ଅଧାରାସ୍ତା ଅବରୋଧ; ବ୍ୟାସନଗରରେ ବଢୁଛି ଟ୍ରାଫିକ ଯନ୍ତ୍ରଣା

ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: କଳିଙ୍ଗନଗର ଶିଳ୍ପାଞ୍ଚଳର ପାଦଦେଶ ବ୍ୟାସନଗର ସହର ରାସ୍ତାକୁ କଳ କାରଖାନାର କର୍ମଚାରୀ ବୁହା ଗାଡ଼ି ଏବଂ ଛୋଟ ଚାରି ଚକିଆ ଅଧା ଅବରୋଧ କରି ରଖୁଛନ୍ତି । ଦିନ ହେଉ କି ରାତି ସହର ରାସ୍ତାରେ ଠିଆ ହୋଇରହୁଛି ଗାଡ଼ି ମୋଟର । ଯାହା ଫଳରେଟ୍ରାଫିକ ଯନ୍ତ୍ରଣା ବଢିବାରେ ଲାଗିଛି । ସ୍ଥାନୀୟ ପୁଲିସ କାଁ ଭାଁ କେତେ ବେଳେ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଆଗେଇ ଆସୁଥିଲେ ହେଁ ରାସ୍ତା ଅବରୋଧ କରି ରଖୁଥିବା ଗାଡ଼ି ମୋଟର ଯୋଗୁ ତାହା ସହଜ ହେଉନି । ପାର୍ବଣ ସମୟରେ ବିଭିନ୍ନ ବ୍ୟବସାୟୀକ କାରବାର କରିବାକୁ ଆସୁଥିବା ମହିଳା ଓ ପୁରୁଷ ଗ୍ରାହକ ଟ୍ରାଫିକ୍ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଯଦି ଦେଖିବା ଏସମସ୍ୟା ପୌରାଞ୍ଚଳ ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ଷ୍ଟେସନ ବଜାର, ଗୋପବନ୍ଧୁ ଛକ, ଡ଼ାକବଙ୍ଗଳା ଛକ, ନୂଆ ମାର୍କେଟ, ଦଳା ବାଇପାସ ରାସ୍ତା, ମେନ ରୋଡ଼, ବସଷ୍ଟାଣ୍ଡ ବାଇପାସ୍, ଚୋରଦା ପାଇପାସ ଛକ, ଚୋରଦା ଛକ, କହ୍ନେଇପୁର ଏବଂ ଚୋରଦା-ଡ଼ୁବୁରୀ ରାସ୍ତାରେ ବସଠାରୁ ଆରମ୍ଭ କରି କାର ପର୍ଯ୍ୟନ୍ତ ଅଧା ରାସ୍ତାକୁ ଅବରୋଧ କରି ରଖୁଛି । ବ୍ୟବସାୟୀକ ପେଣ୍ଠସ୍ଥଳ ବ୍ୟାସନଗରରେ ଏକାଧିକ ମଲ ଖୋଲିଥିବା ଏବଂ ମଲକୁ ହଜାର ହଜାର ସଂଖ୍ୟାର ଗ୍ରାହକ ଆସୁଥିବା ବେଳେ ରାସ୍ତା ଅବରୋଧ କାରଣରୁ କଲବଲ ହେଉଛନ୍ତି । ବିଶେଷ କରି ସଞ୍ଜ ସମୟରୁ ରାତି ୯ଟା ପର୍ଯ୍ୟନ୍ତ ପରିସ୍ଥିତି ଜଟିଳ ହୋଇ ପଡ଼ୁଛି । ତେବେ ରାସ୍ତାକୁ ଅଧା ଅବରୋଧ କରି ରଖୁଥିବା ଗାଡ଼ି ମୋଟରକୁ ଜବଦ କରାଯାଇ ଆର୍ଥିକ ଦଣ୍ଡ ବିଧାନ କରାଯାଉନଥିବାରୁ ମାଲିକ ମାନେ ପୁରା ବେଫିକର ହୋଇପଡ଼ିଛନ୍ତି । ଯାହା ଆଗକୁ ପୂଜା ସମୟରେ ସାଂଘାତିକ ସମସ୍ୟା ସୃୃଷ୍ଟି କରିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନି । ହେଲେ ନାଁ ସ୍ଥାନୀୟ ପୁଲିସ ଏଦିଗରେ କୌଣସି ପଦକ୍ଷେପ ନେଉଛି, ନାଁ ପରିବହନ ବିଭାଗର ନିଦ ଭାଙ୍ଗୁଛି ।