ବିପର୍ଯ୍ୟସ୍ତ ହୋଇପଡ଼ିଛି ଖଣି ଅଞ୍ଚଳ ଗାଁ ରାସ୍ତା
କାଳିଆପାଣି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗମନା ଗମନ ବ୍ୟବସ୍ଥାକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି । ଗାଁ ଗାଁରେ ପକ୍କା ସଡ଼କ ନିର୍ମାଣ କରାଯାଉ ଥିବା ବେଳେ ଗାଁରୁ ପଞ୍ଚାୟତକୁ ସଂଯୋଗ କରାଯାଉଛି । ଗମନା ଗମନ ବ୍ୟବସ୍ଥା ଯେତେ ସୁଦୃଢ ସେହି ଅଞ୍ଚଳ ସେତେ ବିକଶିତ ହୁଏ । ହେଲେ ଖଣି ଅଞ୍ଚଳ ଗ୍ରାମ୍ୟ ସଡ଼କ ବିପର୍ଯ୍ୟସ୍ତ ହୋଇପଡି ଥିବାର ଅଭିଯୋଗ ହୋଇଛି । ଗ୍ରାମରେ ନାହିଁ ପକ୍କା ସଡ଼କ ବୋଲି ଅଭିଯୋଗ ହୋଇଛି । ଅଭିଯୋଗ ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ପଂଚାୟତରୁ ଆସିଛି । ପଂଚାୟତର ଘାଗିଆସାହିରୁ ଚିରିଗୁଣିଆ ଗ୍ରାମକୁ ସଂଯୋଗ କରୁଥିବା ସଡ଼କ ଏହାର ପ୍ରମାଣ । ସଂପୃକ୍ତ ଏହି ଦୁଇଟି ଗ୍ରାମରେ ପାଖାପାଖି ୩୦୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ସମସ୍ତ ପରିବାର ଦୈନନ୍ଦିନ ନିଜ କାର୍ଯ୍ୟପାଇଁ ଏହି ସଡ଼କ ଉପରେ ନିର୍ଭର କରିଥାନ୍ତି । ଗାଁ ଦୁଇଟି ଆଦିବାସୀ ଅଧୂଷିତ ଅଞ୍ଚଳରେ ଆସୁଛି । ଗ୍ରାମବାସୀ କୁହନ୍ତି କି ରାସ୍ତାରେ ବର୍ଷା ଦିନରେ ଚାଲି ଚାଲି ଯିବା ଆସିବା କରିହେଉନଥିବା ବେଳେ ସାଇକେଲ କିମ୍ବା ମୋଟର ସାଇକେଲ ଯିବା ଅସମ୍ଭବ । ଅନ୍ୟପଟେ ବର୍ତମାନ ଟିକିଏ ଖରା ହେବା ସମୟରେ ମୋଟର ସାଇକେଲ ଯିବା ଆସିବା ସମ୍ଭବ ହେଉଛି । ଏମିତି କି ଜରୁରୀକାଳୀନ ଯାନ ଯାତାୟାତ କରିବା ମଧ୍ୟ ଅସମ୍ଭବ ହେଉଛି । ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିଆସୁଥିବା ବେଳେ, କେହି କର୍ଣ୍ଣପାତ କରୁନଥିବା କହିଛନ୍ତି ଗ୍ରାମବାସୀ । ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ଖାଲଖମା ସୃଷ୍ଟି ହୋଇଛି । ଦେଖିବାକୁ ବାକି ରହିଲା କେବେ ନିର୍ମାଣ ହେଉଛି ଦୁଇ ଗାଁକୁ ସଂଯୋଗ କରୁଥିବା ରାସ୍ତା ।