ଭିତ୍ତି ପ୍ରସ୍ତରର ସ୍ଥାପନର ଦୁଇ ମାସ ପରେ ବି ଆରମ୍ଭ ହେଉନି ରାସ୍ତା କାର୍ଯ୍ୟ
କାଳିଆପାଣି: ଗମନା ଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କୋଟି କୋଟି ଟଙ୍କା ବିନିଯୋଗ ହେଉଛି । ରାସ୍ତା ନିର୍ମାଣ ପାଇଁ ଫଳକ ମଧ୍ୟ ଲାଗୁଛି । କିନ୍ତୁ ରାସ୍ତା କାର୍ଯ୍ୟ ଆରମ୍ଭ ହେଉନଥିବାରୁ ଅଭିଯୋଗ ହୋଇଛି କାଳିଆପାଣି ଖଣି ଅଞ୍ଚଳର ଚିଙ୍ଗୁଡ଼ିପାଳ ପଞ୍ଚାୟତରୁ । ଆରଆଣ୍ଡବି ରାସ୍ତା ଠାରୁ ହନୁମାନ ଛକ ରୋଡ ପର୍ଯ୍ୟନ୍ତ ରାସ୍ତା ନିର୍ବାଣ ପାଇଁ ଦୁଇମାସ ତଳୁ ପଡ଼ିଛି ଭିତ୍ତିପ୍ରସ୍ତର । ହେଲେ ନିର୍ମାଣର ନାଁ ଗନ୍ଧ ନାହିଁ । ସଂପୃକ୍ତ ରାସ୍ତା ନିର୍ମାଣ ପାଇଁ ମାର୍ଚ୍ଚ ମାସ ୭ ତାରିଖରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ଅତିଥି ମ କହିଥିଲେ କି ଏକ ମାସ ଭିତରେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେବ । କିନ୍ତୁ ଆଜିକୁ ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ରାସ୍ତା କାର୍ଯ୍ୟର ମୂଳଦୁଆ ମଧ୍ୟ ପଡିନି । ଗ୍ରାମବାସୀ କୁହନ୍ତି ନିର୍ବାଚନକୁ ଦୃଷ୍ଟିରେ ରଖି ରାସ୍ତା ନିର୍ମାଣ ନାମରେ ଏକ ପ୍ରହସନ କରାଯାଇଥିଲା । ରାସ୍ତା ନିର୍ମାଣ କରିବାର ଯଦି ନଥିଲା ତେବେ ଭିତି ପ୍ରସ୍ତର ସ୍ଥାପନ କରାଯାଇଥିଲା କାହିଁକି? ଦେଖିବାକୁ ବାକି ରହିଲା ରାସ୍ତା ନିର୍ମାଣ ଏମିତି ଫଳକରେ ଅଟକିଯିବ ନା ନିର୍ମାଣ ହେବ ।