ପୁଅକୁ ଫେରି ନପାଇ ଦୁଃଖରେ ଦିନ କାଟୁଛି ମା’

 ଖଣ୍ଡପଡ଼ା : ଖଣ୍ଡପଡ଼ା ଥାନା ଅଧିନ ଖଳିସାହି ଗ୍ରାମର ଚିନ୍ମୟୀ ବାରିକ (୩୦)ଙ୍କୁ ସ୍ୱାମୀଙ୍କ ସମେତ ଶାଶୂଘର ପରିବାରବର୍ଗ ଅଧିକ ଯୌତୁକ ଦାବିରେ ଶାରୀରିକ ଓ ମାନସିକସ୍ତରରେ ନିର୍ଯ୍ୟାତନା ଦେବା ପରେ ନିର୍ଯାତନା ସହି ନପାରି ସଂପୃକ୍ତ ମହିଳା ଜଣକ ଏବେ ବାପ ଘରେ ଆଶ୍ରୟ ନେଇଥିବା ଜଣାପଡିଛି । ସଂପୃକ୍ତ ମହିଳାଙ୍କର ଏକ ୩ ବର୍ଷ ୬ ମାସର ଶିଶୁପୁତ୍ର ଆୟୁଷ୍ମାନକୁ ଶାଶୂଘର ଲୋକେ ପାଖରେ ରଖିଥିବା ବେଳେ ପୁଅକୁ ଫେରି ପାଇବା ପାଇଁ ମହିଳା ଜଣକ  ନୟାଗଡ ଜିଲ୍ଲା ଅଧିନ ଦର୍ପନାରାୟଣପୁର ଫାଣ୍ଡିରେ ପ୍ରଥମେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଫାଣ୍ଡି ପୁଲିସ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପରବର୍ତ୍ତୀ ସମୟରେ ନ୍ୟାୟ ପାଇବା ନିମନ୍ତେ ମହିଳା ଜଣଙ୍କ ନୟାଗଡ ଉପ ଜିଲ୍ଲାପାଳ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଲିଖିତ ଅଭିଯୋଗ କରିଥିଲେ । ନାବାଳକ ପୁତ୍ରକୁ ଫେରି ପାଇବା ପାଇଁ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରି ନିରାଶ ହେବା ପରେ ଶେଷରେ ମହିଳା ଜଣଙ୍କ ଖଣ୍ଡପଡ଼ା ଥାନାରେ ସ୍ୱାମୀଙ୍କ ସମେତ ଶାଶୂଘର ପରିବାରବର୍ଗଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ହାତବାନ୍ଧି ବସିଥିବାରୁ ଅଭିଯୋଗକାରୀଣି ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ପୁଅର ଜୀବନ ପ୍ରତି ବିପଦଥିବାରୁ ମହିଳା ଜଣକ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏହି ସମ୍ବେଦନଶୀଳ ଘଟଣା ପ୍ରତି ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦୃଷ୍ଟିଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରୀଣିଙ୍କ ବାପଘର ପରିବାରବର୍ଗ ଦାବି କରିଛନ୍ତି । ପ୍ରକାଶଥାଉକି ବୈଦିକ ହିନ୍ଦୁ ରୀତିନୀତି ଅନୁଯାୟୀ ଅଭିଯୋଗକାରିଣୀ ମହିଳାଙ୍କର ବିବାହ ନୟାଗଡ ଜିଲ୍ଲାର ରଣପୁର ଥାନା ଅଧିନ ଖତିଆ ଗ୍ରାମର ଅଶୋକ କୁମାର ଡାକୁଆଙ୍କ ସହ ଅନୁଷ୍ଠିତ ହୋଇଥିଲା । ବିବାହ ସମୟରେ ସମସ୍ତ ଯାନିଯୌତୁକ ବାପଘର ପକ୍ଷରୁ ଦିଆଯାଇଥିଲେ ହେଁ ଅଧିକ ଯୌତୁକ ଦାବିରେ ଶାଶୂଘର ପରିବାରବର୍ଗ ଉକ୍ତ ମହିଳାଙ୍କୁ ବାରମ୍ବାର ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି ।