ବିବାହ ବାର୍ଷିକୀରେ ନବବଧୂଙ୍କ ଆତ୍ମହତ୍ୟା

 ବାଲିଅନ୍ତା:  ଆଜକୁ ବର୍ଷେ ତଳେ ବିବାହ ହୋଇଥିଲା । କାନ୍ଥରୁ ରଙ୍ଗ ଛାଡ଼ିନି କି ଉଭୟ ଦମ୍ପତିଙ୍କ ନାଁ ବି ଲିଭିନି । ବୁଧବାର ଉଭୟଙ୍କ ପ୍ରଥମ ବିବାହ ବାର୍ଷିକ ଥିଲା । ମାତ୍ର ଛୋଟ କଥାକୁ ନେଇ ନବବଧୂ ଚରମ ନିଷ୍ପତ୍ତି ନେଇଥିଲେ । ଶେଷରେ ଦୌଡି ଦେଇ ଆତ୍ମହତ୍ୟା କରିଛନ୍ତି ନବବଧୂ । ଏପରି ଘଟଣା ଘଟିଛି ବାଲିଅନ୍ତା ବ୍ଲକ୍ ବାଲିପାଟଣା ଥାନା ଝିଣ୍ଟିଶାସନ ମେଳକ ଗ୍ରାମ ମଲ୍ଲିକ ସାହିରେ । ଆତ୍ମହତ୍ୟା କରିଥିବା ନବବଧୂ ହେଲେ ଶୁଭଲକ୍ଷ୍ମୀ ମଲ୍ଲିକ । ଖବର ନେବାରେ ଜଣାପଡିଛି ଶୁଭଲକ୍ଷ୍ମୀଙ୍କ ଘର ନିଆଳୀ ଥାନା ଅଞ୍ଚଳରେ ହୋଇଥିବା ବେଳେ, ସେ ଗତବର୍ଷ ଆଜିର ଦିନରେ ଝିଣ୍ଟିଶାସନ ମେଳକ ମଲ୍ଲିକ ସାହିର ଅଜୟ କୁମାର ମଲ୍ଲିକଙ୍କୁ ବିବାହ କରିଥିଲେ । ଅଜୟ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଉଭୟଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା । ବିବାହ ବାର୍ଷିକ ଥିବାରୁ ସ୍ୱାମୀ ଅଜୟଙ୍କୁ ଲିଙ୍ଗରାଜ ଓ ପୁରୀ ଜଗନ୍ନାଥ ମନ୍ଦିର ବୁଲିବାକୁ ଯିବା ପାଇଁ କହିଥିଲେ । ମାତ୍ର ଲିଙ୍ଗରାଜ ଓ ଜଗନ୍ନାଥ ମନ୍ଦିରରେ ଭିଡ ଥିବାରୁ ଆଉ କେଉଁଦିନ ଯିବା କହିବା ସହ ରାତିରେ କେକ୍ ଆଣିକି ବିବାହ ବାର୍ଷିକ ପାଳନ କରିବାପାଇଁ କହି କାମରେ ପଳାଇଥିଲେ । ମାତ୍ର ଏଥିରେ ମାନସିକ ଭାରସାମ୍ୟ ହରାଇଥିଲେ ଶୁଭଲକ୍ଷ୍ମୀ ଆଉ ନେଇଥିଲେ ଚରମ ନିଷ୍ପତ୍ତି । ଅନ୍ୟପଟେ ଶାଶୁ ମଧ୍ୟାହ୍ନ ପ୍ରାୟ ସାଢେ ୧ ଟାରେ ଖାଇବା ପାଇଁ ଡାକିବାରୁ ଶୁଭଲକ୍ଷ୍ମୀ କବାଟ ଖୋଲି ନଥିଲେ ।  ଦୀର୍ଘସମୟ ଧରି କବାଟ ନ ଖୋଲିବାରୁ ଶାଶୁ ପଡୋଶୀଙ୍କୁ ଡାକିଥିଲେ । ସେମାନେ କବାଟକୁ ଭାଙ୍ଗି ପଶି ଘରେ ଶୁଭଲକ୍ଷ୍ମୀଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଶୁଭଲକ୍ଷ୍ମୀଙ୍କ ବାପ ଘର ଲୋକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ପରେ ବାଲିପାଟଣା ଥାନାରେ ଶ୍ୱଶୁର ଘର ଲୋକ ତାଙ୍କ ଝିଅକୁ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ୬ ଘଣ୍ଟା ପରେ ମୃତଦେହ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ ରାଜଧାନୀ ଚିକିସôାଳୟ ଶବାଗାରରେ ରଖିଛି ପୋଲିସ ।