ସୁରକ୍ଷା ଲୋଡୁଛି ୧୦୦ ବର୍ଷ ପୁରାତନ ରାଧାକୃଷ୍ଣ ମନ୍ଦିର
ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି ଗ୍ରାମର ବଡ଼ସାହି ଠାରେ ଅବସ୍ଥିତ ପ୍ରଭୁ ରାଧାକୃଷ୍ଣଙ୍କ ମନ୍ଦିରଟି ଅବହେଳିତ ଅବସ୍ଥାରେ ପଡିରହିଛି । ମନ୍ଦିରର ଚତୁଃପାର୍ଶ ଅନାବନା ଗଛଲତାରେ ଭର୍ତ୍ତିହୋଇ ରହିଥିବା ବେଳେ, ମନ୍ଦିର ଉପରେ ମଧ୍ୟ ଗଛଲତା ଉଠିଛି । ଆଜକୁ ୧୦୦ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳର କୋଠାଳ ପରିବାରର ସଦସ୍ୟଙ୍କ ଦ୍ୱାରା ଏହି ମନ୍ଦିରଟି ନିର୍ମାଣ କରାଯାଇଥିଲା । ମୁଖ୍ୟ ମନ୍ଦିରରେ ପ୍ରଭୁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ପୂଜା ପାଉଛି । ବାରମାସରେ ତେର ପର୍ବ ଏହି ମନ୍ଦିରରେ ପାଳିତ ହେଉଛି । ସେହିପରି ଦୈନନ୍ଦିନ ନୀତିକାନ୍ତି ମଧ୍ୟ ପାଳିତ ହେଉଛି । ମାତ୍ର ଅବହେଳିତ ଅବସ୍ଥାରେ ଦଣ୍ଡାୟମାନ ଏହି ପ୍ରାଚୀନ କୀର୍ତ୍ତିରାଜି ମନ୍ଦିରଟି ଏବେ ସୁରକ୍ଷା ଲୋଡୁଛି । ମୁଖ୍ୟ ମନ୍ଦିର ଓ ମନ୍ଦିରର ମୁଖଶାଳା ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି । ପ୍ରାଚୀନ ଐତିହ୍ୟର ସ୍ୱାକ୍ଷର ବହନ କରୁଥିବା ମନ୍ଦିରର ନବୀକରଣ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଖଳିସାହି ଗ୍ରାମବାସୀ ଦାବି କରିଛନ୍ତି । ପୁରାତନ କିର୍ତ୍ତିରାଜି ଓ ଐତିହ୍ୟର ସୁରକ୍ଷା ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିଲେ ହେଁ, ଏହି ମନ୍ଦିରଟି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।