ମନ୍ଦିର ପରିସରରୁ ସିନ୍ଦୁକ ହଟିବା ଘଟଣା : ଦେବୋତ୍ତର ଆୟୁକ୍ତଙ୍କୁ ସେବକଙ୍କ ନିବେଦନ
କେନ୍ଦ୍ରାପଡା: କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ପରିସରରେ ଥିବା ଝୁଲଣ ମଣ୍ଡପ, ସ୍ନାନ ମଣ୍ଡପ ଓ ଅନ୍ୟାନ୍ୟ ସ୍ଥନରେ ବହୁ ସଂଖ୍ୟକ ସିନ୍ଦୁକ, ଜାଳ କାଠ ରଖାଯାଇ ସଂପୃକ୍ତ ସ୍ଥାନକୁ କେତେକ ସେବକ କେବଳ ନିଜସ୍ୱ ବ୍ୟବହାରରେ ଲଗାଉଥିଲେ । ଏହି ସିନ୍ଦୁକ ଓ ଜାଳ କାଠକୁ ଚଳିତ ମାସ ୧୬ ତାରିଖ ମଧ୍ୟରେ ହଟାଇବାକୁ ଦେବୋତ୍ତର ଆୟୁକ୍ତ ମନ୍ଦିର ନିର୍ବାହୀ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିବାରୁ ଏହି ଜିନିଷପତ୍ର ରଖିଥିବା ସେବକଙ୍କ ମଧ୍ୟରେ ଭାଳେଣୀ ପଡିଯାଇଛି । ତେବେ ଏହାକୁ ବିବାହ ମଣ୍ଡପକୁ ଉଠାଇବା ପାଇଁ ନିର୍ବାହୀ ଅଧିକାରୀ ନୋଟିସ୍ ଜାରି କରିଥିବାରୁ ଏହାର ପୁର୍ନବିଚାର କରିବା ପାଇଁ କେତେକ ସେବକ ନିର୍ବାହୀ ଅଧିକାରୀଙ୍କ ଜରିଆରେ ଦେବୋତ୍ତର ଆୟୁକ୍ତଙ୍କ ନିକଟରେ ନିବେଦନ କରିଛନ୍ତି । ବିବାହ ମଣ୍ଡପ ନିରାପଦ ସ୍ଥାନ ନଥିବାରୁ ଜିନିଷପତ୍ର ସୁରକ୍ଷିତ ରହିପାରିବ ନାହିଁ ବୋଲି କହିବା ସହ ସେମାନଙ୍କ ସହ ଆଲୋଚନା କରି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସେବକଙ୍କ ପକ୍ଷରୁ ରବୀନ୍ଦ୍ର ସୁଆର, ନିରଞ୍ଜନ କର, ସୁରେଶ ପତ୍ରୀ, ଭଗବାନ କର, ପ୍ରମୋଦ କର, ମହେଶ୍ୱର ପତ୍ରୀ, ଜ୍ୟୋତି ରଞ୍ଜନ ପତ୍ରୀ ପ୍ରମୁଖ ଏକ ନିବେଦନ ପତ୍ର ପ୍ରଦାନ କରିଛନ୍ତି ।