ଦାଉ ସାଜିଲା ଅଦିନିଆ ବର୍ଷା, ଉଜାଡିଲା ଫସଲ 

 ଯାଜପୁର ସଦର: ଯାଜପୁର ବ୍ଲକ୍ ଅଞ୍ଚଳରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ କ୍ଷେତ ମଧ୍ୟରେ ପାଣିରେ ପଡ଼ି ଧାନ ଗଜା ହେଲାଣି । ବିରି, କୋଳଥ, ମୁଗ, ସୋରିଷ, ବାଦାମ ଓ ପନିପରିବା ଫସଲରେ ବର୍ଷା ଯୋଗୁଁ ଗରଣ୍ଡା ପୋକ, କାଙ୍କିଡିଆ ପୋକ, ଗୁଣ୍ଡି ପୋକ, ଯୋଉଆ ପୋକ ଲାଗିବା ଫଳରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଗାମୀ କିଛିଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ । ତେବେ ବିଚରା ଚାଷୀ କଣ କରିବ, କି ଉପାୟ ଅବଲମ୍ବନ କରିବ ଚିନ୍ତା କରି ପାରୁ ନଥିବା ବେଳେ ସରକାର ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମଣ୍ଡି ଖୋଲି ପାରୁନାହାନ୍ତି । ଧାନକିଣା ଉପରେ ଲଗାଯାଇଥିବା କଟକଣାରେ ବଳି ପଡୁଛି ଚାଷୀ । ବିଭିନ୍ନ ପ୍ରକାର ସରକାରୀ ଓ ବେସରକାରୀ ସଂସ୍ଥାରୁ ରୁଣ କରି ଚିନ୍ତାରେ ଚାଷୀ କୂଳ । ରାଜ୍ୟ ସରକାର ଚାଷୀର କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ମାଗିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କୃଷି ଅଧିକାରୀ କ୍ଷୟକ୍ଷତିର ଆକଳନ ପାଇଁ ଆସୁନାହାନ୍ତି । ଏତିକି ବେଳେ ଏହି ଅଂଚଳର କିଛି ଚାଷୀ ଧରଣୀ ସାହୁ, ଆର୍ତତ୍ରାଣ ବଳ, କ୍ଷେତ୍ରବାସୀ ମଳିକ, ଉପନ ମଳିକ,ପ୍ରକାଶ ପ୍ରଧାନ, ପ୍ରମୋଦ ପଲେଇ, ମଧୁସୂଦନ ଯେନା, ଆନନ୍ଦ ମଳିକ, ଭାଗବତ ରାଉତ, ବିଷ୍ନୁ ଯେନା, ମହେନ୍ଦ୍ର ଯେନା, ହରିହର ଦାସ, ରବିନ୍ଦ୍ର ମଳିକ, ଶରତ ମଲିିକ, ବ୍ରଜ ମଳିକ ଆଦି ଚାଷୀ ମାନେ ସ୍ଥାନୀୟ କୃଷକ ସାଥି ମୋହନ ସୁନ୍ଦର୍ ରାଉତ, ଗ୍ରାମ୍ୟ କୃଷି କର୍ମଚାରୀ ମାନସ କୁମାର ମଲିକ ଓ ବିଶିଷ୍ଟ ସମବାୟବିତ୍ ବ୍ରଜକିଶୋର ପାଢୀଙ୍କ ଉପସ୍ଥିତିରେ ଉଜୁଡ଼ି ଯାଇଥିବା ଫସଲ ସମ୍ପର୍କରେ ଅବଗତ କରାଇଥିଲେ । ରାଜ୍ୟସରକାର କୃଷକମାନଙ୍କ କ୍ଷୟକ୍ଷତି ଭରଣା ନକଲେ ସମୁହ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।