ଗୃହ ବିଭାଗ ବିଜ୍ଞପ୍ତି ପ୍ରତ୍ୟାହାର ଦାବି

 ପୁରୀ: ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ମାମଲାର ତଦନ୍ତ ଅଧିକାର ଇନ୍ସପେକ୍ଟର ଓ ସବ୍ଇନ୍ସପେକ୍ଟରମାନଙ୍କୁ  ଦିଆଯିବା ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା ନିୟମକୁ ଭୀମ ଆର୍ମି ଭାରତ ଏକତା ମିଶନ ପୂର୍ବାଞ୍ଚଳ ୟୁନିଟ୍ ପକ୍ଷରୁ ବିରୋଧ କରାଯାଇଛି । ଏ ସଂକ୍ରାନ୍ତରେ ଗୃହ ବିଭାଗର ବିଜ୍ଞପ୍ତି ପ୍ରତ୍ୟାହାର କରିବା ପାଇଁ ଭୀମ ଆର୍ମି ଦାବି କରିଛି । ଶୁକ୍ରବାର ଦିନ ଏ ସଂକ୍ରାନ୍ତରେ ଜିଲ୍ଳାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ଭୀମ ଆର୍ମି । ଓଡ଼ିଶାର ଅନୁସୂଚିତ ଜାତି ଏବଂ ଜନଜାତିର ସୁରକ୍ଷା ତଥା ମର୍ଯ୍ୟାଦା ରକ୍ଷା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଦୃଢ ଦାବି କରିଛନ୍ତି । ଜିଲ୍ଳାପାଳଙ୍କୁ ପ୍ରଦତ୍ତ ଦାବିପତ୍ରରେ ସେମାନେ ମତବ୍ୟକ୍ତ କରିଛନ୍ତି ପୁଲିସ ଇନ୍ସପେକ୍ଟର ଓ ସବ୍ଇନ୍ସପେକ୍ଟରମାନଙ୍କୁ ତଫସିଲଭୁକ୍ତ ଜାତି ଓ ଜନଜାତିମାନଙ୍କ ମାମଲାର ତଦନ୍ତ ପାଇଁ କ୍ଷମତା ପ୍ରଦାନ ସଂକ୍ରାନ୍ତ ଗୃହବିଭାଗର ବିଜ୍ଞପ୍ତି ପ୍ରତ୍ୟାହାର କରାଯିବା ଏକାନ୍ତ ଆବଶ୍ୟକ । ଏହି ଆଇନ୍ ଏସ୍.ସି/ଏସ୍.ଟି ନିୟମର ପରିପନ୍ଥୀ । ଶତାଦ୍ଦୀ ଧରି ଅସ୍ପୃଶ୍ୟତା ଜାତିଭିତ୍ତିକ ବୈଷମ୍ୟ ଓ ଅତ୍ୟାଚାରର ଶିକାର ହୋଇଆସୁଛନ୍ତି ଅନୁସୂଚିତ ଓ ଜନଜାତି ସଂପ୍ରଦାୟ । ସେମାନଙ୍କ ପ୍ରତି ହୋଇଆସୁଥିବା ଅନ୍ୟାୟର ଅବସାନ ପାଇଁ ପିସିଆର୍ ଆଇନ ୧୯୫୫, ପି.ଓ.ଏ ଆଇନ୧୯୮୯ ଏବଂ ନିୟମ ୧୯୯୫ ଭାରତୀୟ ସାମ୍ବିଧାନିକ ଶାସନ ଏବଂ ଫୌଜଦାରୀ ନ୍ୟାୟ ପ୍ରଶାସନର ଏକ ଐତିହାସିକ ପ୍ରକ୍ରିୟା । କିନ୍ତୁ ନୂତନ ବ୍ୟବସ୍ଥାରେ ଏହାର ଉଚ୍ଛେଦ କରାଯାଇଛି । ତେଣୁ ଏ ସଂକ୍ରାନ୍ତ ଗୃହ ବିଭାଗର ବିଜ୍ଞପ୍ତି ଯଥାଶୀଘ୍ର ପ୍ରତ୍ୟାହାର କରିବା ପାଇଁ ଭୀମ ଆର୍ମି ଭାରତ ଏକତା ମିଶନ ଦୃଢ ଦାବି କରିଛି ।