ପଞ୍ଚାୟତବାସୀଙ୍କ ମନ ଜିଣିପାରିଲେନି ସୁଜାତା ,ନିଜ ବୁଥରେ ଖଣ୍ଡିଏବି ଭୋଟ ଅଧିକ କରିପାରିଲେନି ଲୁଟୁ ମହାପାତ୍ର
ଯାଜପୁର: ଭାଗ୍ୟ ସାଥ ଦେଲାନି । ସେଥିପାଇଁ ହାରିଗଲେ ଗୌତମ ରାୟ । ବିଜେପିର ସୁନାମୀରେ ବିଜେଡ଼ିର ବଡ଼ବଡ଼ ହସ୍ତି ଧରାଶାୟୀ ହୋଇପଡ଼ିଥିବା ବେଳେ ରାଜନୀତିରେ ପରିପକ୍ୱ ହୋଇନଥିବା ସୁଜାତା ସାହୁ ଜିତିଗଲେ । ଏଥର ସମସ୍ତେ କହୁଥିଲେ ଗୌତମ ଜିତୁଛନ୍ତି ନିଶ୍ଚିନ୍ତ ।
କାରଣ କୁହାଯାଉଥିଲା ସୁଜାତା ରାଜନୀତିରେ ଅପରିପକ୍ୱ ଏବଂ ବବି ଅନୁପସ୍ଥିତ ଥିବାରୁ ଭୋଟର ଅନ୍ୟ କାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ବବିଙ୍କ ଅନୁପସ୍ଥିତିରେ ଗୌତମ ବାଜିମାତ କରିବାର ଏକ ସୁଯୋଗ ରହିଥିଲେ ହେଁ କପାଳରେ ରାଜଯୋଗ ନଥିବାରୁ ବିଜେପିର ଲହର ସତ୍ତ୍ୱେ ସେ ୨୫୬୪ ଖଣ୍ଡ ଭୋଟ ବ୍ୟବଧାନରେ ହାରିଗଲେ । ସୁଜାତା ବିଜେଡ଼ି ଗଡ଼ ଯାଜପୁର ବିଧାନସଭା ଆସନରେ ବିଜୟୀ ହୋଇ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବା ବବିଙ୍କ ସମ୍ମାନ ରଖିଦେଲେ । ନିର୍ବାଚନର ଶେଷ ଦୁଇଦିନ ଯାଜପୁରରେ ବବିଙ୍କ ଉପସ୍ଥିତ ସୁଜାତାଙ୍କୁ ବିଧାୟକ ପଦବାଚ୍ୟ କରିପାରିଥିଲେ ହେଁ ନିଜ ପଞ୍ଚାୟତବାସୀଙ୍କ ମନ କିନ୍ତୁ ଜିଣିପାରିନାହାନ୍ତି ବିଧାୟିକା ସୁଜାତା । ନିର୍ବାଚନରେ ସୁଜାତାଙ୍କ ପଞ୍ଚାୟତ ତଳିଆରୁ ବିଜେଡ଼ି ବଦଳରେ ବିଜେପି ଖାତାକୁ ଅଧିକ ୪ଶହ ଭୋଟ ଯିବା ଏକଥା ଦର୍ଶାଉଛି । ଦଶରଥପୁର ବ୍ଲକ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବା ପରେ ମିଶନଶକ୍ତିର ଜଣେ ଆଗଧାଡ଼ିର କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରୁଥିବା ସୁଜାତାଙ୍କୁ ବିଜେଡ଼ି ପ୍ରାର୍ଥୀ କରି ମହିଳା କାର୍ଡ଼ ଖେଳିଥିଲା । ସୁଜାତା ନିଜ ସମର୍ଥକଙ୍କୁ ନେଇ ଦଶରଥପୁର ବ୍ଲକ, ଯାଜପୁର ବ୍ଲକ ଏବଂ ଯାଜପୁର ପୌରାଞ୍ଚଳରେ ବୁଲି ବୁଲି ଭୋଟରଙ୍କ ସମର୍ଥନ ଲୋଡ଼ିଥିଲେ । ସୁଜାତା ଜିତିଗଲେ ସତ ହେଲେ ନିଜ ପଞ୍ଚାୟତରୁ ବିଜେପିର ଗୈାତମ ରାୟଙ୍କ ଠାରୁ ୨୦୭ ଖଣ୍ଡ ଭୋଟକମ ଭୋଟ ପାଇଲେ ।
ପଞ୍ଚାୟତ କଥା ଛାଡ଼ ନିଜ ବୁଥ୍ରେ ସୁଜାତା ଗୌତମଙ୍କ ଠାରୁ ୨୪ଖଣ୍ଡ ଭୋଟ କମାପାଇଥିବା ତଥ୍ୟ କହୁଛି । ଯେଉଁଠିକି ଗୌତମ ନିଜ ପଞ୍ଚାୟତ ଶୁଶୁଆରୁ ୧୦୬୮ଭୋଟ ବିଜେଡ଼ି ଠାରୁ ଅଧିକ ପାଇଥିଲେ । ଏଣୁ ନିର୍ବାଚନ ପରବର୍ତ୍ତି ସମୟରେ ଯେଉଁ ଆଲୋଚନା ହେଉଛି, ସୁଜାତା ଜିତିଲେ ସତ ହେଲେ ନିଜ ପଞ୍ଚାୟତରେ ହାରି ଯାଇଛନ୍ତି । ସୁଜାତାଙ୍କ ପରି ଅନ୍ୟ ଯାହାଙ୍କ କଥା ବେଶି ଚର୍ଚ୍ଚା ହେଉଛି, ସେ ହେଲେ ଜିଲା ବିଜେଡ଼ି ସଭାପତି ଲୁଟୁ ବା ସରୋଜ ମହାପାତ୍ର । ଲୁଟୁ ଦୀର୍ଘ ବର୍ଷଧରି ବିଜେଡ଼ି ସଭାପତି ଭାବେ କାର୍ଯ୍ୟ କରି ଆସୁଛନ୍ତି । ବିଜେଡ଼ି ସଂଗଠନ ସଂପାଦକ ବବିଙ୍କ ଦୃଢ ସମର୍ଥକ । ଜିଲା ବିଜେଡ଼ିର ମଙ୍ଗ ଧରିଥିବା ଲୁଟୁ ଏତେ ପାରିବାର ଯେ ନିଜ ବୁଥରେ କି ବିଜେଡ଼ିକୁ ଖଣ୍ଡିଏ ଭୋଟ ଅଧିକ ଦେବାକୁ ହୋଇଛନ୍ତି ଅସମର୍ଥ । ଦଶରଥପୁର ବ୍ଲକ ଅନ୍ତର୍ଗତ ଦଶରଥପୁର ପଞ୍ଚାୟତରେ ୪୦୯ ଖଣ୍ଡ ଭୋଟରେ ପଛରେ ରହିଲେ । ପଞ୍ଚାୟତ କଥା ଛାଡ଼ ଲୁଟୁଙ୍କ ନିଜ ୧୯୩ ନଂ ବୁଥରେ ବିଜେପିର ଗୌତମଙ୍କୁ ବିଜେଡ଼ିର ସୁଜାତାଙ୍କ ଠାରୁ ମିଳିଛି ୯୯ଖଣ୍ଡ ଭୋଟ ଅଧିକ । ସୁଜାତାଙ୍କ ନିର୍ବାଚନ ପରିଚାଳନା କରୁଥିବା କେତେ ଜଣଙ୍କ ମଧ୍ୟରେ ଲୁଟୁଥିଲେ ଅନ୍ୟତମ । ହେଲେ ନିଜ ଦଳର ପ୍ରାର୍ଥୀ ତାଙ୍କ ବୁଥରେ କମ ଭୋଟ ପାଇବା ଆଲୋଚନାର ବିଷୟ ହୋଇପଡ଼ିଛି । ବୁଥରେ ଫେଲ ମାରିଥିବା ଲୁଟୁ କିନ୍ତୁ ନୈତିକତା ଦୃଷ୍ଟିରୁ ସଭାପତି ପଦରୁ ଇସ୍ତଫା ଦେବାକୁ ଆଗ୍ରହ ଦେଖାଇ ନାହାନ୍ତି ।