ନିର୍ଣ୍ଣାୟକ ହେବ ଯାଦବ ଭୋଟ !
ନୂଆପଡାରୁ ପରମେଶ୍ୱର ବାରିକ୍ : ଖଡ଼ିଆଳ ନିର୍ବାଚନମଣ୍ଡଳୀରେ ବିଜେଡିରୁ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଜେପିରୁ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ ଓ କଂଗ୍ରେସରୁ ଯୁବ ନେତା କମଲଚରଣ ତାଣ୍ଡି ଟିକଟ ପାଇଛନ୍ତି । କିଛିଦିନ ତଳେ ଅଧିରାଜ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇ ବିଜେଡି ପ୍ରାର୍ଥୀ ହୋଇ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ବିଧାୟକ ଆଶାୟୀ ପ୍ରାର୍ଥୀ ଲମ୍ବୋଦରଙ୍କୁ କଳାହାଣ୍ଡି ଲୋକସଭା ପ୍ରାର୍ଥୀ କରି ସମର୍ଥକଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛି । ଏବେ ଗୋଟିଏ ମଞ୍ଚରେ ଏକାଠି ବିଜେଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ଓ ବିଧାୟକ ପ୍ରାର୍ଥୀ ଅଧିରାଜ ପ୍ରଚାର ଆରମ୍ଭ କରିଛନ୍ତି । ଖଡ଼ିଆଳ, ସିନାପାଳି ଓ ବୋଡେନ ବ୍ଲକ ସମେତ ଖଡ଼ିଆଳ ଏନଏସିକୁ ନେଇ ଖଡ଼ିଆଳ ବିଧାନସଭା ଗଠିତ । ଏହି ନିର୍ବାଚନମଣ୍ଡଳୀରେ ପ୍ରାୟ ୨ ଲକ୍ଷ ୫୧ହଜାର ୯୯୮ ଭୋଟର ରହିଛନ୍ତି । ସେଥୁରୁ ପ୍ରାୟ ୪୧ ପ୍ରତିଶତ ହିସାବରେଏକ ଲକ୍ଷ ଯାଦବ ଭୋଟର ରହିଛନ୍ତି । ଏହା ଏକ ଯାଦବ ବହୁଳ ବିଧାନସଭାକ୍ଷେତ୍ର ହୋଇଥିବାରୁ ଯାଦବ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ।
ଗତ ୨୦୦୯ ନିର୍ବାଚନରେ ହିତେଶ ଓ ଲମ୍ବୋଦର ଏକାଠି ହୋଇ ନିର୍ବାଚନ ଲଢ଼ିବାରୁ ବିଜେପି ପ୍ରାର୍ଥୀ ହିତେଶ ବିଜୟୀହୋଇଥିଲେ । ୨୦୧୪ରେ ବିଜେଡିରୁ ଲମ୍ବୋଦର ବିଧାୟକ ପ୍ରାର୍ଥୀ ହୋଇଥିଲେବି ଯାଦବ ମ୍ୟାଜିକ କାମ କରିନଥିଲା । ଫଳରେ ବିଜେପିରୁ ସ୍ୱର୍ଗତ ଦୁର୍ଯେ୍ୟଧନ ମାଝି ବିଜୟୀ ହୋଇଥିଲେ । ଏହାବାଦ ପୁଣି ଥରେ ଯାଦବ ସମାଜ ସଂଗଠିତ ଓ ଏକତ୍ରିତ ହୋଇଥିଲା । ଗତଥର ଲମ୍ବୋଦର ଓ ହିତେଶ ଦୁଇ ଯାଦବ ନେତା ବିଜେଡି ଓ ବିଜେପି ଦଳରୁ ପ୍ରାର୍ଥୀ ହେବାରୁ କଂଗ୍ରେସ ପ୍ରାର୍ଥୀ ଅଧୂରାଜ ଫାଇଦା ଉଠାଇ ବିଜୟୀ ହୋଇଥିଲେ । ଏଠାରେ ଲମ୍ବୋଦର ଓ ହିତେଶ ଦୁଇ ଯାଦବ ନେତା ଲୋକସଭା ଓ ବିଧାନସଭାରୁ ପ୍ରାର୍ଥୀ ହୋଇଛନ୍ତି । ଫଳ ରେଯାଦବ ସମ୍ପ୍ରଦାୟ ଭୋଟ୍ ଦୁଇ ନେତାଙ୍କ ସପକ୍ଷରେ ଯାଇପାରେ । ଲମ୍ବୋଦର ନିଆଲ ବିଜେଡି ସାଂସଦ ପ୍ରାଥି ଥିବାରୁ କିଛି ଯାଦବ ଭୋଟ ଅଧିରାଜ ପାଣିଗ୍ରାହୀ ପଟକୁ ଯାଇ ପାରେ ବୋଲି ଚର୍ଚ୍ଚା ହୋଇଛି । ଅନ୍ୟପକ୍ଷେ ଆଦିବାସୀ ଭୋଟର କୁଆଡେ ଯିବେ ତାହା ଉପରେ ମଧ୍ୟ ନଜର ।