ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ
ନିଶ୍ଚିନ୍ତକୋଇଲି : କଟକ ଡ୍ରେନେଜ୍ କଟ୍ ପକ୍ଷରୁ ପ୍ରତିବର୍ଷ ଡ୍ରେନେଜ୍ ସଫା ହେବାକୁ ଅର୍ଥ ମଞ୍ଜୁର ହୋଇଥାଏ । ତାହା କେବଳ ଠିକାଦାର ଯନ୍ତ୍ରୀ ଜାଣିଥାଆନ୍ତି । ଚାଷୀଙ୍କୁ ଅଜ୍ଞାତରେ ରଖି ଲୁଟି ଖାଇଥାଆନ୍ତି ଠିକାଦାର ଯନ୍ତ୍ରୀ । ହେଲେ ଚାଷୀମାନେ ଚାଷ କରି ନ ପାରି ମୁଣ୍ଡରେ ହାତ ଦେଇ ବସିଥାଆନ୍ତି । ଏବେ ଚାଷୀମାନେ ତଳିଘେରା ପ୍ରସ୍ତୁତ କରି ତଳି ପକାଇବା ସହ ଯେଉଁ ଚାଷୀମାନେ ଧାନ ବୁଣାକାମ କରିଛନ୍ତି, ସେହି ଚାଷ ଜମିଗୁଡିକ ଏବେ ଜଳମଗ୍ନ ହୋଇ ରହିଛି । ହଳରେ ଚାଷୀ ନା ପକାଇପାରିଛି ଧାନ ତଳି ନା କରିପାରୁଛି ବୁଆ ବେଉଷଣ । ବୁଆ ଧାନ କିଆରୀରେ ଆଣ୍ଠୁଏ ପାଣି । ପାଣି ଜମିର ହିବା ଫଳରେ ଧାନ ଗଛ ଗୁଡିକ କଟିବାରେ ଲାଗିଲାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଗୁଲିପଡା ମାଇନର ପାଟନାଳୀରେ । ଏହି ପାଟନାଳୀ ନଗସପୁର ବାଲିଗରଡାଠାରୁ ଦାଉଦପୁର, ବୋଧଙ୍ଗ, ବଙ୍ଗୁଲୀପଡା ଓ ନରାଜପୁର ଦେଇ ପ୍ରବାହିତ । ଏହି ପାଟନାଳୀ ସଫେଇ ନ ହେବାରୁ ସେ ଅଞ୍ଚଳର ଶହ ଶହ ଏକର ଚାଷଜମିରେ ପାଣି ଜମି ରହିଥିବାରୁ ଚାଷ କାମ ହେବା ନେଇ ଆଶଙ୍କା ଦେଖାଦେଇଛି । ପ୍ରତିବର୍ଷ ସଫେଇ ନାଁରେ ଲକ୍ଷ ଲକ୍ଷ ଟଙ୍କା ଆସୁଥିଲେ ମଧ୍ୟ ସଠିକ୍ ସମୟରେ ପାଟନାଳୀ ସଫେଇ ନ ହେବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଚାଷୀଙ୍କ ଅଭିଯୋଗ ପାଇଲା ପରେ ନିର୍ବାଚିତ ଜନପ୍ରତିନିଧିମାନେ ଆସି ମିଛି ମିଛିକା ତଦନ୍ତ କରି ତୁରନ୍ତ ସମାଧାନ ହେବାର ପ୍ରତିଶ୍ରୁତି ଦେଇ ଚାଲିଯାଆନ୍ତି । ହେଲେ ଚାଷୀର ଭାଗ୍ୟ ବଦଳେ ନାହିଁ । ଡ୍ରେନେଜ କଟ୍ର ଅଧିକାରୀମାନେ ଏହି ଅଞ୍ଚଳକୁ କେବେ ବୁଲିବାକୁ ଆସିନଥାଆନ୍ତି । ଏଥିପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ଦୃଷ୍ଟି ଦେଲେ ଚାଷୀମାନେ ସେମାନଙ୍କର ଚାଷ କାର୍ଯ୍ୟ ସୁରୁଖୁରୁରେ କରିପାରିବେ ବୋଲି ଅଞ୍ଚଳର ଚାଷୀମାନେ ଜଣାଇଛନ୍ତି ।