ରାଉରକେଲାରୁ ଦିଲ୍ଲୀପ: ଜୁଏଲ

ଭୁବନେଶ୍ୱର : ରାଉରକେଲାରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀପ ରାୟ । ବିଜେପି ଟିକେଟରେ ସେ ନିର୍ବାଚନ ଲଢ଼ିବେ । ଏକଥା କହିଛନ୍ତି ବରିଷ୍ଠ ବିଜେପି ନେତା ଜୁଏଲ ଓରାମ୍ । ଯାହା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । ବିଶେଷକରି ରାଉରକେଲାରେ ରାଜନୀତିକ ଅଙ୍କ ଗଡ଼ବଡ଼ ହୋଇଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
କୋଇଲା ଦୁର୍ନୀତିରେ ଦିଲୀପଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବାରୁ ସେ ନିର୍ବାଚନ ଲଢ଼ିବା ନେଇ ଆଶଙ୍କା ରହିଥିଲା । କିନ୍ତୁ ସୋମବାର ଦିଲ୍ଲୀ ହାଇକୋର୍ଟ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିବାରୁ ଦିଲୀପଙ୍କ ନିର୍ବାଚନ ଲଢ଼ିବା ରାସ୍ତା ପରିଷ୍କାର ହୋଇଯାଇଛି । ହାଇକୋର୍ଟରେ ସେ ଦାଖଲ କରିଥିବା ପିଟିସନରେ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଉଲ୍ଲେଖ କରିଥିଲେ ।
ରାୟ ପ୍ରକାଶ ପରେ ପରେ ଦିଲୀପଙ୍କ ପୁଅ ସନ୍ଦୀପ ରାୟଙ୍କ ଫେସବୁକ ପ୍ରୋଫାଇଲ ବ୍ୟାନରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ନିଜ ପ୍ରୋଫାଇଲ ବ୍ୟାନରରେ ସେ ଦିଲୀପଙ୍କ ଫଟୋ ସହ ପଦ୍ମଫୁଲର ଫଟୋ ରଖିଛନ୍ତି । ୨୦୧୮ ନଭେମ୍ବରରେ ଦିଲ୍ଲୀପ ବିଜେପି ଛାଡ଼ିବା ସହ ବିଧାୟକ ପଦରୁ ବି ଇସ୍ତଫା ଦେଇଥିଲେ । ପରେ ସେ ନବୀନ ନିବାସ ଯାଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବି ସାକ୍ଷାତ କରିଥିଲେ ।
ତେବେ କେତେକ କାରଣରୁ ସେ ବିଜେଡ଼ିରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ । ଏପରିକି ଚବିଶ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦିଲୀପ ସଂକେତ ଦେଇଥିଲେ । ତେବେ ରାଉରକେଲା ରାଜନୀତି ସହ ସେ ଜଡ଼ିତ ରହିବା ସହ ମଝିରେ ମଝିରେ ବୈଠକ ବି କରୁଛନ୍ତି ।
ଏସବୁ ରାଜନୀତିକ ଚର୍ଚ୍ଚା ଭିତରେ ଜୁଏଲଙ୍କ ବୟାନ ଏବେ ଅନେକ ଦିଗକୁ ଇସାରା ଦେଉଛି । ଦିଲୀପ ପୂର୍ବରୁ ବିଜେପି ଟିକେଟରେ ଲଢ଼ିବା ପାଇଁ ଯୋଜନା କରିଥିବା ସ୍ପଷ୍ଟ ହୋଇଯାଉଛି । କିନ୍ତୁ ଦିଲୀପ ଏନେଇ କିଛି କହିନଥିବାରୁ ଏବେବି ତାଙ୍କର ରାଜନୀତିକ ରଣନୀତି କୁହେଳିକା ମଧ୍ୟରେ ରହିଛି ।