ହେଉନି ରାସ୍ତା ମରାମତି, ଯାତାୟାତ ବାଧାପ୍ରାପ୍ତ
ବୈଶିଙ୍ଗାରୁ ବିମଳେନ୍ଦୁ ମହାପାତ୍ର : ସାଧାରଣ ଲୋକଙ୍କ ଗମନାଗନର ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କିଛି ସରକାରୀ ଅଧିକାରୀଙ୍କ ଦାୟିତ୍ୱହୀନତା ଓ କିଛି ରାଜନେତାଙ୍କୁ ବେପୁରିଆ ମନୋଭାବ ଯୋଗୁଁ ଅନେକ ସ୍ଥାନରେ କଚ୍ଚା ରାସ୍ତା ନିର୍ମାଣ ହେଉନଥିବାବେଳେ କେତେକ ସ୍ଥାନରେ ରାସ୍ତା ମରାମତି ନ ହୋଇ ଖାଲଖମା ଅବସ୍ଥାରେ ପଡିରହିଥାଏ । ଯାହାଫଳରେ ସ୍ଥାନୀୟ ବାସିନ୍ଦାମାନେ ଯାତାୟତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯାହାର ନଗ୍ନ ଉଦାହରଣ ପାଲଟିଛି ଖୁଣ୍ଟାପୁର-ଅସ୍ତପୁରା ଗ୍ରାମ୍ୟ ସଡ଼କରେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ଖୁଣ୍ଟାପୁର ସ୍କୁଲ ଛକ ଠାରୁ ଅସ୍ତପୁରା ନିକଟରେ ବୈଶିଙ୍ଗା-ରୁପ୍ସା ଏମଡିଆର ୭୦କୁ ସଂଯୋଗ କରୁଥିବା ଦେଢ କିମି ରାସ୍ତାଟିକୁ ପ୍ରାୟ ୩୦ବର୍ଷ ତଳେ ପିଚୁ ରାସ୍ତା ତିଆରି କରାଯାଇଥିଲା । ବର୍ତ୍ତମାନ ଏହି ରାସ୍ତାରେ ବଡବଡ ମେଟାଲ ସବୁ ଉଠିଯାଇ ରାସ୍ତାରେ ବିଛୁଡି ହୋଇ ପଡିଥିବାରୁ ଗାଡି ମଟର ଚାଲିବା ତ ଦୂରର କଥା ଖାଲି ପାଦରେ ଚାଲିବା ମଧ୍ୟ କଷ୍ଟକର ହୋଇପଡିଛି । ଏହି ୩୦ବର୍ଷ ମଧ୍ୟରେ କେତେ ସାଂସଦ, ବିଧାୟକ ଓ ସରପଞ୍ଚ ନିଜର ଦାୟିତ୍ୱ ନିଭାଇ ବିଦାୟ ହୋଇ ଯାଇଛନ୍ତି, ମାତ୍ର ଏହି ରାସ୍ତା ପ୍ରତି କାହାରି ଦରଦ ଥିବା ଭଳି ପରିଲକ୍ଷିତ ହୋଇନାହିଁ । ଏହି ୩୦ବର୍ଷ ମଧ୍ୟରେ ବିଜୁ ଜନତାଦଳ ୨୫ବର୍ଷ କ୍ଷମତାସୀନ ଥାଇ ମଧ୍ୟ ଏହି ରାସ୍ତା ପ୍ରତି ଗୁରୁତ୍ୱ ନ ଦେବା ପରିତାପର ବିଷୟ ପାଲଟିଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ପ୍ରଥମ କରି ଶାସନ ଭାର ଗ୍ରହଣ କରିବାର ପାଞ୍ଚ ମାସ ପୂର୍ତ୍ତି ହୋଇଥିବାବେଳେ ଏହି ରାସ୍ତାର ଅବସ୍ଥା ସୁଧୁରିବା ନେଇ ଖୁଣ୍ଟାପୁର ଗ୍ରାମବାସୀ ବହୁ ଆଶାବାଦୀ ଥିବା ଜଣାଯାଇଛି । ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତା ମରାମତିର ଆବଶ୍ୟକତାକୁ ଉପଲବ୍ଧି କରି ନିର୍ମାଣ ପ୍ରତି ଗୁରୁତ୍ୱ ଦେଲେ ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ ।