ପୂର୍ତ୍ତ ବିଭାଗର ଅଣଦେଖା : ରେଲୱେ ଓଭରବ୍ରିଜରେ ଝୁଲଛି କଙ୍କ୍ରିଟ ବାଡା 

ଢେଙ୍କାନାଳ : ଢେଙ୍କାନାଳ କାମାକ୍ଷାନଗର ରାସ୍ତାର  ସହର ଉପକଣ୍ଠ ରଣପଶି ନିକଟରେ ଅଛି ରେଳ ଓଭର ବ୍ରିଜ । ଏହି ରାସ୍ତା ଦେଇ କଟକ ଭୁବନେଶ୍ୱରରୁ ଦୈନିକ ଶହ ଶହ ଗାଡିମଟର କାମାକ୍ଷାନଗର, ରାଉରକେଲା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼ ଆଦି ଅଞ୍ଚଳକୁ ଯାତାୟାତ କରିଥାଏ । କିଛି ମାସ ହେବ ଏହି ଓଭରବ୍ରିଜର ପାର୍ଶ୍ୱସ୍ଥ ସୁରକ୍ଷା ବାଡର କିଛି ଅଂଶ ଭାଙ୍ଗି ତଳକୁ ଝୁଲିରହିଛି । ଏହା ପୂର୍ତ୍ତ ବିଭାଗ ଅଧୀନରେ ଥିବାବେଳେ ସେମାନେ ଏକ ବଡ ବିପଦକୁ ଅପେକ୍ଷାକରି ଏହାକୁ ମରାମତି କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏହି ଭଙ୍ଗା ଅଂଶରେ କେତେ ଖଣ୍ଡ ବାଉଁଶ ବାନ୍ଧି ନିଜର ଦାୟତ୍ୱ ସାରିଦେଇଛନ୍ତି । ପ୍ରଶାସନିକ କର୍ତ୍ତୃପକ୍ଷ ଓ ଅଧିକାରୀ ଏହି ରାସ୍ତାରେ ସର୍ବଦା ଯାଆସ କରୁଥିଲେ ବି କାହାର ବି ଏଥିପ୍ରତି ନିଘା ନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ କିଛି ମାସ ତଳେ କୈଣସି ଏକ ଅଜଣା ଭାରିଯାନ ସେହି ବାଡାରେ ପିଟିହେବା ଦ୍ୱାରା ତାହା ଭାଙ୍ଗି ଯାଇଛି । ତେବେ ଦୁର୍ଘଟଣାରେ କଂକ୍ରିଟର ଗୋଟିଏ ପାଖ ଭାଙ୍ଗି ଅଧା ଅଂଶ ଝୁଲି ରହିଥିବା ବେଳେ, ଆଉ ଗୋଟିଏ ପାଖର କିଛି ଅଂଶ ବ୍ରିଜରେ ଲାଗି ରହିଛି । ତଳେ ସାଧାରଣ ରାସ୍ତା ସହ ନିକଟରେ ଜନବସତି, ଘର, ବିଦ୍ୟାଳୟ ଆଦି ରହିବା ସହ ବିଦ୍ୟାଳୟ ବସ୍ ଭ୍ୟାନ୍ ଓ ସାଧାରଣ ଲୋକମାନେ ସେହିତଳ ଦେଇ ଅତି ବିପଦପୂର୍ଣ୍ଣ ଭାବେ ଯାଆଆସ କରୁଛନ୍ତି । ତାଛଡା ତଳେ ନିକଟରେ ଟ୍ରେନ୍ ଲାଇନ୍ ରେ ମଧ୍ୟ ଅହରହ ଟ୍ରେନ ଯିବାଆସିବା କରୁଛି । ଦରଭଙ୍ଗା ବାଡା ସମ୍ପୂର୍ଣ୍ଣ ଭାଙ୍ଗାଯାଇ ଆଉଥରେ ନୂଆ କରିବା ବଦଳରେ ତା ଆଗରେ ବାଉଁଶ ବାଡା ବାନ୍ଧି ସୁରକ୍ଷା କାମ ଚଳାଯାଇଥିବା ବେଳେ ଓଜନିଆ ସିମେଣ୍ଟ କଙ୍କ୍ରିଟ ଖମ୍ବଗୁଡିକ ଅତି ବିପଦପୂର୍ଣ୍ଣ ଭାବେ ତଳକୁ ସେମିତି ଝୁଲି ରହିଥିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଶାସନ ଚେଇଁ ଶୋଇଲା ପରି କୌଣସି କଥା ଜାଣି ଅଜଣା ହେଉଥିବା ଏମିତିକି ବାରମ୍ବାର ଅଭିଯୋଗ କଲେମଧ୍ୟ  ଜନସାଧାରଣ ଙ୍କ ସ୍ୱାର୍ଥ ଦୃଷ୍ଟିରୁ ସାମାନ୍ୟ ପ୍ରତିକ୍ରିୟାଶୀଳ ନହେବା ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି  । ଏଥିସହ ଏସବୁ ରାସ୍ତାବାଡ ବାଟଘାଟ ଛୋଟଛୋଟ ସମସ୍ୟା ଗୁଡିକ ବି ଯାହା ଭବିଷ୍ୟତରେ ବଡ଼ ବଡ଼ ବିପଦର ଆଶଙ୍କା ସୃଷ୍ଟି କରୁଛି ସେସବୁ ତୁରନ୍ତ ସମାଧାନ ପାଇଁ ପ୍ରଶାସନ ଯତ୍ନବାନ୍ ହେବାକୁ ସାଧାରଣରେ ଦାବି ଜୋର ଧରିଛି ।