ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନମାନର; ହାତରେ ଉଠିଯାଉଛି ପିଚୁ 

ପାଣିକୋଇଲି,: ପାଞ୍ଚ କୋଟିର କାର୍ଯ୍ୟ । ଠିକାଦାରଙ୍କ ଦ୍ୱାରା ପାଏପାଏ ହେଉଛି । ହେଲେ କରାଯାଉଥିବା କାର୍ଯ୍ୟ କେତେ ନିମ୍ନମାନର ତାହା ଉକ୍ତ ରାସ୍ତା ଉପରେ ଚଳପ୍ରଚଳ କରୁଥିବା ଅଞ୍ଚଳବାସୀ ହାତରେ ପିଚୁ ଉଠାଇ ପ୍ରମାଣ କରିଦେଇଛନ୍ତି । ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଆନୁକୁଲ୍ୟରେ ଜାତୀୟ ରାଜପଥ ୧୬ ଠାରୁ ହାଟସାହି ଭାୟା ସୋତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । 
ଅବଧିର ଶେଷ ହୋଇଯାଇଥିବା ବେଳେ ଠିକାଦାର ରାସ୍ତା ନିର୍ମାଣ କାର୍ଯ୍ୟ କରିବାକୁ ଅସମର୍ଥ ଥିବା ବେଳେ ଦୁଇ ଦିନ ତଳେ ରାସ୍ତାରେ ଢଳାଯାଇଥିବା ପିଚୁ ଉଠିଯାଉଛି । ଯାହାକୁ ନେଇ ସୋତି ଗ୍ରାମର ନାରାୟଣ କରଣ, ପ୍ରଫୁଲ୍ଲ କୁମାର ନାୟକ, ବିଷ୍ଣୁ ଚରଣ ବାରିକ, କୁଳମଣୀ ସାହୁ, ଅନାମ ମହାପାତ୍ର, ପ୍ରଦୀପ ଖଣ୍ଡାଇ, କୀର୍ତନ ମହାପାତ୍ର, ରବିନ୍ଦ୍ର ସେଠୀ, ଅନନ୍ତ କୁମାର ମହାପାତ୍ର, ସନ୍ତୋଷ ବାରିକ, ପ୍ରଫୁଲ୍ଲ ମାଝୀ, ସୁଶାନ୍ତ ସେନାପତି, ସତ୍ୟବ୍ରତ ମହାପାତ୍ର, ଶିବ ପ୍ରସାଦ ବାରିକ, ଅଖିଳ ସ୍ୱାଇଁ,ଚକ୍ରଧର ସ୍ୱାଇଁ, ଅଭୟ କୁମାର ସ୍ୱାଇଁ  ପ୍ରମୁଖ ଉତ୍ୟକ୍ତ ହୋଇ ରାସ୍ତା କାର୍ଯ୍ୟ ବନ୍ଦ ରଖିବା ସହିତ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି । ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏକ ପିଚୁ ରାସ୍ତା ଜାତୀୟ ରାଜପଥ ୧୬ଠାରୁ ବାହାରି ଅଳତିରି, ଚାନ୍ଦପୁର, ଦାମୋଦରପୁର, ବାଟୁଳ, ସୋତି ମଧ୍ୟ ଦେଇ ହାଟସାହି ନିକଟରେ ଟିକର-ଶଙ୍ଖଚିଲା ରାସ୍ତା ସହିତ ମିଶିଛି । ବିଭାଗ ଦ୍ୱାରା ପ୍ରଦତ ସୁଚନାନୁସାରେ ଉକ୍ତ ରାସ୍ତାଟିର ଦୈର୍ଘ୍ୟ ୬ କିମି ୨୭୦ ମିଟର ହୋଇଥିବା ବେଳେ ୧୯ଟି ଘୋଷରା ପୋଲ ସହିତ ବ୍ୟୟ ଅଟକଳ ୪କୋଟି ୭୦ଲକ୍ଷ ୭୭ହଜାର ଟଙ୍କାର ରହିଛି ଓ ରକ୍ଷଣାବେକ୍ଷଣ ଲାଗି ୪୦ଲକ୍ଷ ୬୮ ହଜାର ଟଙ୍କା ରହିଛି । ଉକ୍ତ ରାସ୍ତା କାର୍ଯ୍ୟ ୨୦୨୨ସେପ୍ଟେମ୍ବର ୧୨ରୁ ଆରମ୍ଭ ହୋଇ-୨୦୨୩ ଜୁନ ୧୧ମଧ୍ୟରେ ସାରିବା ଲାଗି ବିଭାଗ ତରଫରୁ ସଂପୃକ୍ତ ଠିକାଦାରଙ୍କୁ ନିଦେ୍ର୍ଦଶ ମଧ୍ୟ ଥିଲା । ମାତ୍ର ସଂପୃକ୍ତ ଠିକାଦାର ବିଭାଗ ଦ୍ୱାରା ପ୍ରଦତ ନିର୍ମାଣ ଅବଧି ଶେଷ ହୋଯାଇଥିଲେ ମଧ୍ୟ କାର୍ଯ୍ୟ ସାରି ନଥିବା ନେଇ ଗ୍ରାମବାସୀଙ୍କ ତରଫରୁ ଅସନ୍ତୋଷ ଜାହିର କରାଯାଇଥିବା ବେଳେ ଉକ୍ତ ଠିକାଦାରଙ୍କ ଦ୍ୱାରା ପୁଣି ଏକ ସାଂଘାତିକ ଠକାମୀ ନେଇ ଗ୍ରାମବାସୀ ମାନେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦାୟର କରିଛନ୍ତି । ରାସ୍ତାଟିର ନିର୍ମାଣ କାର୍ଯର୍୍ୟ ସୋତି ପର୍ଯ୍ୟନ୍ତ ଶେଷ ହୋଇଯାଇଥିବା ବେଳେ ଗତ ଦୁଇ ଦିନ ତଳେ ସୋତିରୁ ହାଟସାହି ମଧ୍ୟରେ ନୁତନ ଭାବେ ପିଚୁ ପଡ଼ିଥିଲା । ମାତ୍ର ପିଚୁର ଅବସ୍ଥା ଦେଖି ଗ୍ରାମବାସୀ ମାନଙ୍କ ସନେ୍ଦହ ହେବାରୁ ସେମାନେ ହାତରେ ଖୋଳି ଦେବାରୁ ପିଚୁ ଗୁଡ଼ିକ ଆପେ ଆପେ ବାହାରି ଯାଇଥିଲା । ଯେପରିକି ସେଗୁଡ଼ିକ ରାସ୍ତା ଉପରେ ଥୁଆ ହୋଇଛି । ତେବେ ଗ୍ରାମବାସୀ ମାନେ ଉକ୍ତ କାର୍ଯ୍ୟକୁ ବନ୍ଦ କରି ସଂପୃକ୍ତ ଠିକାଦାରକୁ ଯୋଗ ଯୋଗ କରିଥିଲେ । ମାତ୍ର ଠିକାଦାର ଜଣକ ତାଙ୍କୁ ନାଲି ଆଖି ଦେଖାଇଥିଲା । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି ।