ତଥାପି ଅଭାବୀ ବର୍ଷା

ତଥାପି ଅଭାବୀ ବର୍ଷା

ଚଳିତବର୍ଷରେ ଦେଶରେ ମୌସୁମୀ ପ୍ରବାହ ସ୍ୱାଭାବିକ ରହିଥିବା କୁହାଯାଉଥିଲେ ମଧ୍ୟ ସବୁ ସ୍ଥାନରେ ଆବଶ୍ୟକୀୟ ଭାବରେ ବର୍ଷା ହୋଇନାହିଁ । କୃଷିକାର୍ଯ୍ୟ ସିଧାସଳଖ ବର୍ଷା ପାଣି, ନଦୀନାଳର ପାଣି ଏବଂ ଭୂଗର୍ଭରେ ସଞ୍ଚିତ ହୋଇ ଯାଉଥିବା ପାଣିକୁ ନେଇ ହୋଇଥାଏ । ବର୍ଷାଜଳ ଭୂପୃଷ୍ଠରୁ ଭୂଗର୍ଭକୁ ଶୋଷି ହୋଇଯାଏ । ଏହା ଫଳରେ ଭୂଗର୍ଭସ୍ଥ ଜଳସ୍ତର ଅଧିକ ଗଭୀରକୁ ଖସି ନଯାଇ ଅଳ୍ପ ଗଭୀରରେ ରହେ । ବର୍ଷାଦିନ ବ୍ୟତୀତ ବର୍ଷର ଅନ୍ୟ ସମୟରେ ଭୂଗର୍ଭରେ ସଞ୍ଚିତ ହୋଇ ରହୁଥିବା ଏହି ଜଳ ଚାଷୀ ବିଭିନ୍ନ ଉପାୟରେ ବ୍ୟବହାର କରିଥାଏ ।
ଚଳିତବର୍ଷ ରାଜ୍ୟରେ ୯ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ଠାରୁ କମ୍ ବର୍ଷା ହୋଇଛି । ତେଣୁ ଏ ପ୍ରକାରର ବର୍ଷା ସିଧାସଳଖ କୃଷି ଉପରେ ପ୍ରଭାବ ପକାଇବ । ୩୦ଟି ଜିଲ୍ଲା ମଧ୍ୟରୁ ୨୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ତେବେ ରାଜ୍ୟରେ ହାରାହାରି ଜୁନ୍ ୧ରୁ ସେପ୍ଟେମ୍ବର ୨୪ ତାରିଖ ମଧ୍ୟରେ ୧୦୩୪.୪ ମିଲିମିଟର୍ ବର୍ଷା ହୋଇଥିବା ରେକର୍ଡ୍ କରାଯାଇଛି । ପାଣିପାଗ ବିଭାଗର ମତ ଅନୁସାରେ ଏହି ସମୟ ମଧ୍ୟରେ ୧୧୨୦.୩ ମିଲିମିଟର ବର୍ଷା ହେବା କଥା । ହେଲେ ୧୦୩୪.୪ ମିଲିମିଟର ବର୍ଷା ହେବା ଫଳରେ ରାଜ୍ୟରେ ହାରାହାରି ବୃଷ୍ଟିପାତ କମିଥିବା ଦେଖାଯାଇଛି । ମାଲକାନଗିରି ଜିଲ୍ଲାରେ ଅତ୍ୟଧିକ ବୃଷ୍ଟି ହୋଇ ୧୯୫୫.୫ ମିଲିମିଟର ବର୍ଷା ରେକର୍ଡ୍ ହୋଇଛି । ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବାଲେଶ୍ୱର, ଯାଜପୁର, କେନ୍ଦୁଝର, ପୁରୀ, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାରେ ବର୍ଷାର ପରିମାଣ କମିଛି । କମ୍ ବର୍ଷା ହୋଇଥିବା ୯ଟି ଜିଲ୍ଲାରେ ଜଳାଭାବଜନିତ ସମସ୍ୟା ଦେଖାଦେବାର ସମ୍ଭାବନା ଉପୁଜିଛି । ସମୁଦ୍ର ଉପକୂଳକୁ ଲାଗି ରହିଥିଲେ ମଧ୍ୟ ପୁରୀ ଜିଲ୍ଲାରେ ୭୦୫.୪ ମିଲିମିଟର ବର୍ଷା ହୋଇ ୨୯ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଥିବା ରେକର୍ଡ୍ କରାଯାଇଛି । ସେହିପରି ସମୁଦ୍ର ତଟ୍ଟବର୍ତ୍ତୀ ଜିଲ୍ଲା ଯାଜପୁରରେ ୯୩୫.୬ ମିଲିମିଟର, ବାଲେଶ୍ୱରରେ ୮୫୨.୬ ମିଲିମିଟର, ଭଦ୍ରକ ଜିଲ୍ଲାରେ ୭୦୨ ମିଲିମିଟର, କେନ୍ଦ୍ରାପଡ଼ାରେ ୭୭୧.୫ ମିଲିମିଟର ବର୍ଷା ହୋଇଛି । ସମୁଦ୍ରତଟକୁ ଲାଗି ରହିଥିଲେ ମଧ୍ୟ ଏହିସବୁ ଜିଲ୍ଲା ଗୁଡ଼ିକରେ ବର୍ଷାର ପରିମାଣ କମ୍ ହେବା ଯୋଗୁଁ ଶୀତଦିନିଆ ଫସଲ ଏବଂ ଖରାଦିନିଆ ଫସଲ ଉପରେ ଏହାର କୁପ୍ରଭାବ ପଡ଼ିବ । ୨୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିଲେ ମଧ୍ୟ ଏହି ଜିଲ୍ଲା ଗୁଡିକରେ କୃଷି ଉତ୍ପାଦନ ସ୍ୱାଭାବିକ ରହିବ ବୋଲି ଦାବି କରାଯାଉଥିଲେ ସୁଦ୍ଧା ବିଭିନ୍ନ କାରଣକୁ ନେଇ କୃଷି ଉତ୍ପାଦନରେ ବାଧା ଉପୁଜିବାର ସମ୍ଭାବନା ରହିଛି । ନୂଆପଡ଼ା, କଳାହାଣ୍ଡି, ବୌଦ୍ଦ, ନବରଙ୍ଗପୁର, କୋରାପୁଟ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଠାରୁ ଅଧିକ ବୃଷ୍ଟିପାତ ହୋଇଛି । ସମଗ୍ର ରାଜ୍ୟରେ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ରହିଥିଲେ ଅନିୟମିତ ବୃଷ୍ଟିପାତ, ସ୍ୱଳ୍ପ ବୃଷ୍ଟିପାତ ଭଳି ସମସ୍ୟା ଚାଷ ଉପରେ କୁପ୍ରଭାବ ପକାଇପାରନ୍ତା ନାହିଁ । କିନ୍ତୁ ଜଳସେଚନ କ୍ଷେତ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ବହୁତ ପଛୁଆ ଥିବାରୁ ଅତିବୃଷ୍ଟି କ୍ଷେତ୍ରରେ ବର୍ଷା ପାଣି ସମୁଦ୍ରକୁ  ଗଡ଼ିଯାଉଛି ଏବଂ ସ୍ୱଳ୍ପ ବୃଷ୍ଟି କ୍ଷେତ୍ରରେ ବର୍ଷାପାଣିକୁ ଅଟକାଇ ରଖାଯାଇପାରୁନାହିଁ । 
ବହୁବର୍ଷ ପୂର୍ବେ ଜଳସେଚନ ବ୍ୟବସ୍ଥା ନଥିବା ସମୟରେ କୃଷିକାର୍ଯ୍ୟ ବିଶେଷତଃ ପୋଖରୀ ଏବଂ ଗାଡ଼ିଆ ଉପରେ ନିର୍ଭର କରୁଥିଲା । ବର୍ତ୍ତମାନ ପାଣି ପଞ୍ଚାୟତ ମାଧ୍ୟମରେ ପାହାଡ଼ଗୁଡ଼ିକରୁ ବାହାରିଥିବା ଛୋଟ ଛୋଟ ନାଳକୁ ଅଟକାଇ ଜଳସ୍ରୋତକୁ କୃଷିକ୍ଷେତ୍ରକୁ ନିଆଯାଉଛି । ତେଣୁ ବାସ୍ତବିକ ଦୃଷ୍ଟିରୁ ଦେଖିବାକୁ ଗଲେ ପୋଖରୀ, ଗାଡ଼ିଆ, କୂଅ ଆଦି ଆଉ ଜଳସେଚନ କାମରେ ଲାଗୁନାହିଁ । କିନ୍ତୁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହିସବୁ ଛୋଟ ଛୋଟ ଜଳଉତ୍ସ ଗୁଡିକ ଏକ ବଡ଼ ବଡ଼ ଜଳସମ୍ପଦ ତଥା ଉତ୍ସ । ବର୍ଷାଜଳର ସଦ୍ବିନିଯୋଗ କରିବା ନିମିତ୍ତ ଛୋଟବଡ଼ କୂଅ, ପୋଖରୀ, ଗାଡ଼ିଆ ଗୁଡ଼ିକର ମଧ୍ୟ ଭୂମିକା ଥିବାରୁ ଏହା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।