ପୁଣି ଜନନୀ ଯନ୍ତ୍ରଣା : ଖଟିଆରେ ବୁହା ହେଲେ ଗର୍ଭବତୀ
ଝରିଗାଁ : ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ଗାଁ କୁ ରାସ୍ତା ନ ଥିବାରୁ ଗାଁରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ । ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଗର୍ଭବତୀ ମହିଳାଙ୍କୁ ଦେଢ କିଲୋମିଟର ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତର ଡୁମୁନିଗୁଡା ଗାଁରେ । ଡୁମୁନିଗୁଡା ଗାଁ ର ଚକ୍ରଧର ଜାନିଙ୍କ ସ୍ତ୍ରୀ ବିମଳା ଜାନିଙ୍କୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।
କିନ୍ତୁ ଆମ୍ବୁଲାନ୍ସ ଗାଡ଼ି ଯାଇଥିଲେ ମଧ୍ୟ ଗାଁ କୁ ରାସ୍ତା ନ ଥିବାରୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚô ନ ପାରି ଗାଁ ଠାରୁ ଦେଡ କିଲୋମିଟର ଦୂରରେ ଅଟକି ରହିଥିଲା । ଯାହାଫଳରେ ପରିବାର ଲୋକୋ ଏବଂ ଗ୍ରାମବାସୀ ଏକ ଖଟରେ ଭାର କରି କର୍ଲାପଡ଼ା ଗାଁ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଖଟରେ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ପରେ କର୍ଲାପଡ଼ା ଗାଁ ଠାରୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଉଥିବା ବେଳେ ବାଟ ରେ ଆମ୍ବୁଲାନ୍ସ ଭିତରେ ଗର୍ଭବତୀ ଏକ ଶିଶୁପୁତ୍ର ଙ୍କୁ ଜନ୍ମ ଦେଇଥିଲେ । ତେବେ ବର୍ତମାନ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ମା ସୁସ୍ଥ ଥିବାବେଳେ ବାଟରେ ମୃତ ଶିଶୁପୁତ୍ର ଜନ୍ମ ହୋଇଥିବା କହିଛନ୍ତି ଡାକ୍ତର । ତେବେ ଝରିଗାଁ ବ୍ଲକ୍ରେ ଏପରି ବାରମ୍ବାର ଜନନୀ ଯନ୍ତ୍ରଣା ଦୃଶ୍ୟ ଦେଖିବାକୁ ମିଳୁଛି । ଏବେବି ବ୍ଲକର କେତେକ ଗାଁରେ ଗମନାଗମନ ପାଇଁ ରାସ୍ତା ସଂଯୋଗ ନଥିବାରୁ ଜୀବନ ମରଣ ସମସ୍ୟା ଭିତରେ ରହୁଛନ୍ତି ଗ୍ରାମବାସୀ । ବିଶେଷ କରି ରାସ୍ତାଘାଟ ଅବସ୍ଥା ଶୋଚନୀୟ ଥିବାରୁ ଗର୍ଭବତୀଙ୍କୁ ସୁବିଧାରେ ସୁରକ୍ଷିତ ପ୍ରସବ ପାଇଁ ଡାକ୍ତରଖାନା ଆଣିବାରେ ଅସୁବିଧା ହେଉଥିବା ବେଳେ, ବାରମ୍ବାର ଏହିଭଳି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳୁଛି ।