ଚାଲିିଛି ଶହ ଶହ ଟ୍ରିପ ଲୁଟ୍  :  ଗୁହାଳି ବାଲିଘାଟ ପାଇଁ ନଦୀବନ୍ଧ ରାସ୍ତା ବିପର୍ଯ୍ୟସ୍ତ

ସିଂହପୁର: ବେଆଇନ ବାଲି ଘାଟ ଉପରେ ଯେଉଁ ଚଢ଼ଉ ଚାଲିଥିଲା ତାହା କ’ଣ ଲୋକ ଦେଖାଣିଆ ଥିଲା କି? ସାଧାରଣରେ ଏଭଳି ପ୍ରଶ୍ନ ଉଙ୍କିମାରିବାର କାରଣ ହେଉଛି ଆଜି ବି ବିଭିନ୍ନ ତହସିଲ ଅଞ୍ଚଳରେ ଏକାଧିକ ଘାଟ ବେଆଇନ ଭାବେ ଚାଲିଛି । ଯେଉଁ ଘାଟ ଗୁଡ଼ିକ ଚାଲିଛି, ତାକୁ ସୁରକ୍ଷା ଦେଉଛି କିଏ? ଏଭଳି ପ୍ରଶ୍ନ ଏବେ ଗୁହାଳି ବାଲିଘାଟକୁ ନେଇ ଉଠିଛି । ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ଗୁହାଳି ଠାରେ ବେଆଇନ ଭାବେ ଦୀର୍ଘ ବର୍ଷ ବର୍ଷ ଧରି ବାଲିଘାଟ ଚାଲୁଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ନିଘା ନାହିଁ । ବରଂ ମାଇନିଂ ଅଧିକାରୀ ମାନେ ଏଠାରୁ ମାସିକ ମୋଟା ଅଙ୍କର ବଟି ନେଇ ଘାଟକୁ ସୁରକ୍ଷା ଦେଉଥିବା ଚର୍ଚ୍ଚା ହେଉଛି । ଘାଟ ସମ୍ପର୍କରେ ଜିଲ୍ଲା ମାଇନିଂ ଅଧିକାରୀଙ୍କୁ ପଚାରିଲେ ବାବୁଙ୍କ ତୁଣ୍ଡ ଖୋଲୁନାହିଁ କି ଫୋନ ଉଠାଉ ନାହଁନ୍ତି । ଅଭିଯୋଗ ହୁଏ ଗୁହାଳି ଠାରେ ଚାଲିଥିବା ବାଲି ଘାଟ ପାଇଁ ପରିବେଶ ମଞ୍ଜୁରି ମିଳିନଥିବା ବେଳେ କିଭଳି ବେଆନ ଭାବେ ଏଠାରେ ଘାଟ ଚାଲୁଛି । ଏଥିନେଇ ମାଇନିଂ ଅଧିକାରୀ ଜାଣିପାରୁନାହିଁନ୍ତି ନାଁ ଜାଣି ଅଜଣା ରହିଛନ୍ତି ।
ଅନ୍ୟପକ୍ଷରେ ଏହି ଘାଟର ଏବେର ସ୍ଥିତି କଣ ତାହା ମଧ୍ୟ ଜଣାପଡୁନାହିଁ । ବାଲି ଘାଟର ଲିଜିଧାରି କିଏ? ସରକାରଙ୍କ ତହବିଲକୁ   କେତେଟଙ୍କା ଡିପୋଜିଟ କରି କେତେ ସେଣ୍ଟିମିଟର ବାଲି ଉଠାଣ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି ତାହାର ମଧ୍ୟ କୈାଣସି ପ୍ରମାଣ ମିଳୁନାହିଁ । ଅନ୍ୟ ପକ୍ଷରେ ଗତ ୨୦୨୪/୨୫ ବର୍ଷ ପାଇଁ ଏହି ବାଲି ଘାଟର ଷ୍ଟାଟସ କଣ ତାହାର ମଧ୍ୟ କୈାଣସି ତଥ୍ୟ ମିଳୁନାହିଁ । ଯାହା ଘାଟ ଅଞ୍ଚଳରେ ସୂଚନାଫଳକ ମରାଯାଇ ସର୍ବସାଧାରଣଙ୍କୁ ଅବଗତ କରିବା ନିୟମ ରହିଛି । ଅଭିଯୋଗ ହୁଏ ବିଞ୍ଝାରପୁର ଅଞ୍ଚଳରେ କେତେକ ମୁଷ୍ଟିମେୟଙ୍କ ହାତ କରି ବାଲି ମାଫିଆ ସ୍ପଷ୍ଟ ଦିବାଲୋକରେ ଦୈନିକ ଶହ ଶହ ଟ୍ରିପ ବାଲି ଚାଲାଣ କରୁଛନ୍ତି । କେବଳ ସେତିକି ନୁହେଁ ଗୁହାଳି ଠାରେ ଚାଲୁଥିବା ଏହି  ବେଆଇନ ବାଲି ଚାଲାଣ ଯୋଗୁଁ ଖରସ୍ରୋତା ନଦୀ ବନ୍ଧ ରାସ୍ତା ଖାଲଖମାରେ ପରିପୁର୍ଣ୍ଣ ହେବା ସହିତ ଦୁର୍ବଳ ହେବାରେ ଲାଗିଛି । ଯାହାକୁ ନେଇ ବର୍ଷା ଦିନ ଆସିଲେ ନଦୀକୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ଲୋକେ ପ୍ରତିବାଦ କଲେ ମାଫିଆ ମାନେ ବଳ ପୂର୍ବକ ଲୋକଙ୍କ ମୁହଁ ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି ଏବଂ ଲୋକଙ୍କୁ ଧମକ ମଧ୍ୟ ଦେଉଛନ୍ତି । ଜିଲ୍ଲାରେ ବେଆଇନ ଚାଲି ଚାଲାଣକୁ କେନ୍ଦ୍ର କିରି କିଛିଦିନ ପୂର୍ବେ ସଦର ଥାନା ଅଞ୍ଚଳରେ ଯେଉଁ ଭଳି ସ୍ଥିତି ଉପୁଜିଲା ଜିଲ୍ଲା ପ୍ରଶାସନ ଓ ମାଇନିଂ ବିଭାଗ ଏଥିରୁ କିଛି ନଚେତିବାପରି ମନେ ହେଉଛି । ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ଏଭଳି ଘଟଣାକୁ ଅଣଦେଖା କରିବା ଗ୍ରହଣିୟ ନୁହେଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିବା ସହିତ  ବିଞ୍ଝାରପୁର ବ୍ଲକର ଗୁହାଳି ଠାରେ ଚାଲିଥିବା ଏହି ବେଆଇନ ବାଲି ଘାଟକୁ ବନ୍ଦ କରିବାକୁ ଦାବି କରିଛନ୍ତି ।