ଭାଇରାଲ : ହାତରେ ବନ୍ଧୁକ ଧରି ନାଚିଲେ କର୍ପୋରେଟର୍‌

ଭୁବନେଶ୍ୱର :ରାଜଧାନୀ ରାସ୍ତା ଉପରେ ଗଣେଶ ଭସାଣି ବେଳେ ବନ୍ଧୁକ ଧରି ଜଣେ ଜନପ୍ରତିନିଧି ନାଚୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି। ସର୍ବସାଧାରଣରେ ବନ୍ଧୁକ ଧରି ନାଚିଥିବା ବ୍ୟକ୍ତି ଜଣଙ୍କ ହେଲେ ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ। ବୁଧବାର ଭୁବନେଶ୍ୱର ୟୁନିଟ-୯ ଅଞ୍ଚଳରେ ହୋଇଥିବା ଗଣେଶ ପୂଜା ଭସାଣିରେ ଜଣେ ଯୁବକଙ୍କ କାନ୍ଧ ଉପରେ ବସି ଜୀବନ ବନ୍ଧୁକ ଧରି ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହା ଗଣମାଧ୍ୟମରେ ପ୍ରଚାର ହେବା ପରେ କମିଶନରେଟ ପୋଲିସ ପକ୍ଷରୁ ଉକ୍ତ ବନ୍ଧୁକକୁ ଜବତ କରାଯାଇଛି। ତେବେ ଏହା ବାଜା ବ୍ୟାଣ୍ଡପାର୍ଟି ଦ୍ୱାରା ବ୍ୟବହୃତ ହେଉଥିବା ନକଲି ବନ୍ଧୁକ ଅଟେ। ଏହାକୁ ବନ୍ଧୁକ ଭାବେ ବ୍ୟବହାର କରିବା ନେଇ କୌଣସି ଗୁଳି କିମ୍ବା ବାରୁଦ ବ୍ୟବସ୍ଥା ନାହିଁ ବୋଲି ପୋଲିସ ଜାଣିବାକୁ ପାଇଛି। ଏହି ଘଟଣାରେ ଶହୀଦନଗର ଥାନା ପୋଲିସ ଏକ ଷ୍ଟେଶନ ଡାଏରୀ ଏଣ୍ଟ୍ରି କରି ଘଟଣାର ଅଧିକ ତଦନ୍ତ କରୁଛି। ଏନେଇ କର୍ପୋରେଟର ଜୀବନ କହିଛନ୍ତି, ଭସାଣି ଉତ୍ସବରେ କେନ୍ଦ୍ରାପଡ଼ାରୁ ବାଜା ବାଲାଙ୍କୁ ଡକାଯାଇଥିଲା। ତେଣୁ ଉକ୍ତ ବନ୍ଧୁକଟି ବାଜାବାଲାଙ୍କ ଏବଂ ଏହା କାଠରେ ତିଆରି ବନ୍ଧୁକ ଆକୃତିର ବୋଲି ସେ କହିଛନ୍ତି। ସୂଚନାନୁସାରେ ଗଣେଶ ପୂଜା ଭସାଣିରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତ ନ ଉପୁଜେ, ସେନେଇ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଡିଜେ ବାରଣ କରାଯାଇଛି। ଏହାସହ ଭସାଣି ଉତ୍ସବରେ ଯେମିତି ଗଣ୍ଡଗୋଳ ଭଳି ସମସ୍ୟା ନ ଦେଖାଯାଏ, ସେନେଇ ପୋଲିସ ଫୋର୍ସ ମୁତୟନ କରାଯାଉଛି। ଏହାସତ୍ତ୍ୱେ ବି କର୍ପୋରେଟର ଜଣଙ୍କ ଭସାଣି ଉତ୍ସବରେ ବନ୍ଧୁକ ଧରି ନାଚିବା ଘଟଣା ସମସ୍ତଙ୍କୁ ଚକିତ କରିଛି।