ଭତ୍ତା ଟଙ୍କା ହଡ଼ପକାରୀ ପିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ
ସୁକିନ୍ଦା : ଭତାଟଙ୍କା ହଡ଼ପ ଅଭିଯୋଗରେ ସୁକିନ୍ଦା ବ୍ଲକ ପିମ୍ପୁଡ଼ିଆ ପଞ୍ଚାୟତ ପୂର୍ବତନ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି କଟକ ଭିଜିଲାନ୍ସ । ଭିଜିଲାନ୍ସ ମାମଲା ନଂ ୨୬/୨୫ରେ କୋର୍ଟ ଚାଲାଣ ହୋଇଥିବା ପିଇଓ ୭ ଲକ୍ଷ ୩୫ ହଜାର ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ ସନ୍ତୋଷ ସୁକିନ୍ଦା ବ୍ଲକର ପିମ୍ପୁଡିଆ ପଞ୍ଚାୟତ ପିଇଓ ଭାବେ ରେ କାର୍ଯ୍ୟ କରୁଥିବା ସମୟରେ ସାଧାରଣ ଲୋକଙ୍କ ଭତା ଟଙ୍କା ହଡ଼ପ କରିନେଇଥିଲେ । ଅଭିଯୋଗ ପରେ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସନ୍ତୋଷଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହିତ ଦାନଗଦୀ ବ୍ଲକକୁ ଡେପୁଟେସନ ପଠାଯାଇ ଭିଜିଲାନ୍ସ ନିକଟରେ ଏତଲା ଦିଆଯାଇଥିଲା । ଏତଲା ଆଧାର କରି ଆଜି ଯାଜପୁର ଓ କଟକ ଭିଜିଲାନ୍ସର ମିଳିତ ଟିମ୍ ଦାନଗଦୀ ବ୍ଲକରୁ ସନ୍ତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଯାଜପୁର ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।