ଜନତାଙ୍କୁ ବୋକା ବନାଉଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ବିଦ୍ୟାଳୟ ଗୃହ ନିର୍ମାଣ ଓ ମରାମତି ପାଇଁ ଅଧକୋଟି ଅନୁଦାନ
କାଳିଆପାଣି: ବିଜେଡ଼ି ସରକାର ଅମଳରେ ବିଦ୍ୟାଳୟ ମାନଙ୍କୁ ପୁଳା ପୁଳା ଟଙ୍କା ମରାମତି ଠାରୁ ଆରମ୍ଭ କରି ନିର୍ମାଣ ପାଇଁ ଯୋଗାଇ ଦିଆଯାଉଥିଲା । କୋଉଠି ୫-ଟି ମାଧ୍ୟମରେ ତ କୋଉଠି ବ୍ଲକ ପ୍ରଶାସନ ଲକ୍ଷଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ । ସେହି କ୍ରମେ ଯଦି ଦେଖିବା ତେବେ ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତର ଚିଙ୍ଗୁଡ଼ିପାଳ ଆଶ୍ରମ ବିଦ୍ୟାଳୟକୁ ଯୋଗାଇ ଦିଆଯାଛି ଅଧ କୋଟିଏ ଟଙ୍କା । ୨୦୨୩-୨୪ ଆର୍ଥିକ ବର୍ଷରେ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ ସହିତ ଶୌଚାଳୟ ନିର୍ମାଣ ଏବଂ ମରାମତି କାର୍ଯ୍ୟ ପାଇଁ ଅର୍ଥ ଯୋଗାଇ ଦିଆଯିବା ପରେ କାର୍ଯ୍ୟ କରାଯାଉଛି । ୫ଟି କାର୍ଯ୍ୟ ପାଇଁ ୫ଟି ଅର୍ଥ ବିନିଯୋଗ ହୋଇଥିବା ଦଣ୍ଡାୟମାନ ହୋଇଥିବା ଫଳକ କହୁଛି । ଫଳକରେ ଯାହା ଲେଖା ଅଛି ତାହା ହେଲା ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ୧୦ଲକ୍ଷ, କ୍ରିୟାଶୀଳ ଗୃହ ନିର୍ମାଣ ପାଇଁ ୧୦ଲକ୍ଷ, ପାଠାଗାର ନିର୍ମାଣ ପାଇଁ ୧୦ ଲକ୍ଷ, ଶୌଚାଳୟ ନିର୍ମାଣ ପାଇଁ ୭ ଲକ୍ଷ ୫୦ ହଜାର, ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ପାଇଁ ୧୦ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଗାଏମୋଟ ୪୭ଲକ୍ଷ ୫୦ହଜାର ଟଙ୍କା ବା ଅଧକୋଟି ପାଖାପାଖି ଟଙ୍କାରେ ବିଦ୍ୟାଳୟର ଆମୁଳଚୂଳ କାର୍ଯ୍ୟ କରାଯାଉଥିଲେ ହେଁ ବିସ୍ତୃତ ସୂଚନା ଫଳକ କିନ୍ତୁ ଏଯାବଦ ଲାଗିନି । ଯାହା ଫଳରେ ଠିକାଦାର କିଏ, କାର୍ଯ୍ୟ ଅବଧି କେବେ, ଠିକାଦାର କିଏ ଇତ୍ୟାଦି ସଂପର୍କରେ କେହିବି କିଛି ଜାଣିବାକୁ ପାଉନାହାନ୍ତି । ଅନୁଦାନ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ସ୍ପଷ୍ଟ କରୁଛି । କିନ୍ତୁ ଠିକାଦାର ଠିକାଦାରଙ୍କୁ ସୁହାଇବାର ବ୍ୟବସ୍ଥା କରାଯାଇଛି ବୋଲି ଅଭିଯୋଗ ହୁଏ । ଗୋଟିଏ ପ୍ରାଚେରି ଭିତରେ ସମସ୍ତ କାର୍ଯ୍ୟ ସୀମିତ ହୋଇ ରହିଥିବା ବେଳେ ସବୁ କାର୍ଯ୍ୟ ପାଇଁ କାହିଁକି ଭିନ୍ନ ଭିନ୍ନ ଅର୍ଥ ମଞ୍ଜୁର ହୋଇଛି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସମସ୍ତ ଅର୍ଥ ଏକକରି ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଗଲା ନାହି କାହିଁକି? ୧୦ ଲକ୍ଷରୁ କମ୍ ମୂଲ୍ୟରେ କାର୍ଯ୍ୟ ରହିଲେ ବିନା ଟେଣ୍ଡରରେ କାର୍ଯ୍ୟ କରାଯାଉଥିବା ବେଳେ ଏହି ସମସ୍ତ କାର୍ଯ୍ୟରେ ବଡ଼ ଧରଣର ଦୁର୍ନୀତି ହେଉଥିବାର ବାରି ହୋଇପଡୁଛି । କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ଜାଣିବାକୁ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଧରାଛୁଅାଁ ଦେଇନଥିଲେ । ଆଉ ବିଡ଼ିଓଙ୍କୁ ପଚାରିବାରେ ତାଙ୍କ ପାଖରେ କିଛି ଖବର ନଥିବା କହିଥିଲେ । ଅତଏବ ବ୍ଲକ ପଇସାରେ ବିଦ୍ୟାଳୟ କାର୍ଯ୍ୟ କରାଯାଉଥିଲେ ହେଁ ବିଡ଼ିଓଙ୍କ ପାଖରେ ଖବର ନରହିବା ଆଶ୍ଚର୍ଯ୍ୟ ଚକିତ କରୁଛି । ଯନ୍ତ୍ରୀ ଫୋନଧରୁନଥିବା ବେଳେ ବିଡ଼ିଓ ହାତଝାଡ଼ି ଦେବା ପଛରେ ସୂଚନା ନଦେବାର ବାଟ ବାହାର କରାଯାଇନି ତ? ଜିଲାପାଳ ଏଥିପ୍ରତି ଧ୍ୟାନ ଦେବା ସହ ବିଜେଡ଼ି ସରକାର ଅମଳରେ ହୋଇଥିବା ଏହି କାର୍ଯ୍ୟର ସବିଶେଷ ଯାଞ୍ଚ କରି ପଦକ୍ଷେପ ନେବାକୁ ଦାବି କରାଯାଇଛି ।