ଆଁ କରିଛି ଛାତ ଓ କାନ୍ଥ ସାଦକପୁର ପଞ୍ଚାୟତ କାର୍ଯ୍ୟାଳୟ

 ଯାଜପୁର : ବିଭାଗୀୟ ନାଁରେ ଲକ୍ଷ୍ୟଲକ୍ଷ୍ୟ ଟଙ୍କା ସରକାରୀ ଅର୍ଥଚଳୁ କରିଦିଆଯାଇଛି । ବିଭାଗ ନାଁରେ ଠିକାଦାର ପୋଷା ନୀତି ବ୍ୟାପକ ହୋଇଛି । କ୍ଷମତାରେ ଥିବା ବିଜେଡ଼ିର କୁଜି ନେତାଙ୍କୁ ସନ୍ତୁଷ୍ଟ କରିବାକୁ ସରକାରୀ କଳ ଯେଭଳି ଭାବେ ଆଖିବୁଝା ଦୁର୍ନୀତିକୁ ପ୍ରୋସôାହିତ କରିଛନ୍ତି, ଯଦି ଗାଁରେ ଗାଁରେ ଖୋଜାଯାଏ, ତେବେ ମିଳିମିଶି କୋଟି କୋଟି ଟଙ୍କା ହରିଲୁଟର ପର୍ଦ୍ଦାଫାସ ହେବ । ଆମକୁ ମିଳିଥିବା ଫଟୋ ଚିତ୍ର ହିଁ ଏକଥା ଦର୍ଶାଉଛି । କୋରେଇ ବ୍ଲକ ସାଦକପୁର ପଞ୍ଚାୟତ କାର୍ଯ୍ୟାଳୟ ମରାମତି ପାଇଁ ବିନିଯୋଗ ହୋଇଛି ୬ଲକ୍ଷ ଟଙ୍କା । ହେଲେ ଉକ୍ତ ୬ଲକ୍ଷ ଟଙ୍କା କେବଳ ରଙ୍ଗ ମରାରେ ଶେଷ ହୋଇଛି ବୋଲି ଆଁ କରିଥିବା କାର୍ଯ୍ୟାଳୟ କାନ୍ଥ ଏବଂ ଛାତ କହୁଛି । ମରାଯାଇଥିବା ସୂଚନା ଫଳକ ମତେ ପଞ୍ଚାୟତ କାର୍ଯ୍ୟାଳୟ ସହ ବାଉଣ୍ଡାରୀ ଏବଂ ଗେଟ ଉନ୍ନତିକରଣ ପାଇଁ ୫ମ ରାଜ୍ୟ ଅର୍ଥ କମିଶନ ଯୋଜନାରେ ୬ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିଲା । ଆର୍ଥିକ ବର୍ଷ ୨୦୨୩-୨୪ରେ ମଞ୍ଜୁର ଅର୍ଥରେ ପଞ୍ଚାୟତ କାର୍ଯ୍ୟାଳୟ ଉନ୍ନତିକରଣ କରଣ ସହ ବାଉଣ୍ଡାରୀ ମରାମତି କରାଯିବାର ଥିଲା । କାର୍ଯ୍ୟନିର୍ବାହୀଙ୍କ ନାମରେ କାର୍ଯ୍ୟାଦେଶ ମିଳିଥିଲା । ଅତଏବ ବିଭାଗ ହିଁ ଉକ୍ତ ୬ଲକ୍ଷ ଟଙ୍କାରେ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ କାର୍ଯ୍ୟ କରିବେ । ହେଲେ ବର୍ତ୍ତମାନର ଅବସ୍ଥା ଦେଖିଲେ ପଞ୍ଚାୟତ କାର୍ଯ୍ୟାଳୟ ମରାମତି ବଦଳରେ ବିଭାଗ ଠିକାଦାର କେବଳ ରଙ୍ଗ ବୋଳି କାର୍ଯ୍ୟ ଶେଷ କରି ଦେଇଛନ୍ତି । କାର୍ଯ୍ୟାଳୟ ଛାତର ବିମ ଦୁର୍ବଳ ହୋଇ ଭାଙ୍ଗି ପଡ଼ୁଥିବା ବେଳେ କାନ୍ଥ ଫାଟି ଅାଁ କରିଛି । ଯଦି ଦେଖିବା ତେବେ ପାଚେରୀ ରଙ୍ଗ ହୋଇଥିବା ବେଳେ ଫାଟକ ଚକାଚକ ହୋଇଛି । ହେଲେ ପାଚେରୀ କାନ୍ଥ ଫାଟି ଛାଡ଼ିଯିବାରେ ଲାଗିଛି । ମରାମତି ନାଁରେ ରଙ୍ଗମରାରେ ୬ଲକ୍ଷ ଖର୍ଚ୍ଚ କରାଯିବା ପଛରେ ସରକାରୀ ଅର୍ଥକୁ ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ଯାହାର ତଦନ୍ତ କରାଯାଇ ବିଭାଗ ଠିକାଦାରଙ୍କ ଠାରୁ ସରକାରୀ ଅର୍ଥ ଅସୁଲ ପାଇଁ ଦାବି କରାଯାଇଛି ।