ସାମାନ୍ୟ ବର୍ଷାରେ ବେହାଲ ଶାଳପଡା ସର୍ଭିସ ରୋଡ

 ଆନନ୍ଦପୁର : ରାସ୍ତା ତ ନୁହେଁ ସତେ ଯେମିତି ମରଣଯନ୍ତା । କେନ୍ଦୁଝର ଜିଲ୍ଲାର ଜୀବନ ରେଖା ୨୦ ନଂ ଜାତୀୟ ରାଜପଥ ବିପଦ ସଂକୁଳ ଅବସ୍ଥାରେ । ଅଣ ଓସାରିଆ ସର୍ଭିସ ରୋଡରେ ଦୈନିକ ହଜାର ହଜାର ଲୁହାପଥର ବୋଝେଇ ଗାଡି ଯାତାୟତ କରୁଥିବା ଯୋଗୁଁ ସର୍ଭିସ ରାସ୍ତାଟି ସଂପୂର୍ଣ୍ଣ କ୍ଷତିଗସ୍ତ ହୋଇ ପଡିଛି ।  ଦୀର୍ଘ ୭ ବର୍ଷ ଧରି ଏହି ଜାତୀୟ ରାଜପଥ ଅସମ୍ପୂର୍ଣ ହୋଇ ପଡିରହିଥିବା ବେଳେ ୫ ମାସ ହେବ ଜାତୀୟ ରାଜପଥ ଅଧିନରେ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଡିବିଆଇ ଦ୍ୱାରା ମୁଖ୍ୟ ରାସ୍ତାକୁ ବନ୍ଦ କରିଦିଆଯାଇଛି । ମୁଖ୍ୟ ରାସ୍ତା ବନ୍ଦ କାରଣରୁ ସର୍ଭିସ ରୋଡରେ ଦୈନିକ ହଜାର ହଜାର ଗାଡି ମୋଟର ଯାତାୟତ କରୁଛି । ଅନ୍ୟପଟେ ଡିବିଆଇ ଠିକା ସଂସ୍ଥା ସର୍ଭିସ ରାସ୍ତାକୁ ମରାମତି କରୁନଥିବା ବେଳେ ଯେଉଁଠି ଆଣ୍ଠୁଏ ଗାଢ଼ ହେଲା ସେ ଜାଗାରେ କ୍ରସର ଗୁଣ୍ଡ ପକାଇ କାମ ଶେଷ କରିଦେଉଛି । ଦୁଇ ଦିନ ପରେ ଯେଉଁ ଅବସ୍ଥାକୁ ସେଇ ଅବସ୍ଥା । ଶୁଖିଲା ଦିନରେ ଧୂଳି, ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣିରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ଗଲେଣି । ସେହିପରି ସର୍ଭିସ ରାସ୍ତା କଡରେ ଥିବା ଡ୍ରେନର ପାଣି ପଶିବାର ସୁବିଧା ଥିବା ବେଳେ, ଦୂଷିତ ପାଣି ବାହାରିବାର ସୁବିଧା ନଥିବାରୁ ବର୍ଷା ହେଲେ ପାଣି ବାହାରି ନପାରି ସର୍ଭିସ ରାସ୍ତାରେ ଖେଳୁଛି । ବର୍ଷାରେ ରାସ୍ତାରେ ଥିବା ଗାଢ଼ ଗୁଡିକର ପାଣି ଏବଂ ଡ୍ରେନ ପାଣି ଏକାଠି ହୋଇଗଲେ ରାସ୍ତା ଉପରେ ଆଣ୍ଠୁଏ ପାଣି ଠିଆ ହୋଇ ରହୁଛି । ଯାହାକି ଦୁର୍ଘଟଣାର କାରଣ ପାଲଟିଛି ।  ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅନ୍ୟ କୌଣସି ରାସ୍ତା ଦେଇ ଲୁହାପଥର ଟ୍ରକ ପଠାଇବା ସହିତ କାର୍ଯ୍ୟ କରୁଥିବା ଡିବିଆଇ ଠିକା ସଂସ୍ଥା ସର୍ଭିସ ରୋଡ଼ର ମରାମତି କରିବାକୁ ସ୍ଥାନୀୟ ଜନସାଧରଣ ଦାବି କରିଛନ୍ତି ।