ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ଡ୍ରିଲ

ବଡସାହି : ବଡ଼ସାହି ବ୍ଲକ ଅଧିନସ୍ଥ ବେଲପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର  ପରିସରରେ ଆଜି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆକସ୍ମିକ ଦୁର୍ଘଟଣା ମଧ୍ୟରେ ଗ୍ୟାସ ଟାଙ୍କି ଓ ରୋଷେଇ ସରଞ୍ଜାମରେ ଲାଗିଥିବା ନିଆଁକୁ ଲିଭାଇବା, ଅଗ୍ନିକାଣ୍ଡକୁ ପ୍ରଶମିତ କରିବା, ବଜ୍ରପାତରୁ ରକ୍ଷା ପାଇବା, ବନ୍ୟା ପରିସ୍ଥିତିରେ ବୁଡି ଯାଉଥିବା କିମ୍ବା ଭାସୁଥିବା ଗୃହପାଳିତ ପ୍ରାଣୀକୁ ଉଦ୍ଧାର କରିବା ଆଦି କୌଶଳ ଗୁଡିକ ଶିଶୁ ଭାଇଭଉଣୀଙ୍କୁ ମକଡ୍ରିଲ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଥିଲା । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଓ ଆକସ୍ମିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରି ଏହାର ତ୍ୱରିତ ମୁକାବିଲା କରିବା ପାଇଁ ମଧ୍ୟ ଅବଗତ କରାଯାଇଥିଲା । ବଡସାହି ଅଗ୍ନିଶମ କାର୍ଯ୍ୟାଳୟର ମୁଖ୍ୟ ଆଗ୍ନିକ ପ୍ରଦୀପ କୁମାର ପାତ୍ରଙ୍କ ତତ୍ୱାବଧାନରେ ଡ୍ରାଇଭର ହାବିଲଦାର ହିରଣ୍ୟ ରଣା,  ଫାୟାର ମ୍ୟାନ ରାଜେଶ୍ୱର ପାତ୍ର, ଚିତ୍ତରଞ୍ଜନ ମଲ୍ଲିକ ଓ ବିଜୟ କୁମାର ଦାସ ପ୍ରମୁଖ ବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଏଥିରେ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଦୀପ କୁମାର ଭୂୟାଁ, ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ସସ୍ମିତା ରାଣୀ ଭୂୟାଁ, ସମସ୍ତ ଗୁରୁଜୀ/ଗୁରୁମା, ଅପା ଭାଇ ଓ ଦୁଇଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।