ରାତ୍ରିକାଳୀନ ବସ୍ ସେବା ଯୋଗାଇବାକୁ ଦାବି
ନୂଆପଡା : ନୂଆପଡା ଜିଲ୍ଲାର ଖଡ଼ିଆଳ ହେଉଛି ଏକ ପ୍ରମୁଖ ସହର । ଯାତ୍ରୀବାହୀ ବସର ଯାତାୟତର ସବୁ ପ୍ରକାର ସୁବିଧା ଥିବାରୁ ଖଡ଼ିଆଳକୁ ସାରା ରାଜ୍ୟରୁ ବସ୍ ଯାତାୟତ କରିଥାଏ । ସୂଚନା ମତେ ଖଡ଼ିଆଳ ଠାରୁ ସନ୍ଧ୍ୟା ୫ ଘଣ୍ଟା ସମୟରେ ନୂଆପଡାକୁ ଯିବାକୁ ବସ ରହିଛି । ସନ୍ଧ୍ୟା ୫ ଟା ପରେ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ କୌଣସି ବସ ଆଉ ନାହିଁ । ଯାହାଫଳରେ ଖରିଆର ରୋଡ଼, ନୂଆପଡା ଓ କୋମନା ପଟୁ ଆସିଥିବା ଯାତ୍ରୀମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । କୋମନା, ନୂଆପଡା ଓ ଖରିଆର ରୋଡ଼ ପଟରୁ ଅନେକ ଲୋକ ଖଡ଼ିଆଳ ସହର ସମେତ ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟ ସମାପନ କରି ସନ୍ଧ୍ୟା ୬ ଘଣ୍ଟାରୁ ୭ ଘଣ୍ଟା ସମୟରେ ଫେରିଥାନ୍ତି । କିନ୍ତୁ ସରକାରୀ କିମ୍ବା ବେସରକାରୀ ବସ୍ ଏହି ସମୟ ମଧ୍ୟରେ ଯାତାୟତ କରୁ ନଥିବାରୁ ଯାତ୍ରୀ ମାନଙ୍କୁ ରାତ୍ର ୧୦ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବାଧ୍ୟ ହୋଇଥାଏ । ଅନେକ ବ୍ୟକ୍ତି ଏହି ସମୟ ମଧ୍ୟରେ ବସ ସୁବିଧା ନ ଥିବାରୁ ବାଇକ୍ରେ ଯାତାୟାତ କରିବା ପାଇଁ ବାଧ୍ୟ ହୋଉଥାନ୍ତି । ବାଇକରେ ଯାତାୟାତ ଦ୍ୱାରା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ ବୋଲି ଦୁଃଖର ସହ ଜଣେ ଯାତ୍ରୀ ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସନ୍ଧ୍ୟା ୭ ଘଣ୍ଟା ସମୟ ଏକ ବସ୍ ଚଳାଇବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।