ବିଦ୍ରୋହୀଙ୍କୁ ପ୍ରାର୍ଥୀ କଲା ବିଜେପି

କେନ୍ଦୁଝରରୁ ଜୟକୃଷ୍ଣ ପଣ୍ଡା : କେନ୍ଦୁଝର ଜିଲାର ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମଙ୍ଗଳବାର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଘୋଷଣା କରିଥିବାବେଳେ ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିବା ଅଖିଳ ନାୟକଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି ।
ପାଟଣା ବିଧାନସଭା ଆସନ ପାଇଁ ଅଖିଳ ଚନ୍ଦ୍ର ନାଏକଙ୍କ ନାମ ଘୋଷଣା ପରେ ଦଳୀୟ କର୍ମୀ ଜିଲ୍ଲା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ପ୍ରବଳ ହୋ-ହଲ୍ଲା, ପାଟିତୁଣ୍ଡ କରି ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦାବି ଜଣାଇଛନ୍ତି । ପ୍ରାର୍ଥୀ ପରିବର୍ତ୍ତନ ନ ହେଲେ ବହୁ ଦଳୀୟ ପଦାଧିକାରୀ ସମୂହ ଇସ୍ତଫା ଦେବେ ବୋଲି ଚେତବାନୀ ମଧ୍ୟ ଦେଇଛନ୍ତି । ଦଳ ପାଇଁ ଦିନରାତି ଖଟିଥିବା ନେତା ଏବଂ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ବଞ୍ଚିତ କରାଯିବା ପ୍ରତିବାଦରେ ପ୍ରବଳ ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ଅଖିଳ ନାୟକ ବିଜେପି ଟିକେଟ ଆଶାୟୀ ଥିଲେ ଏବଂ ଦଳରୁ ଟିକେଟ ନ ପାଇ ସ୍ୱାଧିନ ଭାବେ ନିର୍ବାଚନ ଲଢି ୮ହଜାରରୁ ଅଧିକ ଭୋଟ ପାଇଥିଲେ । ଗତ ନିର୍ବାଚନରେ ବିଜେପିର ପ୍ରାର୍ଥୀ ଭବାନୀ ଶଙ୍କର ନାଏକ ୬୨ହଜାର ୫୧୪ଭୋଟ ପାଇ ହାରିଯାଇଥିବା ବେଳେ ବିଜେଡିର ଜଗନ୍ନାଥ ନାୟକ ୭୦ହଜାର ୩୧୦ ଭୋଟ ପାଇଥିଲେ । ସମୟ କ୍ରମରେ ୨୦୧୯ର ବିଜେପି ପ୍ରାର୍ଥୀ ଭବାନୀ ବିଜେଡିରେ ଯୋଗ ଦେଇଥିଲେ ମଧ୍ୟ ଜଗନ୍ନାଥଙ୍କୁ ଟିକେଟ ମିଳିଛି ଓ ଭବାନୀ ଜଗନ୍ନାଥଙ୍କୁ ସହଯୋଗ କରୁଛନ୍ତି । ଏହି ନିର୍ବାଚନମଣ୍ଡଳୀର ଭୌଗୋଳିକ ଅବସ୍ଥିତକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ପାଟଣା ବ୍ଲକର ୨୦ ଟି ଗ୍ରାମ ପଞ୍ଚାୟତ, ସାହାରପଡା ବ୍ଲକର ୨୦ଟି ଗ୍ରାମ ପଞ୍ଚାୟତ, ଝୁମ୍ପୁରା ବ୍ଲକର ୧୦ଟି ପଞ୍ଚାୟତ ଏବଂ ଚମ୍ପୁଆ ବ୍ଲକର ୬ଟି ଗ୍ରାମ ପଞ୍ଚାୟତକୁ ନେଇ ପାଟଣା ନିର୍ବାଚନ ମଣ୍ଡଳୀ ଗଠିତ । ବର୍ଷିୟାନ ନେତା ତଥା ଏହି ନିର୍ବାଚନମଣ୍ଡଳୀରୁ ୫ଥର ବିଧାୟକ ହୋଇଥିବା ହୃଷିକେଶ ନାଏକ ଏଥର କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି । ସରକାରୀ ଚାକିରୀରୁ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରିଥିବା ଅଖିଳ ଚନ୍ଦ୍ର ନାଏକ ୨୦୧୯ରେ ସ୍ୱାଧିନ ପ୍ରାର୍ଥୀ ଭାବେ ଲଢି ଗେମ ଚେଞ୍ଜରର ଭୂମିକା ନିଭାଇଥିଲେ । କାରଣ ବିଜେପି ପ୍ରାର୍ଥୀଙ୍କର ପରାଜୟର ବ୍ୟବଧାନ ୮ହଜାର ଥିବାେବେଳ ସେହି ୮ ହଜାର ଭୋଟ ଯଦି ବିଜେପି ଖାତାକୁ ଯାଇଥାନ୍ତା ତେବେ ୨୦୧୯ ମସିହାରେ ପାଟଣା ନିର୍ବାଚନମଣ୍ଡଳୀ ବିଜେପି ହାତରେ ରହିଥାନ୍ତା । ପାଟଣା ନିର୍ବାଚନ ମଣ୍ଡଳୀ ଅଣକଂଗ୍ରେସ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ । ଚଳିତ ନିର୍ବାଚନରେ ବିଜେଡିର ପୁରୁଣା ପ୍ରାର୍ଥୀ, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ବଦଳ ଯୋଗୁଁ ଏହି ନିର୍ବାଚନ ମଣ୍ଡଳୀର ଫଳାଫଳ କାହା ସପକ୍ଷରେ ଯିବ ତାହା ଠିକ୍ ଭାବେ ଅନୁମାନ କରି ହେଉନାହିଁ । ପାଟଣା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଅନେକ ଥର ଅଣକଂଗ୍ରେସ ବ୍ୟକ୍ତି ନିର୍ବାଚିତ ହୋଇଥିବାବେଳେ ୧୯୬୧ ମସିହାରେ ଗଣ ପରିଷଦର ରାଜବଲ୍ଲଭ ମିଶ୍ର,୧୯୬୭ ମସିହାରେ ସ୍ୱତନ୍ତ୍ର ଦଳର ରାମରାୟ ମୁଣ୍ଡା,୧୯୭୧ରେ ଉକôଳ କଂଗ୍ରେସର ମହେଶ୍ୱର ମାଝୀ,୧୯୭୪ ମସିହାରେ କଂଗ୍ରେସର ମହେଶ୍ୱର ମାଝୀ,୧୯୭୭ରେ ଜନତା ଦଳରୁ ପୁଣି ଆଉଥରେ ମହେଶ୍ୱର ମାଝୀ ନିର୍ବାଚିତ ହୋଇଥିଲେ । ୧୯୮୦ ମସିହାରେ ଜନତା ଦଳରୁ ହୃଷିକେଶ ନାଏକ ନିର୍ବାଚିତ ହୋଇଥିବାବେଳେ ୧୯୮୫ ମସିହାରେ କଂଗ୍ରେସ ଟିକେଟରୁ ହୃଷିକେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୦ ମସିହାରେ ଜନତା ଦଳରୁ କାହ୍ନୁଚରଣ ନାଏକ, ୧୯୯୫ ମସିହାରେ କଂଗ୍ରେସ ଦଳରୁ ହୃଷିକେଶ ନାଏକ, ୨୦୦୦ ଓ ୨୦୦୪ ମସିହାରେ ବିଜେପିର ଗୌରହରୀ ନାଏକ ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ୨୦୦୯ ମସିହାରେ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇ ହୃଷିକେଶ ବିଧାନସଭାକୁ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିଲେ । ନିଜ ରାଜନୈତିକ ଜୀବନରେ ଅନେକ ଝଡଝଞ୍ଜା ଓ ଘାତ ପ୍ରତିଘାତ ଦେଇ ଅନେକ ଥର ବିଧାୟକ ହୋଇଥିବା ହୃଷିକେଶ ଅନ୍ତତଃ ସାତୋଟି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଛନ୍ତି । ତାଙ୍କ ନିକଟରେ ଅଭିଜ୍ଞତା ଥିବାବେଳେ ବିଜେଡି ପ୍ରାର୍ଥୀ ଜଗନ୍ନାଥ ନାଏକ ଗତ ୫ ବର୍ଷ ଧରି ଅନେକ ପରିଶ୍ରମ କରି ଲୋକଙ୍କ ନିକଟତର କେବଳ ହୋଇନାହାନ୍ତି ବରଂ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ବାଜିମାତ କରିଛନ୍ତି । ପ୍ରଥମ ଥର ବିଧାୟକ ହୋଇଥିଲେ ମଧ୍ୟ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପଦ ପାଇପାରିଥିଲେ । ଅନ୍ୟପକ୍ଷରେ ଏହି ନିର୍ବାଚନମଣ୍ଡଳୀରେ ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଘର ହୋଇଥିବାବେଳେ କୌଣସି ପ୍ରକାରେ ବିଜେପି ଏହି ଆସନକୁ ନେବା ପାଇଁ ଲଢେଇ କରିବ ।