ଏମିତି କେତେ ଦିନ? କରିଡ଼ର ରାସ୍ତାରେ ପଡ଼ୁଛି ପ୍ୟାଚ

 ଯଖପୁରା:  କଳିଙ୍ଗନଗର ଶିଳ୍ପାଞ୍ଚଳ ଯେତିକି ଚଳଚଞ୍ଚଳ ସେତିକି ଦୁର୍ବଳ । ପ୍ରତିଦିନ ଏହି ଅଞ୍ଚଳରେ ହଜାର ହଜାର ଗାଡ଼ି ଯିବା ଆସିବା କରିଥାନ୍ତି । କଳିଙ୍ଗନଗର ଶିଳ୍ପାଞ୍ଚଳକୁ ନିରିଖେଇ ଦେଖିବା ତେବେ ସମସ୍ତ କରିଡ଼ର ରାସ୍ତାର ଅବସ୍ଥା ଶୋଚନୀୟ ଅବସ୍ଥାରେ ରହିଛି । ଗାଡ଼ି ମୋଟରକୁ ଲୋକ ସଂଖ୍ୟା ତୁଳନାରେ ରାସ୍ତା ସେତିକି ଉପଲବ୍ଧ ନୁହଁ ।  ଯେଉଁ ରାସ୍ତା ଅଛି ତାହା ପୁଣି ବିପଦ ପୂର୍ଣ୍ଣ । ଯେତେ କରିଡ଼ର  ରାସ୍ତା ଅଛି ମିଲିଟାରୀ ଛକ ଠାରୁ ଆରମ୍ଭ ହୋଇ ପଙ୍କପାଳ ପର୍ଯ୍ୟନ୍ତ ଲମ୍ବିଥିବା ବିଜୁ ପଟ୍ଟନାୟକ ମାର୍ଗ ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ରାସ୍ତାଟି ଦୁଇ ଦୁଇଟି ଜାତୀୟ ରାଜପଥକୁ ସଂଲଗ୍ନ କରୁଛି । ଏହା କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରମୁଖ ରାସ୍ତା । କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳାରେ ଥିବା ରାସ୍ତାଟି ସବୁବେଳେ ଚଳ ଚଞ୍ଚଳ । ରାସ୍ତା ଉପରେ ସ୍ଥାନୀୟ ଅଞ୍ଚଳର ଆଖପାଖ ପ୍ରାୟ ଦଶ ଗୋଟି ପଞ୍ଚାୟତର ୩୦ ରୁ ୪୦ ହଜାର ଲୋକ ନିର୍ଭର କରନ୍ତି । ତା ସହିତ ପାଖ ନିର୍ବାଚନ ମଣ୍ଡଳୀ କୋରେଇ, ଧର୍ମଶାଳାର ଲୋକମାନେ ମଧ୍ୟ ରାସ୍ତ ଉପରେ ନିର୍ଭରଶୀଳ । ବ୍ୟସ୍ତ ବହୁଳ ରାସ୍ତାର ରକ୍ଷଣା ବେକ୍ଷଣ ଠିକ୍ ଭାବରେ କରାଯାଉନି । ଫଳରେ ଅନେକ ସ୍ଥାନରେ ବଡ଼ ବଡ ଖାଲ । ନୂତନ ରାସ୍ତା ନିର୍ମାଣର ଆବଶ୍ୟକ ଥିବା ବେଳେ ପୂର୍ତ ବିଭାଗ କିନ୍ତୁ ପ୍ୟାଚ ପକା କାର୍ଯ୍ୟକୁ ଗୁରୁତ୍ୱ ଦେଇଚାଲିଛି । ତାହା ପୁଣି ଏତେ ନିମ୍ନ ମାନର ଯେ ପ୍ୟାଚ ପକାଯାଇଥିବା ଜାଗାରୁ କିଛି ସମୟ ପରେ ପିଚୁ ସବୁ ବାହାରି ଯାଉଛି । ଫଳରେ ରାସ୍ତା ସାରା ଗୋଡ଼ି । ରାସ୍ତାରେ ଗୋଡ଼ି ସବୁ ଜମି ରହିଥିବାରୁ ଅନେକ ମୋଟର ସାଇକେଲ ପଥଚାରୀ ହଇରାଣ ହେଉଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଏପରି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ତାଳି ପକା କାର୍ଯ୍ୟ କେତେଦିନ ହେଉଥିବ । ରାସ୍ତା ଖରାପ ହେଲେ କେବଳ ପ୍ୟାଚ୍ ପକା କାର୍ଯ୍ୟ ହେଉଛି । ନୂତନ ରାସ୍ତା ପାଇଁ କିଛି ବ୍ୟବସ୍ଥା ନକରି କେତେ ଦିନ ଏମିତି ତାଳି ପକା କାର୍ଯ୍ୟକୁ ଗୁରୁତ୍ୱ ଦେଉଥିବ ପୂର୍ତ ବିଭାଗ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । ସରକାର ଶିଳ୍ପକୁ ଗୁରୁତ୍ୱ ଦେଉଥିବା ବେଳେ ରାସ୍ତାକୁ କାହିଁକି ଉପେକ୍ଷା କରୁଛନ୍ତି ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି ।