ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷିକୁ ନେଇ ଉଠିଲାନି ପ୍ରଶ୍ନ

 କୁଆଖିଆ: ରସୁଲପୁର ପଣ୍ଟାୟତ ସମିତି ବୈଠକ ଅଧ୍ୟକ୍ଷ ଅରୁଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଡିଓ ସତ୍ୟାନନ୍ଦ ଦାସ ସୂଚନା ପ୍ରଦାନ ପରେ ଜିପିଓ ଶୈାରଭ ପଲ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । 
ଦୀର୍ଘ ୧ବର୍ଷ ପରେ ଅନୁଷ୍ଠିତ ବୈଠକରେ କୋରେଇ ବିଧାୟକ ଆକାଶ ଦାସନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ, ରାଜ୍ୟସଭା ସାଂସଦ ସୁଲତା ଦେଓ, ଲୋକସଭା ସାଂସଦ ପ୍ରତିନିଧି ଯୋଗ ଦେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ । ପୂର୍ବ ବିବରଣୀକୁ ଆଧାର କରି ରାଜସଭା ସାଂସଦ ସୁଲତା ଦେଓ ଦୀର୍ଘବର୍ଷ ଧରି ସ୍ୱଳ୍ପ ବେତନ ରେ କାର୍ଯ୍ୟ କରୁଥିବା ଗଗନ ସାହୁ ଏବଂ କୁଶ ପରିଡ଼ାଙ୍କ ଚାକିରୀର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠାଇଥିଲେ । ଏହାର ସଠିକ୍ ଉତର ମିଳି ନଥିଲା ବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂଆ ସଂଯୋଗ ,ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ୨୩,୬୦୮ ଜଣ ଭତା ପାଉଥିବା ହିତାଧିକାରୀଙ୍କ ମଧ୍ୟରୁ କେତେଜଣଙ୍କ ମୃତୁ୍ୟ କାଳୀନ ହିସାବ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିବା ସହ ଦଳମତ ନିର୍ବିଶେଷରେ ପ୍ରତ୍ୟେକ ଲୋକଙ୍କ ପାଇଁ କାମ ହେବାକୁ ପରାମର୍ଶ ଦେଇଥିଲେ । ୨୦୨୨-୨୩ ଓ ୨୪-୨୫ ଆର୍ଥôକ ବର୍ଷ ପାଇଁ ପୂର୍ବ ସରକାରଙ୍କ ୧୩ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟବରାଦରୁ ୭କୋଟି ଟଙ୍କା ଖର୍ଚ୍ଚ ନହୋଇ ଫେରିଯିବା ନେଇ ପ୍ରଶ୍ନ କରିଥିଲେ ବରୀ ବିଧାୟକ । ବରୀ ନିର୍ବାଚନ ମଣ୍ଡଳୀର ୧୦ ପଞ୍ଚାୟତକୁ ରସୁଲପୁର ବ୍ଲକ ଅଣଦେଖା କରୁଛି ବୋଲି ଅଭିଯୋଗ କରି ବ୍ଲକ ସମ୍ମୁଖରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି । ରାଜନୀତି ଲୋକ ପଇସା ଦେଖନ୍ତି ନାହିଁ ବରଂ ସମ୍ମାନ ଦେଖନ୍ତି ସେଥିପାଇଁ ରାଜନୈତିକ ନେତାଙ୍କ ସହ ସରକାରୀ କର୍ମଚାରୀ ମାନେ ସମନ୍ୱୟ ରଖି କାମ କରିବା ଦରକାର ବୋଲି କହିବା ସହିତ ବର୍ତମାନ ସମିତି ବୈଠକ କେବଳ ମିଟିଂ ସିଟିଂରେ ସୀମିତ ରହିଛି ବୋଲି କହିଥିଲେ । ବର୍ତମାନର ଗ୍ରୀଷ୍ମ ଋତୁରେ ବ୍ଲକର ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ ଗୁଡିକ ସ୍ଥିତି ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ କେତେକ ପ୍ରଶ୍ନ କରି ଥିଲେ ହଁ ବିଭାଗୀୟ ଅଧିକାରୀ ସନ୍ତୋଷ ଜନକ ଉତର ନଦେଇ ତଥ୍ୟ ଲୁଚାଇବା ପାଇଁ ଚେଷ୍ଟା କରିଥିଲେ । ସେହିପରି ରସୁଲପୁର ତହସିଲ ଅଞ୍ଚଳରେ ବ୍ୟାପକ ବେଆଇନ ବାଲି ଉଠାଣ ନେଇ ବରୀ ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ରସୁଲପୁର ତହସିଲ ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁଙ୍କୁ ପ୍ରଶ୍ନ କରିଥିବାବେଳେ ଉତରରେ ଶ୍ରୀଗୁରୁ ବାଲି ଜିଲା ଖଣିଜ ବିଭାଗର ଅଧିନରେ ଯାଉଥିବାରୁ ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଛି ବୋଲି କହିଥିଲେ । ସରକାର ଲୋକଙ୍କର ସେଥିପାଇଁ ସମାଜର ତଳ ପାହାଚରେ ଛିଡା ହେଇଥିବା ଲୋକଙ୍କ କାମକୁ ପ୍ରାଥମିକତା ଦେବା ଉଚିତ୍ ବୋଲି କୋରେଇ ବିଧାୟକ ଶ୍ରୀଯୁକ୍ତ ଦାସ ନାୟକ ଏବଂ ଧର୍ମଶାଳା ବିଧାୟକ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।