ଶ୍ରମିକ-କର୍ମଚାରୀ ପରେ ମଜଦୁର ସଂଘ ଛାଡ଼ିଲେ ବୋଝେଇ ଶ୍ରମିକ
ଯାଜପୁର: ‘ଗଡ଼ ଗଲା ପରେ ଘଡ଼ାଇଙ୍କ ଦୁର୍ଗରେ ବିଜେପିର ପ୍ରବେଶ’ ଶୀର୍ଷକ ଏକ ଖବର ଚଳିତ ମାସ ୧୦ତାରିଖରେସୂର୍ଯ୍ୟପ୍ରଭାରେ ପ୍ରକାଶ ପାଇଥିଲା । କ୍ରୋମାଇଟ ଖଣି ଅଞ୍ଚଳର ଶତାଧିକ ଶ୍ରମିକ-କର୍ମଚାରୀ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୂର ସଂଘ ଛାଡ଼ି ବିଜେପି ଦ୍ୱାରା ଗଠିତ ହେବାକୁ ଥିବା ଶ୍ରମିକ ସଂଗଠନରେ ସାମିଲ ହେବାକୁ ଆଗେଇ ଆସିବା ସୂତ୍ରରେ ଖବର ପ୍ରକାଶ ପାଇଥିଲା । ଚଳିତ ମାସ ୧୯ତାରିଖ ‘ସଂଘକୁ ଘାରିଲାଣି ସଂଗଠନ ଭାଙ୍ଗିଯିବାର ଭୟ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା । ମଜଦୂର ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଆଶଙ୍କା କରାଯିବା ଭିତିରେ ଖବର ପ୍ରକାଶ ପାଇଥିଲା । ମଜଦୂର ସଂଘ ସଂଗଠନ ଭାଙ୍ଗିଯିବାର ଯେଉଁ ଆଶଙ୍କା କରିଥିଲା, ତାହାକୁ ସତ ସାବ୍ୟସ୍ଥ କରିବାକୁ ବିଜେପି ପୁରା ଦମ୍ରେ ଲାଗିପଡ଼ିଛି । କ୍ରୋମାଇଟ ଖଣି ଅଞ୍ଚଳ ଉପରେ ଫୋକସ କରିଛି ବିଜେପି । ଖଣିଅଞ୍ଚଳରେ ନିଜସ୍ୱ ସଂଗଠନ କରି ବିଭିନ୍ନ ଖଣିରେ ସଂଗଠନକୁ ସକ୍ର୍ରିୟ କରିବାକୁ ପାଗପଡ଼ିଥିବା ବିଜେପିରେ ସାମିଲ ହୋଇଛନ୍ତି ୩ଶହରୁ ଅଧିକ ବୋଝେଇ ଶ୍ରମିକ । ଯେଉଁଠିକି ଚଳିତ ମାସ ୯ତାରିଖରେ ଡେକୋ କମ୍ପାନୀର ୩୨୮ଜଣ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରୁ ୩୧୮ଜଣ ସଂଘରୁ ଇସ୍ତଫା ଦେଇ ବିଜେପି ସହ ହାତ ମିଳାଇଥିଲେ । ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳ ଘଡ଼ାଇ ପିତା ପୁତ୍ରଙ୍କ ଦୁର୍ଗ ଭାବେ ବିବେଚିତ ହୋଇଥାଏା ହେଲେ ଦୁର୍ଗକୁ ବିଜେପି ଦୋହଲାଇବାରେ ଲାଗିଛି । ଏହିକ୍ରମେ ବୁଧବାର ଟାଟା କମ୍ପାନୀର ୧୯ ଗୋଟି ଶ୍ରମିକ ବ୍ୟାଚର ୩ ଶହରୁ ଊର୍ଦ୍ଧ୍ୱ ବୋଝେଇ ଶ୍ରମିକ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୂର ସଙ୍ଘରୁ ଇସ୍ତଫା ପ୍ରଦାନ କରି ନୂତନ ସଙ୍ଘ ଗଠନ ନିମନ୍ତେ ନିଜର ସମର୍ଥନ ଜଣାଇବା ପୂର୍ବକ ବରିଷ୍ଠ ବିଜେପି ନେତା ଆମଳେନ୍ଦୁ ବେହୁରାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସଂଘ ଛାଡ଼ି ଆସିଥିବା ବୋଝେଇ ଶ୍ରମିକ ସେମାନଙ୍କ ଉପରେ ହୋଇଥିବା ଆର୍ଥôକ, ମାନସିକ ଅତ୍ୟାଚାର ସମ୍ବନ୍ଧରେ ଆଲୋଚନା କରିଥିଲେ । କିଭଳି ଭାବରେ ଶ୍ରମିକ ସଙ୍ଘର ନେତା, ଶ୍ରମିକ ଠିକାଦାର ଏବଂ ଘଡାଇ ପିତାପୁତ୍ର ମିଳିମିଶି ସେମାନଙ୍କ ସ୍ୱାଧୀନତା ଛଡେଇ ନେଇଥିଲେ ଏବଂ ଶ୍ରମିକ ମାନଙ୍କ ପ୍ରାପ୍ୟରୁ ଅନ୍ୟାୟ ଭାବରେ କାଟି ପକେଟ ଭରୁଥିଲେ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ମଜଦୂର ସଂଘ ବିରୁଦ୍ଧରେ କେହି ପାଟି ଖୋଲିଲେ ଚାକିରୀରୁ ବାହାର କରିଦିଆଯାଉଥିବା କାରଣରୁ ସେମାନେ ବିଜେପିକୁ ନିର୍ବାଚନରେ ଭୋଟ ଦେଇ ଜିତାଇଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ଶ୍ରମିକ ମାନଙ୍କୁ ନେଇ ନୂତନ ସଙ୍ଘ କରାଯାଇ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଅମଳେନ୍ଦୁ ବେହୁରା ପ୍ରତିଶ୍ରୁତି କହିଥିଲେ । ବୈଠକରେ ୩୭ ନମ୍ବର ଜୋନର ବିଜେପି ପ୍ରଭାରୀ ସତ୍ୟଜିତ ଦାଶ, ବିଜେପି ଯୁବ ନେତା ସବ୍ୟସାଚୀ ବଳସାମନ୍ତ, ଅନ୍ୟତମ ବରିଷ୍ଠ ସଂଗଠକ ସନ୍ଧିବିଗ୍ରହ ଘଡେଇ, ଦିଲୀପ ନାୟକ ଏବଂ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।