ହାତେ ଗଡ଼ି ଅଟକିଲା ବ୍ରହ୍ମ ତାଳଧ୍ୱଜ
କେନ୍ଦ୍ରାପଡ଼ାରୁ ରବି ପଣ୍ଡିତ : ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ସର୍ବବୃହତ୍ତ ବ୍ରହ୍ମତାଳଧ୍ୱଜ ରଥ ଶ୍ରୀ ଗୁଣ୍ଡିଚାର ଦ୍ୱିତୀୟ ଦିନରେ ମଧ୍ୟ ଅଟକି ରହିଛି । ନେଇଛି ବାମ ମୋଡ । ପରମ୍ପରା ଅନୁଯାୟୀ ଶ୍ରୀଗୁଣ୍ଡିଚାର ଦ୍ୱିତୀୟ ଦିନରେ ରଥ ଟଣା ହୋଇ ମାଉସୀ ମା’ ମନ୍ଦିର ନିକଟରେ ଚକଡାରେ ଲାଗିବା ନିଷ୍ପତ୍ତି ନିଆଯାଇଥିଲା । ତୁହାକୁ ତୁହା ପରିଚାଳନା ସମିତି ଓ ସେବକ ମାନଙ୍କ ସମନ୍ୱୟ ବୈଠକ ସତ୍ତ୍ୱେ ରଥ ଚାଲିବା ସମ୍ଭବ ହୋଇପାରିଲା ନାହିଁ । ଆଜି ଦିନ ୨ଟା ସମୟରେ ରଥ ଟଣା ଆରମ୍ଭ ହୋଇ ବାମମୋଡ ନେବାରୁ ପୂର୍ବରୁ ରଖାଯାଇଥିବା ରେଲୱେ ଟ୍ରାକ୍ ସାହାଯ୍ୟରେ ରଥକୁ ସଳଖ କରାଯାଇଥିଲା । ପୁନର୍ବାର ରଥ ଟଣା ହେବା ପରେ ରଥ ଉପରେ ବସିଥିବା ସେବକମାନେ ମନଇଚ୍ଛା ଏଣେତେଣେ ହାତ ଦେଖାଇ ରଥ ଟାଣିବା ପାଇଁ ଉତ୍ସାହିତ କରିବାରୁ ରଥ ଟାଣିବା ପାଇଁ ଆସିଥିବା ଭକ୍ତମାନେ ରଥ ଚାଳକ ଢାହୁକର ନିଦେ୍ର୍ଦଶକୁ ଅଣଦେଖା କରି ଟାଣିବାରୁ ରଥ ସାମାନ୍ୟ ଟିକିଏ ଆଗକୁ ଘୁଞ୍ଚି ବାମ ମୋଡ ନେଇ ପାଦଚଲା ରାସ୍ତା ଓ ଇଲେକ୍ଟି ଖୁଣ୍ଟକୁ ଲାଗି ଅଟକି ରହିଥିଲା । ଅପରାହ୍ନରେ ବର୍ଷା ଛାଡିଯାଇ ପାଗ ଅନୁକୂଳ ଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀ ବଳଦେବଜୀଉଙ୍କ ରଥ ଟାଣିବା ପାଇଁ ରଥଦାଣ୍ଡରେ ରୁଣ୍ଡ ହୋଇଥିଲେ । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲେ ମଧ୍ୟ ବିଶୃଙ୍ଖଳିତ ସେବକମାନେ ରଥ ଉପରେ ଥାଇ ଢାହୁକର ନିଦେ୍ର୍ଦଶକୁ ଅତିକ୍ରମ କରି ହାତ ହଲାଇ ଲୋକମାନଙ୍କୁ ଉତ୍ତେଜିତ କରୁଥିବା ଦେଖିବାକୁ ମିଳୁଥିଲା । ପୂର୍ବ ନିଷ୍ପତ୍ତି କ୍ରମେ ଆଜି ଦିନ ଦୁଇଟାରେ ରଥ ଟାଣିବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ବାରମ୍ବାର ରଥ ବାମ ମୋଡ ନେବାରୁ ପୁନର୍ବାର ଦିନ ୪ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା । ତେବେ ରଥ ରଥଦାଣ୍ଡର ମଝିକୁ ନ ଆସି ବାମ ମୋଡ ନେଇ ଏକ କୋଠାଘରକୁ ଲାଗି ଅଟକି ରହିଥିଲେ । ତେବେ ଏହାପରେ ପରିଚାଳନା ସମିତିର ଏକ ଜରୁରୀ ବୈଠକ ଯାତ୍ରୀନିବାସରେ ଅନୁଷ୍ଠିତ ହୋଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ବସିଥିବା ଜଣାପଡିଛି । ଏଥିରେ ପରିଚାଳନା ସମିତି ସଭାପତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ବିଧାୟକ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ, ବିଧାୟକ ଗଣେଶ୍ୱର ବେହେରା, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଧିରେନ୍ କୁମାର ସାହୁ, ପଣ୍ଡିତ ହୃଷିକେଶ ରଥ, ନୃସିଂହ ପ୍ରସାଦ ପତ୍ରି, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ଗୀତାଞ୍ଜଳି ସେଠୀ, କିଶୋର କୁମାର ପଣ୍ଡା, ବରିଷ୍ଠ ସେବାୟତ ସଂଜୟ କୁମାର ପତ୍ରି, ଅମିତାବ ସୁଆର ପ୍ରମୁଖଙ୍କ ସମେତ କେତେକ ସେବାୟତ ଅଂଶଗ୍ରହଣ କରିଥିଲେ ।