ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକଙ୍କ ବିରୋଧରେ ହେବ ପ୍ରଶାସନିକ ତଦନ୍ତ

ଭଦ୍ରକ : ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡା.କମଳାକାନ୍ତ ସ୍ୱାଇଁଙ୍କ ବିରୋଧରେ ସି.ଏଚ.ଓ.ମାନଙ୍କ ଦ୍ୱାରା ହୋଇଥିବା କର୍ମକ୍ଷେତ୍ରରେ ଉତ୍‌ପୀଡନ ଓ ନିର୍ଯାତନା ଭଳି ସମ୍ବେଦନଶୀଳ ଅଭିଯୋଗର ପ୍ରଶାସନିକ ତଦନ୍ତ ସୋମବାର ହେବ। ଗତ ୧୦ ତାରିଖ ଶୁକ୍ରବାର ସିଡିଏମଓ କାର୍ଯ୍ୟାଳୟ ପତ୍ରସଂଖ୍ୟା ୧୩୯୯୭ ଅନୁଯାୟୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଏକ କମିଟି ଗଠନ କରାଯାଇ ତଦନ୍ତ ପାଇଁ ୧୩ ତାରିଖ ସୋମବାର ଅପରାହ୍ନ ୩.୩୦ମି. ସମୟ ଧାର୍ଯ୍ୟ କରାଯାଇଛି। ଭଣ୍ଡାରିପୋଖରୀ ବିଡିଓ, ତହସିଲଦାର ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ସଙ୍ଗୀତା ବଳଙ୍କୁ ନେଇ ଗଠିତ ତଦନ୍ତ କମିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ତଦନ୍ତ କରିବେ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି । ଭାରପ୍ରାପ୍ତ ସିଡିଏମଓ ତଦନ୍ତ ସମୟରେ ଉପସ୍ଥିତ ରହିବେ ବୋଲି ପତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି ।