ଧ୍ୱଂସ କରି ଦେଲେଣି ମାଫିଆ: ଇତିହାସ ପାଲଟିଯିବ କି ଐତିହାସିକ ଧାଉଡ଼ିଆପଦା ପାହାଡ?
ଯାଜପୁର: ଦର୍ପଣ ତହସିଲ ଅଧୀନ ଚାରିନଙ୍ଗଳ ପଞ୍ଚାୟତରେ ରହିଛି ଐତିହାସିକ ଧାଉଡ଼ିଆପଦା ପାହାଡ଼ । ଯାହା ଉପରେ ପଡ଼ିଛି ମାଫିଆଙ୍କ ଲୋଲୁପ ଦୃଷ୍ଟି । ମାଫିଆ ରୀତିମତ ଦାମୀ ପଥର ସହ ମୋରମ ଲୁଟିବାରେ ଲାଗିଛନ୍ତି । ଐତିହାସିକ ଧାଉଡ଼ିଆପା ପାହାଡ଼ରୁ ଯେଭଳି ଭାବେ ଦାମୀ ପଥର ଏବଂ ମୋରମ ଲୁଟ୍ ହେଉଛି, ଯଦି ଏଥିରେ ରୋକ୍ ଲଗାନଯାଏ, ତେବେ ବର୍ଷ କେଇଟାରେ ତାହା ଇତିହାସ ପାଲଟିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନି । ଦର୍ପଣ ତହସିଲ ଅଧୀନ ଏହି ଐତିହାସିକ ଧାଉଡ଼ିଆପଦା ପାହା କେବେ କାହାରିକୁ ନିଲାମ ଦିଆଯାଇ ନ ଥିବାବେଳେ ଚୋରା ପଥର ବେପାରୀମାନେ ରାତି ସାରା ପାହାଡ଼କୁ ଖୋଳି ଧ୍ୱଂସ କରିସାରିଲେଣି । ରାତି ତମାମ ପାହାଡକୁ ଖନନ କରି ଦାମୀ ମୁଲ୍ୟବାନ ପଥର ଗୁଡିକୁ ବାହାରକୁ ଚୋରା ଚାଲାଣ କରୁଛନ୍ତି । ଏପରିକି ଏହି ପାହାଡର ମୋରମ ରାସ୍ତା କାର୍ଯ୍ୟରେ ବ୍ୟବହାର ହେଉଥିବା ବେଳେ ଟ୍ରିପ ପିଛା ୨୦ ରୁ ୪୦ହଜାର ଟଙ୍କାରେ ବିକ୍ରି ହେଉଛି ।
କୃଷ୍ଣଦାସପୁର-ରନôଗିରି ରାସ୍ତା କଡରେ ରହିଥିବା ଏହି ପାହାଡଟି ଏକ ଅତ୍ୟନ୍ତ ମନଲୋଭା । ଏହାର ଅପରପାର୍ଶ୍ୱରେ ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି ରହିଛି । ଉଦୟଗିରିକୁ ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ, ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସିଥାନ୍ତି । ଏହି ପାହାଡ଼ରୁ ହଜାର ହଜାର ଗଛ କାଟି ନେଇ ପାହାଡକୁ ଲଣ୍ଡା କରି ସାରିଲେଣି ମାଫିଆ । ଦାଇତ୍ୱରେ ଥିବା ବନ ଅଧିକାରୀଙ୍କ କିନ୍ତୁ ନାହିଁ ଏଥିପ୍ରତି ଦୃଷ୍ଟି । ମାଫିଆଙ୍କ ନିକଟରୁ ରେଞ୍ଜର ଏବଂ ଫରେଷ୍ଟର ମାସିକିଆ ନେଇ ଚୁପ ବସିବାକୁ ଉଚିତ୍ ମଣୁଛନ୍ତି । ପାହାଡ ପର୍ବତକୁ ସୁରକ୍ଷା ଦେବା ବନଖଣ୍ଡ ବାବୁଙ୍କ ହୋଇଥିବା ବେଳେ, କାହିଁକି ଧାଉଡିଆପଦା ପାହାଡକୁ ସୁରକ୍ଷା ଦେଇ ନାହଁନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ଖାଲି ସେତିକି ନୁହେଁ ପାହାଡ଼ ଉପର ଭାଗରେ ଷୋଳପୁଅ ମା'ଠାକୁରାଣୀ ରହିଥିବା ବେଳେ, ଏହାର ଅନତି ଦୂରରେ ହିନ୍ଦୁ ଓ ମୁସଲମାନଙ୍କ ସର୍ବଧର୍ମ ସମନ୍ୱୟସ୍ଥଳୀ ସତ୍ୟପୀର ପୂଜା ପାଉଛନ୍ତି । ଐତିହାସିଙ୍କ ମତରେ ବୌଦ୍ଧପୀଠ ଉଦୟଗିରିରେ ଯେଉଁ ବୌଦ୍ଧ ଭିକ୍ଷୁମାନେ ରହୁଥିଲେ ତାହା ଧାଉଡ଼ିଆପଦା ଥିଲା । ସେମାନେ ସକାଳର ସୂର୍ଯେ୍ୟାଦୟ ଧାଉଡିଆପଦା ପାହାଡରେ ଦର୍ଶନ କରିବା ସହ ସୂର୍ଯ୍ୟପୂଜା କରୁଥିଲେ । ସୌନ୍ଦର୍ଯ୍ୟମୟ ଏହି ପାହାଡ଼କୁ ଖନନ କରାଯିବା ଦ୍ୱାରା ଏହା ବିକୃତ ଅବସ୍ଥାକୁ ଆସିଗଲାଣି । ଲଳିତଗିରି, ରନôଗିରି ଓ ଉଦୟଗିରିକୁ ହୀରକ ତ୍ରିଭୁଜଭାବେ ପରିଗଣିତ କରାଯାଉଛି । ଏହାକୁ ଯଦି ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ଦାବି ହୁଏ ତେବେ ପାହାଡ଼ ଖନନ ବନ୍ଦ କରିବା ଆବଶ୍ୟକ ବୋଲି ଐତିହାସିକ ମତ ରଖିଛନ୍ତି । ଯାହାର ବକ୍ଷଚିରି ମାଫିଆ ଦାମୀ ପଥର ଓ ମୋରମ ଲୁଟି ଚାଲିଛନ୍ତି । ହେଲେ ଖଣି ବିଭାଗ ଐତିହାସିକ ପାହାଡ଼ ସୁରକ୍ଷା ଦିଗରେ କୌଣସି କଠୋର ପଦକ୍ଷେପ ନେବାକୁ ସମର୍ଥ ହେଉନଥିବା ବେଳେ ସ୍ଥାନୀୟ ପୁଲିସ ଏବଂ ପ୍ରଶଧ୍ନ ମଧ୍ୟ ପଥର-ମୋରମ ଚୋରିକୁ ରୋକିବା ଦିଗରେ କଠୋର ହେଉ ନାହାନ୍ତି ।