଭଳି ଗୁରୁ ଦାୟିତ୍ୱ ଅର୍ପଣ କରିଛନ୍ତି । ଜୁଏଲଙ୍କ ହାତରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ମିଳିବା ପରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ବସବାସ କରୁଥିବା ଆଦିମ ଜନଜାତି ବେଶ ଆଶାବାଦୀ ହୋଇ ଉଠିଛନ୍ତି । ସ୍ୱାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ଆଦିବାସୀ ମାନ୍ୟତା ପାଇପାରିନଥିବା କିଛି ଜନଜାତିଙ୍କ ମନରେ ମାନ୍ୟତା ଆଶା ଉଜ୍ଜିବିତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ଦୀର୍ଘ ଦିନର ଦାବି ଆଦିବାସୀ ବିଶ୍ୱବିଦ୍ୟାଳୟ ଜୁଏଲଙ୍କ ମନ୍ତ୍ରୀତ୍ୱ ସମୟରେ ହିଁ ସାକାର ହୋଇପାରିବ ବୋଲି ଅନେକ ଆଶାବାଦୀ । ଗୋଟିଏ ପଟେ ଶିକ୍ଷା ବିଭାଗ ଧର୍ମେନ୍ଦ୍ରଙ୍କ ହାତରେ ଥିବାବେଳେ ଜୁଏଲଙ୍କ ହାତରେ ଆଦିବାସୀ ମନ୍ତ୍ରାଣାଳୟ ବିଭାଗ ଦ୍ୱାୟିତ୍ୱ ରହିଥିବାରୁ ମୋଦୀ ସରକାରଙ୍କ ତୃତୀୟ ପାଳିରେ ହିଁ ସୁନ୍ଦରଗଡ଼ରେ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଆଶାର ସଞ୍ଚାର ହୋଇଛି । ରାଜ୍ୟରେ ୬୩ ପ୍ରକାର ଆଦିବାସୀ ବସବାସ କରନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ସବୁ କ୍ଷେତ୍ରରେ ଏମାନେ ପ୍ରାୟ ଅବହେଳିତ ରହି ଆସିଛନ୍ତି । ଆଦିବାସୀଙ୍କ ଶିକ୍ଷାର ହାର ବହୁ ପରିମାଣରେ କମ । ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ସହ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ସରକାର ସବୁବେଳେ ପ୍ରଥମିକତା ଦେଇ ଆସୁଛନ୍ତି ।
ଆଦିବାସୀଙ୍କ ଶିକ୍ଷାର ବିକାଶ ପାଇଁ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରି ଆଦିବାସୀଙ୍କ ମଧ୍ୟରେ ଶିକ୍ଷାଲାଭର ନୂତନ ଆଶା ସଞ୍ଚାର କରିଥିବା କେନ୍ଦ୍ର ସରକାର ଚଳିତ ପାଳିରେ ଆଦିବାସୀଙ୍କ ଉଚ୍ଚଶିକ୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶା ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ରାଜ୍ୟରେ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁଦାବି ହୋଇ ଆସୁଥିବାବେଳେ ଜୁଏଲ ଓରାମଙ୍କ ମନ୍ତ୍ରୀତ୍ୱ ସମୟରେ ସୁନ୍ଦରଗଡ଼ ଜିଲ୍ଲାବସୀଙ୍କ ଏହି ଦୀର୍ଘଦିନର ଦାବି ପୂରଣ ହେବା ନେଇ ଜିଲ୍ଲାବାସୀ ଆଶାବାଦୀ । ଦକ୍ଷିଣ ଓଡ଼ିଶାରେ ଦୀର୍ଘ ଦଶନ୍ଧିର ଦାବି ପରେ କୋରାପୁଟ ଜିଲ୍ଲାର ଦୋରା ଓ ଦୁରୁଆ ସମ୍ପ୍ରଦାୟର ସହ ମାଲକାନଗିରିର କୋଣ୍ଡାରେଡ୍ଡୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିଥିଲେ ହେଁ ରାୟଗଡା ଜିଲ୍ଲାର ଝୋଡିଆ ସମ୍ପ୍ରଦାୟ ଆଜି ବି ଆଦିବାସୀ ମାନ୍ୟତା ଅପେକ୍ଷାରେ । ଜନଜାତି ହୋଇ ମଧ୍ୟ ଏମାନଙ୍କୁ ଆଦିବାସୀ ମାନ୍ୟତା ମିଳିପାରିନାହିଁ ।
ରାୟଗଡା ଜିଲ୍ଲାର ଉପାନ୍ତ ଓ ଅବହେଳିତ ତଥା ଆମ୍ବ ଟାକୁଆ ପାଇଁ ସମଗ୍ର ବିଶ୍ୱରେ ପରିଚିତ ଏହି ଆଦିମ ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ନ ମିଳିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ଆଦିବାସୀ ମାନ୍ୟତା ନ ମିଳିଲେ ୨୦୨୪ ନିର୍ବାଚନ ପ୍ରକ୍ରିୟାକୁ ବର୍ଜନ କରିବେ ବୋଲି କାଶୀପୁରର ଝୋଡିଆ ସମ୍ପ୍ରଦାୟ ଚେତାବନୀ ଦେଇଥିଲେ । ପ୍ରଶାସନର ବହୁ ବୁଝାସୁଝା ପରେ ସେମାନେ ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ହୋଇଥିଲେ । ଏଭଳି ସମୟରେ ସମ୍ପ୍ରତି ଜୁଏଲଙ୍କୁ ମନ୍ତ୍ରୀ ପଦ ମିଳିବା ପରେ ଏମାନଙ୍କ ମଧ୍ୟରେ ମାନ୍ୟତା ମିଳିବା ଆଶା ଉଜ୍ଜବୀତ ହୋଇଛି । ମଧ୍ୟପ୍ରଦେଶ ପରେ ଦେଶରେ ଓଡ଼ିଶାରେ ତୃତୀୟ ସର୍ବାଧିକ ଆଦିବାସୀ ବସବାସ କରୁଥିବା ତଥ୍ୟରୁ ଜଣାପଡେ । ରାଜ୍ୟର ମୋଟ ଜନସଂଖ୍ୟାର ୨୨ ପ୍ରତିଶତ ଆଦିବାସୀ ହୋଇଥିବା ଯୋଗୁ ରାଜ୍ୟରେ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଜରୁରୀ ହୋଇପଡିଛି । ଏଭଳି ସ୍ଥିତିରେ ସୁନ୍ଦରଗଡ଼ ଭଳି ଆଦିବାସୀ ଅଧୁ୍ୟଷିତ ଜିଲ୍ଲାରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲେ ଓଡ଼ିଶା ସମେତ ଝାଡଖଣ୍ଡ ଓ ଛତିଶଗଡ଼ର ବହୁ ଆଦିବାସୀ ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଉଛି ।