ଶବ ଦାହର ମୂକସାକ୍ଷୀ ଆକାଶିଆ ବଣ
ଟମକା : ଓଡିଆରିତୀନୀତି ଅନୁଯାୟୀ କାହାର ମୃତୁ୍ୟ ଘଟିଲେ ସେହି ଶବକୁ ମଶାଣିରେ ଦାହ କରାଯାଏ । ଏଥିପାଇଁ ପ୍ରଥମେ କାଠର ଆବଶ୍ୟକ ପଡୁଥିବା ବେଳେ, ଯାଜପୁର ଜିଲ୍ଲା ଟମକା ବଜାର ସଲଗ୍ନ ଏକ ଆକାଶିଆ ବଣ ବର୍ଷ ବର୍ଷ ଧରି ଏଥିରେ ସହାୟକ ହେଉଥିବା ପରିଲକ୍ଷିତ ହେଉଛି । ଟମକା ତାରିଣୀ ଶାଳ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଲମ୍ବିଥିବା ଉକ୍ତ ବଣରେ ମୁଖ୍ୟତଃ ଆକାଶିଆ ଗଛ ରହିଛି । ଅଦିନିଆ ଝଡ ଠାରୁ ଆରମ୍ଭ କରି ବାତ୍ୟା ପର୍ଯ୍ୟନ୍ତ ସବୁଥିରେ ଭାଙ୍ଗି ଯାଉଥିବା ଗଛ ହେଉ କିମ୍ବା ବୟସାଧିକ କାରଣରୁ ମରି ଯାଉଥିବା ଗଛ ଗୁଡିକ ଟମକା ଅଂଚଳରେ ମୃତୁ୍ୟ ବରଣ କରୁଥିବା ଲୋକଙ୍କ ଶବ ଦାହ କାର୍ଯ୍ୟରେ ଲାଗୁଛି । ସେ ରାତି ହେଉ କି ଦିନ ସବୁ ସମୟରେ ବର୍ଷ ବର୍ଷ ଧରି ଏହି ବଣ ଏକ ରକମ ଶବଦାହର ମୁକ ସାକ୍ଷୀ ପାଲଟିଛି । ଯାଜପୁର, କେନ୍ଦୁଝର ଜିଲା ସୀମାନ୍ତରେ ଟମକା ଅବସ୍ଥାପିତ । ମୁଖ୍ୟତଃ ଦେଉଳକଣ ଓ କିଆଝର ପଂଚାୟତ ଅଂଚଳକୁ ନେଇ ଏହା ଗଠିତ । ଏଠାରେ ୭୦% ଲୋକ ଖଟିଖିଆ ଦିନ ମଜୁରିଆ ଶ୍ରେଣୀର ହୋଇଥିବା ବେଳେ ଅଧିକାଂଶ ଲୋକ ଅନ୍ୟ ସ୍ଥାନରୁ ଆସି ଏଠାରେ ଦୀର୍ଘ ବର୍ଷ ହେବ ବସବାସ କରି ଏଠିକାର ବାସିନ୍ଦା ହୋଇଛନ୍ତି । ଏକ ଭାଇଚାରା ଭାବେ ଏଠାରେ ସମସ୍ତେ ବସବାସ କରୁଥିବା ବେଳେ ସେ ସମୟ ହେଉ କିମ୍ବା ଅସମୟରେ କାହାର ଦେହାନ୍ତ ଘଟିଲେ ସମସ୍ତେ କାନ୍ଧ ସହ କାନ୍ଧ ମିଳାଇ ଶବ ସକ୍ରାର କାର୍ଯ୍ୟରେ ଲାଗିପଡନ୍ତି । ମୁଖ୍ୟତଃ ଟମକା ଛକ, ଉପର ଟମକା, ୫୦ କ୍ୱାଟର, ହାଟସାହି, ନୂଆସାହି, କଂଟାକଲୋନୀ, ମହୁଲବାହାଳି, କଲୋନୀ ଇଦ୍ୟାତି ଅଞ୍ଚଳରେ କେହି ମୃତୁ୍ୟ ବରଣ କେଲେ ଠିକ୍ ସେତିକି ବେଳେ ଏହି ଶବ ଦାହ କାର୍ଯ୍ୟରେ ଏହି ଆକାଶିଆ ବଣ ହିଁ ସମସ୍ତଙ୍କ ପାଇଁ ସହାୟକ ପାଲଟେ । ମୃତୁ୍ୟ ବରଣ କରିଥିବା ପରିବାର ଲୋକ ସହ ସାହି ପଡିଶା ଲୋକ ଏକତ୍ରୀତ ହୋଇ ପ୍ରଥମେ ଏହି ବଣକୁ ଯାଇ କାଠ ଯୋଗାଡରେ ଲାଗି ପଡନ୍ତି । ଏହି ବଣରେ ଶୁଖି ଯାଇଥିବା କିମ୍ବା ଭାଙ୍ଗି ପଡି ଯାଇଥିବା ଶୁଖିଲା ଗଛକୁ କାଟି ନେଇ ଏହି କାର୍ଯ୍ୟରେ ବ୍ୟବହୃତ କରନ୍ତି । ତେବେ ଏହି ବଣର କାଠ ଦୀର୍ଘ ୩୦/୪୦ ବର୍ଷରୁ ଅଧିକ ସମୟ ଧରି ଶତାଧିକ ଲୋକଙ୍କ ଶବଦାହ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ବେଳେ ଏବେ ବି ଏହା ଅସମୟର ବନ୍ଧୁ ଭାବେ ଟମକା ଅଂଚଳବାସୀଙ୍କ ସାହା ଭରଷା । ତେବେ ଧିରେ ଧିରେ ଏହି ବଣରୁ ଗଛ ସରି ସରି ଆସୁଥିବା ବେଳେ ସମୟ ଆସିଛି ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଏହି ବଣରେ ଚାରା ରୋପଣ କରାଗଲେ ପିଢି ପରେ ପିଢି ଏହି ବଣ ଶବ ସକ୍ରାର କାର୍ଯ୍ୟରେ ବିନିଯୋଗ ହୋଇ ପାରନ୍ତା ।