ଅଗ୍ନି ବିପନ୍ନ ପରିବାରକୁ ସହାୟତା
ନୀଳଗିରି: ନୀଳଗିରି କେସିପୁର ପଞ୍ଚାୟତ ବଢେଇପଲା ଗ୍ରାମର ପ୍ରଧାନ ସିଂଙ୍କ ଘରେ ନିଆଁ ଲାଗି ଦୁଇ ବଖରା ଜଳି ପାଉଁଶ ହୋଇଯାଇଛି । ଖବର ପାଇ କଂଗ୍ରେସ ନେତା ତଥା ପ୍ରିୟଦର୍ଶନୀ ସେବା ସଂସ୍ଥାର ସମ୍ପାଦକ ତପନ ରାଉତ ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟିବା ସହିତ ରାସନ ସାମଗ୍ରୀ, ଲୁଗାପଟା ସହିତ କିଛି ଆର୍ଥôକ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହା ସହିତ ତୁରନ୍ତ ସରକାରୀ ସହାୟତା କିଭଳି ପାଇବେ, ସେଥିଲାଗି ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ସୂଚନା ମୁତାବକ, ଗତ ସୋମବାର ରାତିରେ ପ୍ରଧାନ ପରିବାର ବର୍ଗ ଘରେ ଶୋଇଥିବା ସମୟରେ ହଠାତ ନିଆଁ ଲାଗି ଘରଗୁଡିକ ଜଳିବାକୁ ଲାଗିଥିଲା । ଅତ୍ୟଧିକ ଗରମ ଅନୁଭବ ହେବାରୁ ସମସ୍ତେ ନିଆଁ ଲାଗିଥିବା ଦେଖି ଜୀବନ ବିକଳରେ ଘର ବାହାରକୁ ଦୌଡିଥିଲେ । ପରେ ପଡୋଶୀଙ୍କୁ ଡାକି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କପ୍ତିପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଦୁଇ ବଖରା ଘର ପୋଡି ପାଉଁଶ ହେବା ସହ ଲକ୍ଷାଧିକ ଟଙ୍କାର ଘରର ଆସବାପତ୍ର, ଅତ୍ୟାବଶ୍ୟକ ଘରର କାଗଜ ପତ୍ର ପୋଡି ଭସ୍ମୀଭୂତ ହୋଇ ଯାଇଥିଲା ।