୨୦ବର୍ଷ ଧରି ଗୋଟିଏ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ

 ଯାଜପୁର : ଗୋଟିଏ ବିଦ୍ୟାଳୟରେ ୨୦ବର୍ଷ ଧରି କାର୍ଯ୍ୟ କରୁଛନ୍ତି ଶିକ୍ଷକ/ଶିକ୍ଷୟିତ୍ରୀ । ଘର ପାଖ ବିଦ୍ୟାଳୟ କାରଣରୁ ସଂପୃକ୍ତ ଶିକ୍ଷୟ/ଶିକ୍ଷୟତ୍ରୀ ମନମାନି ଚଳାଇଛନ୍ତି । ମଧ୍ୟାହ୍ନ ଭୋଜନ ବି ଲୁଟ୍ ହେଉଛି । ଏଭଳି ସାଂଘାତିକ ଅଭିଯୋଗ ଜିଲାପାଳଙ୍କୁ କରିଛନ୍ତି ବରୀ ବ୍ଲକ ମଧୁସୂଦନପୁର ପଞ୍ଚାୟତର ସୁନ୍ଦରପୁର ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବିଳାସିନୀ ନୋଡାଲ ଉ.ପ୍ରା ବିଦ୍ୟାଳୟରେ ବିଭିନ୍ନ ଅନିୟମିତା ହେଉଛି । ଗୋଟିଏ ବିଦ୍ୟାଳୟରେ ଦୀର୍ଘ ବର୍ଷ ରହି ଶିକ୍ଷକ ଶିକ୍ଷୟତ୍ରୀ ଚଲାଇଛନ୍ତି ମନମାନି । ୩୦ପିଲାଙ୍କୁ ୭୦ପିଲା ଦର୍ଶାଇ ଶିକ୍ଷକ ଶିକ୍ଷୟତ୍ରୀ କରୁଛନ୍ତି ମଧ୍ୟାହ୍ନ ଭୋଜନ ଅର୍ଥ ଆତ୍ମସାତ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘଦିନ ଧରି ଗୋଟିଏ ବିଦ୍ୟାଳୟରେ ରହି ଜଣେ ଶିକ୍ଷକ ଏବଂ ଜନୈକ ଶିକ୍ଷୟତ୍ରୀ ମନମାନି କରୁଛନ୍ତି । ବିଦ୍ୟାଳୟର ୩୦ରୁ ୩୫ପିଲା ଥିବା ବେଳେ ୭୦ରୁ ଉର୍ଦ୍ଧ ନାମଲେଖା ଦର୍ଶାଇ ସରକାରୀ ଟଙ୍କା ଆତ୍ମସାତ କରାଯାଉଛି । କେବଳ ସେତିକି ନୁହଁ ବିଦ୍ୟାଳୟଠାରୁ ମାତ୍ର କେଇ ମିଟର ଦୂରତାରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଘର ହୋଇଥିବା ବେଳେ ନିଜର ବ୍ୟକ୍ତିଗତ କାର୍ଯ୍ୟ ସାରି ବିଦ୍ୟାଳୟକୁ ନିଜ ଅନୁସାରେ ଆସୁଥିବା ବେଳେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ବିଦ୍ୟାଳୟରୁ ପଳାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯେଉଁଥିପାଇଁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ ଅଭିଭାବକ ବିଦ୍ୟାଳୟରେ ନିଜ ପିଲାଙ୍କ ନାମ ଲେଖାଇବା ପାଇଁ ମନ ବଳାଉ ନଥିବା ଅଭିଯୋଗ ହୋଇଛି । ଜିଲାପାଳଙ୍କୁ ହୋଇଥିବା ଅଭିଯୋଗରେ ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ପୂର୍ବକ ସଂପୃକ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି କରାନଯାଏ ତେବେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଗ୍ରାମବାସୀ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ।