ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ ଘଟଣା:   ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ଦାବି

ରାଜନଗର: ରାଜନଗର ବ୍ଲକ ବାଲିସାହିପାଟଣା ଗ୍ରାମରେ ଚଳିତ ମାସ ୧୯ତାରିଖ ଶୁକ୍ରବାର ରାତିରେ ନଅମାସର ଗର୍ଭବତୀ ମହିଳାଙ୍କୁ ଯୌତୁକ ପାଇଁ ସଂଘବଦ୍ଧ ଭାବେ ଶାଶୁଘର ଲୋକେ ମାରି ଦେଇଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ରାଜନଗର ପୁଲିସ ସ୍ୱାମୀ ଓ ଦାଦା ଶ୍ୱଶୁରଙ୍କୁ ଶନିବାର ଦିନ ଥାନାକୁ ଆଣି ଅଟକ ରଖି ପଚରା ଉଚରା କରୁଥିଲା । ଥାନାରେ ଦୁଇଜଣଙ୍କୁ ଚାରିଦିନ ଧରି ପୋଲିସ ଅଟକ ରଖିଥିଲେ ମଧ୍ୟ କୋର୍ଟ ଚାଲାଣ କରିନଥିଲା । ଚାରିଦିନ ପରେ ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ ନକରିବାରୁ ମୃତା ମହିଳାଙ୍କ ପରିବାର ଓ ଗ୍ରାମର ଲୋକମାନେ ରାଜନଗର ଥାନାକୁ ଆସି ପ୍ରତିବାଦ କରି ସମସ୍ତ ଆସାମୀଙ୍କୁ ଧରିବା ସହ ଅଟକ ଥିବା ଦୁଇଜଣଙ୍କୁ କୋର୍ଟ ଚାଲାଣ ପାଇଁ ଦାବି କରିଥିଲେ । ଆଇଆଇସି ନରେଶକୁମାର ସାହୁ ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ମହିଳା ଓ ଗାଁର ଲୋକମାନେ ଥାନା ସମ୍ମୁଖରେ ରିପୋର୍ଟ ଲେଖା ହେବା ଯାଏଁ ବସି ରହିଥିବା ଦେଖିବାକୁ ମିଳିଥିଲା ।