ଗଣ୍ଡାନାଳରେ କାରଖାନାର ବର୍ଜ୍ୟଜଳ, ଭାସିଲେ ବିଭିନ୍ନ ପ୍ରଜାତିର ମାଛ

ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳରେ ବହୁତ ଗୁଡିଏ କଳକାରଖାନା ସ୍ଥାପନ ପରେ ଶିଳ୍ପକୁ ଲାଗି ରହିଥିବା ଗାଁ ଗୁଡିକର ବାୟୁ ଜଳ ପ୍ରଦୂଷଣରେ ଘାଣ୍ଟି ହେଉଛନ୍ତି । ଅଭିଯୋଗ ପରେ ଅଭିଯୋଗ ତଥାପି ପ୍ରଦୂଷଣ ବିଭାଗ ନିଦଭାଙ୍ଗୁନି । ନାଁ ମାତ୍ର କେତେ ବେଳେ କେମିିତି ଚଢଉ କରୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ନିଆଯାଉନି । ବିଭାଗର ଲଗାମ ଛଡ଼ା ନୀତିରୁ କାରଖାନା କର୍ତୁପକ୍ଷ ମଝିରେ ମଝିରେ ଗଣ୍ଡାନାଳକୁ ବର୍ଜ୍ୟଜଳ ଛାଡ଼ି ଦେଉଛନ୍ତି । ଯାହାର ସିଧା ପ୍ରଭାବ ଚାଷ କ୍ଷେତ୍ରରେ ପଡୁଥିବା ବେଳେ ଜଳଜୀବ ମରିଯାଉଛନ୍ତି ।  ଏହାର ଏକ ଜ୍ୱଳନ୍ତ ଉଦାହରଣ ମଙ୍ଗଳପୁର ପଞ୍ଚାୟତରେ ରୁଙ୍ଗୁରୁଙ୍ଗା ଗାଁ ବାସୀ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଗ୍ରାମବାସୀଙ୍କ କହିବା କଥା ଦାନଗଦୀ ସୁକିନ୍ଦା ବ୍ଲକ ସୀମାନ୍ତରେ ଥିବା ମହାଗିରି ପର୍ବତରୁ ଯେଉଁ ଝରଣା ସବୁ ବାହାରି କୁସୁନୁପୁର ଗଣ୍ଡା ଦେଇ ଜୋକଡିଆ ନଦୀରେ ମିଶିଛି ସେଇ ଗଣ୍ଡାନାଳ ଆମ ପଞ୍ଚାୟତର ନୂଆଁଗାଁ, ରୁଙ୍ଗୁରୁଙ୍ଗା, ବାଳୁଙ୍ଗାବନ୍ଦୀ ଦେଇ ଯାଇଛି । ବର୍ଷା ଦିନେ ଗଣ୍ଡାନାଳ ଜଳ ପୂର୍ଣ୍ଣ ହୋଇଯାଉଥିବାରୁ କାରଖାନା ପାଣି ଛାଡିଲେ ଜଣା ପଡେନାହିଁ । ଦିନକୁ ଦିନ ଚିରସ୍ରୋତା ଗଣ୍ଡା ନାଳ କ୍ଷୀଣସ୍ରୋତା ହେବା ଫଳରେ ଖରାଦିନେ ଜଳ ସୁଖିକମି ଯାଇଛି । ଏହି ସମୟରେ ଗତକାଲି ରାତିରେ ନୀଳାଚଳ, ଟାଟା, ଜିନ୍ଦଲ କି ଭିସା କେଉଁ କାରଖାନା ନିଶ୍ଚତ ଭାବେ କେମିକାଲ ମିଶା ପାଣି ଛାଡ଼ିଛି । ତେଣୁ ସକାଳୁ ସକାଳୁ ମାଛ ମରି ପାଣିରେ ଭାସୁଛନ୍ତି । ସମ୍ପୂର୍ଣ୍ଣ ଗଣ୍ଡା ପାଣିର ରଙ୍ଗ ଲାଲ ହୋଇ ତେଲ ଭାସୁଥିବା ପରି ଦେଖାଯାଉଛି । କେଉଁ ପୁରୁଣା କାଳରୁ ଥିବା ଏହି ଗଣ୍ଡା ନାଳ ଉପରେ ଆଖପାଖର ଶହ ଶହ ଚାଷୀ, ଗ୍ରାମବାସୀ ନିର୍ଭର କରି ଚାଷ କରିବା ସହ ଗାଧୁଆ ପାଧୁଆ କରୁଥିବା ବେଳେ କାରଖାନା ପାଣି ଛାଡ଼ିବା ଦିନ ଠାରୁ ଗାଈ, ଛେଳି ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି । ଚାଷରେ ପାଣି ମଡ଼ାଇଲେ ଚାଷ ଉଜୁଡି ଯାଉଛି । ଗଣ୍ଡା ପାଣିରେ ଗାଧୋଇଲେ କୁଣ୍ଡାଇ ହୋଇ ଚର୍ମ ରୋଗ ହେଉଛି । ଏହି ଘଟଣାକୁ ନେଇ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ହେଁ ସେ ଛୁଟିରେ ରହିଥିବା ଜଣାଇଥିଲେ । ଦାୟିତ୍ୱ ରେ ଥିବା ବାବୁଙ୍କୁ ପଚାରିବାରୁ ମୁଁ ଏ ଖବର ଆପଣଙ୍କ ଠାରୁ ଶୁଣିଲି, କଣ ହୋଇଛି କ୍ଷେତ୍ର ପରିଦର୍ଶନ କଲା ପରେ କହିବି ବୋଲି ଉତ୍ତର ରଖିଥିଲେ । ଏପରି ଜଳ ପ୍ରଦୂଷଣକୁ ରୋକିବା ସହ ବାସ୍ତବରେ ଯଦି ଏହା ଉପରେ କଡା କାର୍ଯାନୁଷ୍ଠାନ ନହୁଏ ଆଗାମୀ ଦିନରେ ଜନ ଅସନ୍ତୋଷ ଆନେ୍ଦାଳନର ରୂପ ନେବ ଏଥିରେ ତିଳେ ମାତ୍ର ସନେ୍ଦହ ନାହିଁ ।