ଟିପିଏନ୍ଓଡିଏଲ ପକ୍ଷରୁ ମହିଳା ସାକ୍ଷରତା କାର୍ଯ୍ୟକ୍ରମ


ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର,: ଉତ୍ତମ ରାଷ୍ଟ୍ର ଗଠନ କ୍ଷେତ୍ରରେ ଶିକ୍ଷାର ମୌଳିକ ଆବଶ୍ୟକତା ରହିଛି । ଶିକ୍ଷା ଏକ ଜାତିର ଭାଗ୍ୟ ନିର୍ଦ୍ଧାରଣ କରେ । ତେଣୁ ନିରକ୍ଷର ମହିଳାମାନଙ୍କୁ ସାକ୍ଷରତା ଅଭିମୁଖେ ଏକ ପାଦ ନେବା ପାଇଁ ଟିପିଏନଓଡିଏଲ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ମହିଳା ଶିକ୍ଷାଦାନ କେନ୍ଦ୍ର ଜରିଆରେ ମହିଳାମାନଙ୍କୁ ମୌଳିକ ଭାଷା ସମ୍ପର୍କରେ ଶିକ୍ଷା ଦେବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରୁଛି । ଟିପିଏନଓଡିଏଲ ପକ୍ଷରୁ ନିରକ୍ଷର ମହିଳାମାନଙ୍କୁ ଓଡ଼ିଆ ଭାଷା ସମ୍ପର୍କିତ ମୌଳିକ ଶିକ୍ଷାଦାନ ଦିଆଯିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି । ୬ମାସର ପାଠ୍ୟକ୍ରମ ଅବଧି ମଧ୍ୟରେ ଅଭିଜ୍ଞ ପ୍ରଶିକ୍ଷକମାନଙ୍କ ଦ୍ୱାରା ସେମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଥିବାବେଳେ ପାଠ୍ୟକ୍ରମ ସାରି ମହିଳାମାନେ ମୌଳିକ ଶିକ୍ଷା ଲାଭ କରିବା ସହ ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଟିପିଏନଓଡିଏଲ ପକ୍ଷରୁ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଟିପିଏନଓଡିଏଲ ସିଇଓ ଦ୍ୱିଜଦାସ ବସକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଶିକ୍ଷାଦାନ କେନ୍ଦ୍ରର ପ୍ରଶିକ୍ଷାର୍ଥୀମାନଙ୍କୁ ପାଠ୍ୟକ୍ରମ ଶେଷର ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଟିପିଏନଓଡିଏଲ ସିଇଓ ଶ୍ରୀ ବସକ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା ସହ ଟିପିଏନଓଡିଏଲ ଜାରି ରଖିଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଗାଡି, ଦକ୍ଷତା ବିକାଶ କେନ୍ଦ୍ର ଜରିଆରେ ଯୁବପିଢୀଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ ପ୍ରସଙ୍ଗରେ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ ଶିକ୍ଷା ନାରୀ ସଶକ୍ତିକରଣର ମୂଳଦୁଆ ଅଟେ । ଆପଣମାନଙ୍କୁ ଏହି ସାର୍ଟିଫିକେଟ ପ୍ରଦାନ ଏକ ଔପଚାରିକତା ମାତ୍ର, ହେଲେ ଆପଣ ଲାଭ କରିଥିବା ଶିକ୍ଷା ଆପଣଙ୍କ ଜୀବନକୁ ସଂଗଠିତ କରିବାରେ ନିଶ୍ଚୟ ସହାୟକ ହେବ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୩ଶହ ଜଣ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ଏଯାବତ୍ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ୧୮ଶହରୁ ଅଧିକ ମହିଳାଙ୍କୁ ଶିକ୍ଷାଦାନ ଦିଆଯାଇଛି । ସେହିପରି ଟିପିଏନଓଡିଏଲ ଯାଜପୁର ଦକ୍ଷତା ବିକାଶ କେନ୍ଦ୍ରରୁ ଉତୀର୍ଣ୍ଣ ପ୍ରଶିକ୍ଷାର୍ଥୀଙ୍କୁ ସାର୍ଟିଫିକେଟ ବଣ୍ଟନ ସମାରୋହ ସିଇଓ ଦ୍ୱିଜଦାସ ବସକ, ସିଏସଆର ବିଭାଗ ମୁଖ୍ୟ ଦିଲ୍ଲୀପ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ ଦୀପକ କୁମାର ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଟେଲରିଂ, କମ୍ପୁ୍ୟଟର, ଇଲେକ୍ଟ୍ରିକାଲ୍ ଉପକରଣ ଏବଂ ସ୍ପୋକେନ୍ ଇଂରାଜୀ ଆଦି ପାଠ୍ୟକ୍ରମ ସଫଳତାର ସହିତ ସଂପୂର୍ଣ୍ଣ କରିଥିବା ୨୫୦ ଜଣ ପ୍ରଶିକ୍ଷାର୍ଥୀମାନଙ୍କୁ ରାଷ୍ଟ୍ରୀୟ କୌଶଳ ବିକାଶ ନିଗମ ଅନୁମୋଦିତ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।