ଅବ୍ୟବସ୍ଥା ଘେରରେ କଟକ ବଡ଼ ମେଡ଼ିକାଲ
କଟକ : କଟକ ବଡମେଡିକାଲ ଅବ୍ୟବସ୍ଥାନେଇ ବିଜେଡି ଛାତ୍ର ଜନତା ଦଳ ପକ୍ଷରୁ ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂଣ୍ଣ ଧାରଣା ଦେଇଛନ୍ତି । ଗତ ସରକାର ସମୟରେ ମେଡ଼ିକାଲ ପରିସର ମଧ୍ୟରେ ଯେଉଁ ଦୃଶ୍ୟ ଥିଲା, ସଂପ୍ରତି ତାହାଠୁ ଅଧିକ ଭାବରେ କଟକ ବଡ଼ ମେଡ଼ିକାଲ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଛାତ୍ର ବିଜେଡ଼ି ଅଭିଯୋଗ କରିଛି । ମେଡ଼ିକାଲର ବିଭିନ୍ନ ବିଭାଗରେ ଡାକ୍ତର ଓ ଷ୍ଟାଫ ସଂଖ୍ୟା କମ ରହିଥିବା ଏବଂ ପରିମଳ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଥିବା ଛାତ୍ର ବିଜେଡ଼ି ପକ୍ଷରୁ ଅଭିଯୋଗ ହୋଇଛି । ଏହାବ୍ୟତୀତ ଏସସିବିରେ ଦଲାଲମାନଙ୍କ ସଂଖ୍ୟା ବୃଦ୍ଧି ପାଇ ରୋଗୀମାନଙ୍କ ନିୟମିତ ଲୁଟୁଥିବା ଅଭିଯୋଗ ହୋଇଛି । ତେଣୁ ବିଶ୍ୱସ୍ତରୀୟ ମେଡ଼ିକାଲ ହେବାର ସ୍ୱପ୍ନ ଦେଖିଥିବା ଓ ତାକୁ ନେଇ କାର୍ଯ୍ୟ ଆରମ୍ଭ କରିବାର ଫଳ ବର୍ତ୍ତମାନ ନିମ୍ନସ୍ତରକୁ ଯାଉଥିବା ଛାତ୍ର ବିଜେଡ଼ି ପକ୍ଷରୁ କୁହାଯାଇଛି । ଯଦି ଏ ଦିଗରେ ସୁଧାର ନଆସେ ତେବେ ରାଜ୍ୟ ସରକାରଙ୍କୁ ଯୋରଦାର ବିରୋଧ କରାଯିବ ବୋଲି ଆନେ୍ଦାଳନକାରୀମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଛାତ୍ର ବିଜେଡ଼ି ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।