ଭୋଟର ସଚେତନତା ପାଇଁ ସ୍ୱୀପ୍ ଅଭିଯାନ


 ବାଲେଶ୍ୱର: ପ୍ରଭାବଶାଳୀ ବ୍ୟବସ୍ଥିତ ଭୋଟର ଶିକ୍ଷା ଓ ନିର୍ବାଚନରେ ଅଂଶଗ୍ରହଣ ମାଧ୍ୟମରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅଶୀଷ ଠାକରେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାରେ ଭୋଟ ହାର ବୃଦ୍ଧି ଓ ଜନସାଧାରଣଙ୍କୁ ଆଗାମୀ ନିର୍ବାଚନରେ ସାମିଲ କରିବା ପାଇଁ ବିଶେଷ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇ କାର୍ଯ୍ୟକାରୀ କରାଯାଉଛି । ଏଥି ନିମନ୍ତେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୀପ୍ ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମକୁ ଆୟୋଜନ କରାଯାଉଛି । 
ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘରକୁ ଘର ବୁଲି, ପଥପ୍ରାନ୍ତ ନାଟକ, ଗୋଷ୍ଠୀ ବୈଠକ କରି ତୃଣମୂଳସ୍ତରର ଜନସାଧାରଣଙ୍କ ନିକଟରେ ପହଞ୍ଚିବା ସହ ଭୋଟ୍ ସମ୍ପର୍କିତ ସେମାନଙ୍କ ପ୍ରଶ୍ନଗୁଡିକର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଚେତନତା ସଭା ଆୟୋଜନ କରାଯାଇ ସ୍ଥାନୀୟ ଯୁବ ତଥା ନୂତନ ମତଦାତାଙ୍କୁ ସାମିଲ କରାଯିବା ସହ ସକ୍ରିୟ ଭୋଟର ଅଂଶଗ୍ରହଣ ଉପରେ ଆଲୋଚନା କରାଯାଇଛି । ୠୁରୁବାର ସଦରବ୍ଲକ ରସାଳପୁରସ୍ଥିତ ଯଦୁନାଥ ମହାବିଦ୍ୟାଳୟ, ଜଳେଶ୍ୱର ବ୍ଲକସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜ, ଜଳେଶ୍ୱର ମହିଳା ମହାବିଦ୍ୟାଳୟ, ଖଇରା ବ୍ଲକ ଅଧିନସ୍ଥ ଖଇରା କଲେଜ ଓ ବାଲିଆପାଳ ବ୍ଲକଠାରେ ନବର୍ନିମିତ ବୁଥଗୁଡିକରେ "ସ୍ୱୀପ୍ ଅଭିଯାନ' ଅଧୀନରେ ୱାକାଥନ୍, ସାଇକେଲ ରାଲି, ଦସ୍ତଖତ ଅଭିଯାନ, ପୋଷ୍ଟକାର୍ଡ ମାଧ୍ୟମରେ ଚିଠି, ନିର୍ବାଚନ ପାଠଶାଳା ଭଳି ଅନେକ ସଚେତନତାଭତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 
ଭୋଟରମାନଙ୍କୁ ନିଜ ମତଦାନ ସାବ୍ୟସ୍ତ କରିବା ପାଇଁ ଅନୁପ୍ରାଣୀତ କରିବା ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟେ ଭୋଟର ମହତ୍ତ୍ୱ ବାବଦରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକଙ୍କୁ ସକ୍ରିୟ ଭାବେ ସ୍ୱୀପ୍ ଅଭିଯାନରେ ସାମିଲ ହୋଇ ଆଗାମୀ ନିର୍ବାଚନକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛ ।